କରଞ୍ଜିଆ ଗୋଲେଇ/ସିଙ୍ଗଡ଼ା: କରଞ୍ଜିଆ ବନଖଣ୍ଡ ଦୁଧିଆଣି ବନାଞ୍ଚଳ ଯଶିପୁର ଅଞ୍ଚଳରୁ ଜବତ ହୋଇଥିବା ବାଘଛାଲ ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ବାବୁ ଜୁଆଙ୍ଗକୁ ଆଜି ମାନ୍ୟବର କରଞ୍ଜିଆ ଏସ୍ଡିଜେଏମ୍ କୋର୍ଟରୁ ଗୋଟିଏ ଦିନ ପାଇଁ ରିମାଣ୍ଡରେ ଅଣାଯାଇ କେନ୍ଦୁଝର ଜିଲ୍ଲା ପଣ୍ଡାପୋଡ଼ା ଥାନା ଅନ୍ତର୍ଗତ ଭୁଆଁ ଜୁଆଙ୍ଗ ପିଢ଼ ରେଞ୍ଜ ଅଞ୍ଚଳ କପତଡ଼ିହାରୁ ବାଘର ହାଡ଼ ଓ ଦାନ୍ତ ଓ ନଖ ଜବତ କରିଛି କରଞ୍ଜିଆ ବନ ବିଭାଗ।
କରଞ୍ଜିଆ ଡିଏଫ୍ଓ ଶ୍ରୀକାନ୍ତ ନାୟକଙ୍କ ନିର୍ଦେଶକ୍ରମେ ଏସିଏଫ୍ ଫାଲଗୁନୀ ବେହେରାଙ୍କ ନେତୃତ୍ୱରେ କରଞ୍ଜିଆ ରେଜ ଅଫିସର ପ୍ରବୀର ମୁର୍ମୁ, ଦୁଧିଆଣି ରେଞ୍ଜ ଅଫିସର ପ୍ରଦୀପ କୁମାର ପୃଷ୍ଟି, ଫରେଷ୍ଟର ବିଦ୍ୟାଧର ମହାନ୍ତ, ଫଗୁରାମ ବେସ୍ରା, ପ୍ରଦୀପ କିଶୋର ହାଇବ୍ରୁ ପ୍ରମୁଖ ମିଳିତ ଭାବେ ଦୁଇଟି ଟିମ୍ରେ କେନ୍ଦୁଝର ଟେରିଟୋରିଆଲ ଡିଏଫ୍ଓଙ୍କ ସହଯୋଗରେ ବାଘକୁ ମାରିଥିବା ସ୍ଥାନକୁ ଯାଇ ତନାଘନା କରି ସେଠାରୁ ଦୁଇଟି ବାଘ ଦାନ୍ତ,୧୦/୧୨ ଖଣ୍ଡ ହାଡ଼ ଏବଂ ଖପୁରୀର କିଛି ଅଂଶବିଶେଷ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ସହକାରୀ ବନଖଣ୍ଡ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୭ ତାରିଖରେ କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଯଶିପୁର ପୁରୁଣା ବସ୍ଷ୍ଟାଣ୍ଡ ନିକଟରୁ ଏକ କଲରାପତରିଆ ବାଘଛାଲ ମୂଲଚାଲ ବେଳେ ବିଶେଷସୂତ୍ରରୁ ଖବର ପାଇ ବନ ବିଭାଗ କର୍ମଚାରୀ ସାଧା ପୋଷାକରେ ପହଞ୍ଚି ୪ଜଣ ମାଫିଆଙ୍କୁ ମାଡ଼ି ବସିଥିଲେ। ସେମାନଙ୍କ ନିକଟରୁ ବାଘଛାଲ ସହ ଏକ ଅଲ୍ଟୋ କାର ମଧ୍ୟ ଜବତ କରିଥିଲେ। ପରେ ସେମାନଙ୍କ ଠାରୁ ସୂଚନା ପାଇ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଞ୍ଚଳରୁ ଏହି ରାକେଟ୍ରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିକୋର୍ଟ ଚାଲାଣ କରାଯାଇଥିଲା। ଏହି ରାକେଟ୍ରେ ଆହୁରି ସମ୍ପୃକ୍ତ ଅଛନ୍ତି ବୋଲି ଏସିଏଫ୍ ଶ୍ରୀ ବେହେରା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/୨୧-1.jpg)