ମାଲକାନଗିରି: ପୁଣି ଲାଲ୍ ସଲାମ ନାରାରେ କମ୍ପିଲା ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳ। ଓଡ଼ିଶା ସରକାରଙ୍କୁ ମଧ୍ୟ ଦିଆଗଲା ଖୋଲା ଚେତାବନୀ। ବହୁତ ହୋଇଗଲା, ଆଉ ଅବହେଳାକୁ ବରଦାସ୍ତ କରିବୁନି। ଆଗକୁ ଆଉ ପ୍ରତିବାଦ ନକରି ଆନ୍ଧ୍ରରେ ମିଶିବୁ ଏବଂ ଓଡ଼ିଶା ସରକାରଙ୍କଠାରୁ ସବୁ ସଂପର୍କ ଛିନ୍ନ କରିବୁ। ବାଲିମେଳା ଜଳଭଣ୍ଡାର ଯୋଗୁଁ ଫସଲ ଜନିତ କ୍ଷତି ସହିଥିବା ବିଚ୍ଛିନ୍ନାଞ୍ଚଳବାସୀ ଏମିତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆଜି ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଆଣ୍ଡ୍ରାପାଲୀ ପଞ୍ଚାୟତର ଆରାପଦର ଗ୍ରାମରେ ଏହି ପ୍ରଜାମେଳିର ଆୟୋଜନ କରାଯାଇଥିଲା। ଏଥିରେ ୭ଟି ପଞ୍ଚାୟତର ହଜାର ହଜାର ଲୋକ ସାମିଲ ହୋଇଥିଲେ। ବିଚ୍ଛିନ୍ନାଞ୍ଚଳ ଆଦିବାସୀ ବିକାଶ ମଞ୍ଚ ପକ୍ଷରୁ ଆୟୋଜିତ ଏହି ପ୍ରଜାମେଳିରେ ଯୋଗ ଦେଇଥିଲେ ଆନ୍ଧ୍ରର ବିଶାଖାପାଟଣା ଜିଲ୍ଲାର ଆଦିବାସୀ ବିପ୍ଳବୀ ନେତାମାନେ।
ପ୍ରଜାମେଳି ସଂପର୍କରେ ସୂଚନା ପାଇ ଗଣମାଧ୍ୟମ ପ୍ରତିନିଧି ସକାଳ ପ୍ରାୟ ୧୦ଟାରେ ଆରାପଦର ଗାଁ ହାଟପଦାରେ ପହଞ୍ଚିଥିଲେ। ଅପରାହ୍ନ ପ୍ରାୟ ୨ଟାରେ ଆରାପଦର ହାଟପଦା ଲୋକାରଣ୍ୟ ହୋଇଯାଇଥିଲା। ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ସରକାର ବିରୋଧୀ ସ୍ଲୋଗାନ ଦେଇ ରାଲିରେ ବାହାରିଥିଲେ। ହାତରେ ପ୍ଲାକାର୍ଡ ଏବଂ ବ୍ୟାନର ସହ ପାରଂପାରିକ ଅସ୍ତ୍ରଶସ୍ତ୍ର ମଧ୍ୟ କାନ୍ଧରେ ଧରିଥିଲେ। ବୈଠକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଦୁର୍ଦଶା ଏବଂ ଓଡ଼ିଶା ସରକାରଙ୍କ ଅବହେଳା ସଂପର୍କରେ ଆଲୋଚନା କରାଯାଇଥିଲା। ଆନ୍ଧ୍ରରୁ ଆସିଥିବା ଆଦିବାସୀ ବିପ୍ଳବୀ ନେତାମାନେ ଆନ୍ଧ୍ରରୁ ଆଣିଥିବା ଧାନ, ମାଣ୍ଡିଆ, ସୁଆଁ, କାନ୍ଦୁଲ ଆଦି ଉପସ୍ଥିତ ଲୋକଙ୍କୁ ବାଣ୍ଟିଥିଲେ। ଆନ୍ଧ୍ରରେ ମିଶିଲେ ସବୁ ସୁବିଧା ପାଇବେ ବୋଲି ଯୁକ୍ତି ବାଢ଼ିଥିଲେ। ଆଗକୁ ଯାହା ସମର୍ଥନ ଏବଂ ସହଯୋଗ ଆବଶ୍ୟକ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏମିତି ପ୍ରତିଶ୍ରୁତି ମିଳିବା ପରେ ବିଚ୍ଛିନ୍ନାଞ୍ଚଳବାସୀ ଓଡ଼ିଶା ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଯଦି ବିଚ୍ଛିନ୍ନାଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ନହୁଏ ତେବେ ବାଧ୍ୟ ହୋଇ ଆନ୍ଧ୍ରରେ ମିଶିବେ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/sf56h4sf56h4sf56h4sh56s4fh5sf4h564sfh56s.jpg)