ସମ୍ବଲପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଶାର ଅନାଲୋଚିତ ଇତିହାସକୁ ଦିଲ୍ଲୀ ଏବଂ ବିଶ୍ୱ ଦରବାରରେ ପହଞ୍ଚାଇବାର ସମୟ ଆସିଯାଇଛି। ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକରେ ବୀର ସୁରେନ୍ଦ୍ର ସାଏଙ୍କ ଭଳି ବୀରତ୍ୱଙ୍କ ଜୀବନୀ ଓ ସଂଘର୍ଷର କାହାଣୀ ସ୍ଥାନ ଦେବା ପାଇଁ କାର୍ଯ୍ୟ ହେଉଛି ବୋଲି ସୋମବାର ‘ପରାକ୍ରମ ଦିବସ’ ଅବସରରେ ସମ୍ବଲପୁର ଠାରେ ଆଇଆଇଏମ୍‌ ସମ୍ବଲପୁର ଏବଂ ଆଇସିଏଚ୍‌ଆର୍ ଦ୍ୱାରା ଆୟୋଜିତ ଆଲୋଚନା କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଏହା କହିଛନ୍ତି।

Advertisment

ସଂଗୋଷ୍ଠୀ ‘ସ୍ୱାଧୀନତାର ପ୍ରେରଣା ଗାଥା ପରାକ୍ରମ ଦିବସ’ ଶୀର୍ଷକ ଆଲୋଚନା କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ସ୍ୱତନ୍ତ୍ରତା ସଂଗ୍ରାମୀଙ୍କ ଦାୟାଦମାନଙ୍କୁ ସମ୍ମାନିତ ମଧ୍ୟ କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଲେ, ଭାରତର ମୁକ୍ତି ସଂଗ୍ରାମକୁ ପଶ୍ଚିମ ଓଡ଼ିଶାର ଅନବଦ୍ୟ ଅବଦାନ ଅତୁଳନୀୟ। ବରପୁତ୍ର ଓ ଶୌର୍ଯ୍ୟର ପ୍ରତୀକ ବୀର ସୁରେନ୍ଦ୍ର ସାଏ ଥିଲେ ଜଣେ ବିଚକ୍ଷଣ ବିପ୍ଳବୀ। ବ୍ରିଟିସ୍‌ ଶାସକ ଓ ସୈନ୍ୟବାହିନୀକୁ ଧରାଶାୟୀ କରିବାରେ ତାଙ୍କର ଅଭୂତପୂର୍ବ ସଂଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ସବୁ ଦିନ ପାଇଁ ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଭଳି ବରପୁତ୍ରଙ୍କ ବୀରଗାଥାକୁ ଏକବିଂଶ ଶତାବ୍ଦୀର ଯୁବପିଢ଼ିଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରଣୀତ ଜାତୀୟ ଶିକ୍ଷା ନୀତିରେ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଥିଲେ।

ପରାକ୍ରମ ଦିବସ ଅବସରରେ ଆଇଆଇଏମ୍‌ ଏବଂ ଆଇସିଏଚ୍‌ଆର୍‌ ଦ୍ୱାରା ଆୟୋଜିତ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ସଂଗ୍ରାମୀମାନଙ୍କ ଫଟୋ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବା ସହ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ। ଆଇଆଇଏମ୍‌ ସମ୍ବଲପୁର ନିର୍ଦ୍ଦେଶକ ମହାଦେବ ଜୟୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ସମ୍ବଲପୁର ସାଂସଦ ନିତେଶ ଗଂଗଦେବ, ରେଂଗାଲି ବିଧାୟକ ନାଉରୀ ନାୟକ, ପଦ୍ମଶ୍ରୀ ହଲଧର ନାଗ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ଆଇସିଏଚ୍‌ଆର୍ ଅଧ୍ୟକ୍ଷ ପ୍ରଫେସର ରଘୁବେନ୍ଦ୍ର ତନୱାର ପ୍ରମୁଖ ମଂଚାସୀନ ଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ଅବସରରେ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ଗସ୍ତ କରିଥିଲେ । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିବା ପରେ ବିମାନବନ୍ଦର ପରିସରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସମେତ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପରେ ଶ୍ରୀ ପ୍ରଧାନ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡାରେ ଆୟୋଜିତ ‘ପଦଯାତ୍ରାରେ ସାଧାରଣ ଜନତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ସାମିଲ ହୋଇଥିଲେ। ଏହି ମହାନ ସଂଗ୍ରାମୀଙ୍କ ଦାୟାଦଙ୍କୁ ଭେଟିବା ସହ ଗୁରୁଜନମାନଙ୍କୁ ଭେଟି ଆଲୋଚନା କରିଥିଲେ। ସେ ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ସମେତ ଅନ୍ୟାନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଭେଟିଥିଲେ। ସ୍କୁଲରେ ‘ଏଗଜାମ ଓ୍ୱାରିୟର୍ସ’ କଥାବସ୍ତୁ ଉପରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନଙ୍କ କଳା ପ୍ରତିଭା ଦେଖି ଖୁସିବ୍ୟକ୍ତ କରିବା ସହ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ପୁସ୍ତକ “ଏଗଜାମ ୱାରିୟର୍ସ” ପ୍ରଦାନ କରିଥିଲେ ।