ନବରଙ୍ଗପୁର : ବହୁ ବର୍ଷ ତଳେ ସ୍ବାମୀ ଆରପାରିକୁ ଚାଲିଯିବା ପରେ କୁଲି କରି ଦୁଇ ପୁଅକୁ ବଡ଼ କରିଥିଲେ। ଦୁଇ ପୁଅକୁ ନେଇ ଅନେକ ସ୍ବପ୍ନ ମଧ୍ୟ ଦେଖିଥିଲେ। ବହୁ କଷ୍ଟରେ ପରିବାର ଚଳାଉଥିବା ବେଳେ ବୃଦ୍ଧାଙ୍କ ଉପରେ ମାଡ଼ି ଆସିଛି କଳା ବାଦଲ। ୩ ମାସ ତଳେ ଏକ ସଡ଼କ ଦୁର୍ଘଟଣାରେ ସାନ ପୁଅର ମୃତ୍ୟୁ ଘଟିଥିବା ବେଳେ ଶଯ୍ୟାଶାୟୀ ବଡ଼ପୁଅ ଗତ ବୁଧବାର ଦିନ ସବୁ ଦିନ ପାଇଁ ଆଖି ବୁଜି ଦେବା ପରେ ଅସହାୟ ପଡ଼ିଛନ୍ତି ବୃଦ୍ଧା ମାଆ। ବଡ଼ପୁଅର ମୃତ୍ୟୁ ପରେ ବୋହୂ ଓ ନାତିନାତୁଣୀଙ୍କ ଦାୟିତ୍ବ ଏବେ ତାଙ୍କ ଉପରେ। ଆବାସ ଯୋଜନାରେ ପକ୍କା ଘର ମିଳିନଥିବାରୁ ବହୁ ବର୍ଷ ହେଲା ଭଙ୍ଗା ଦଦରା କୁଡ଼ିଆ ଘରେ ରହିବାକୁ ପଡ଼ୁଛି। ଘର ଅଭାବରୁ ଶୌଚାଳୟ ପାଲଟିଛି ରୋଷେଇ ଘର। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଚିକଲପଦର ପଞ୍ଚାୟତର ପୂଜାରୀ ଭରାଣ୍ଡି ଗ୍ରାମରେ।
ପୂଜାରୀ ଭରାଣ୍ଡି ଗ୍ରାମର ରତ୍ନାବତୀ ଗଣ୍ଡ ସ୍ବାମୀ ଓ ଦୁଇ ପୁଅ ସହିତ ଏକ ମାଟି କୁଡ଼ିଆ ଘରେ ରହୁଥିଲେ। କିନ୍ତୁ ୯ ବର୍ଷ ତଳେ ସ୍ବାମୀଙ୍କ ମୃତ୍ୟୁ ଘଟିବା ପରେ କୁଲି କରି ଦୁଇ ପୁଅକୁ ବଡ଼ କରିଥିଲେ। ଅନ୍ୟପଟେ କୁଡ଼ିଆ ଘରେ ବଡ଼ପୁଅ ଓ ବୋହୂ, ନାତିନାତୁଣୀ ଓ ସାନପୁଅ ସହିତ ରହିବା କଷ୍ଟକର ହେଉଥିବାରୁ ସ୍ବଚ୍ଛ ଭାରତ ଯୋଜନାରେ ନିର୍ମିତ ଶୌଚାଳୟକୁ ରୋଷେଇ ଘର ଭାବେ ବ୍ୟବହାର କରୁଛନ୍ତି। ଶୌଚାଳୟର ପ୍ୟାନ୍ ଉପରେ ବସି ଚୁଲିରେ ରୋଷେଇ କରୁଛନ୍ତି ରତ୍ନାବତୀ। ବହୁ କଷ୍ଟରେ ରତ୍ନାବତୀ ପରିବାର ଚଳାଉଥିବା ବେଳେ ୩ ମାସ ତଳେ ଏକ ସଡ଼କ ଦୁର୍ଘଟଣାରେ ସାନପୁଅର ମୃତ୍ୟୁ ଘଟିଥିବା ବେଳେ ଏକମାତ୍ର ରୋଜଗାରିଆ ବଡ଼ପୁଅ କିଡ୍ନି ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଥିବାରୁ ଚିନ୍ତାରେ ପଡ଼ିଥିଲେ। ପରିଣତ ବୟସରେ କୁଲି କରି ବଡ଼ପୁଅ, ବୋହୂ, ୩ ନାତିନାତୁଣୀଙ୍କ ପେଟକୁ ଦାନା ଯୋଗାଉଥିଲେ। କିଡ୍ନି ରୋଗରେ ଆକ୍ରାନ୍ତ ବଡ଼ପୁଅର ଚିକିତ୍ସା ପାଇଁ ନିଜ ସୁନା, ଘରେ ଥିବା ବାଇକ୍ ବିକ୍ରି କରିବା ସହ ୧ ଏକର ଚାଷ ଜମିକୁ ୨୦ ହଜାର ଟଙ୍କାରେ ବନ୍ଧକ ରଖି ନବରଙ୍ଗପୁରର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସବୁ ଟଙ୍କା ସରିଯିବା ପରେ ମଧ୍ୟ ସମନ ସୁସ୍ଥ ହୋଇ ପାରିନଥିଲେ।
ତେବେ ମୃତ୍ୟୁ ସହ ସଂଘର୍ଷ କରୁଥିବା ବଡ଼ପୁଅ ସମନ ଗଣ୍ଡଙ୍କ ମୃତ୍ୟୁ ଘଟିବା ପରେ ରତ୍ନାବତୀଙ୍କ ଉପରେ ବୋହୂ ଓ ୩ ନାତିନାତୁଣୀଙ୍କ ଦାୟିତ୍ବ ପଡ଼ିଛି। ସରକାରୀ ସହାୟତା କହିଲେ ରତ୍ନାବତୀଙ୍କୁ ମାସିକ ୫୦୦ ଟଙ୍କା ଭତ୍ତା ଓ ମୁଣ୍ଡ ପିଛା ୫କିଲୋ ଚାଉଳ ହିଁ ମିଳୁଛି। ସ୍ବାମୀ ଓ ଦୁଇ ପୁ୍ଅକୁ ହରାଇ ଅସହାୟ ହୋଇ ପଡ଼ିଥିବା ବୃଦ୍ଧା ରତ୍ନାବତୀ କିଭଳି ପରିବାର ଚଳାଇବେ ଚିନ୍ତାରେ ପଡ଼ିଛନ୍ତି। ଏହି ଅସହାୟ ବୃଦ୍ଧାଙ୍କୁ ତୁରନ୍ତ ଆବାସ ଯୋଜନାରେ ସାମିଲ କରାଯିବା ସହିତ ଅନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।