ଜିଲ୍ଲା ପରିଷଦ ପାଇଁ ଶୀର୍ଷ ନେତୃତ୍ବଙ୍କ ନିଦ ହଜିଲାଣି: ବିଧାୟକ ଓ ଆଶାୟୀ ବିଧାୟକଙ୍କୁ ଘାରିଛି ସରପଞ୍ଚ, ସମିତିସଭ୍ୟ ଚିନ୍ତା

ବାଲେଶ୍ବର: ବିଭିନ୍ନ ଦଳର ଛାମୁଆ ନେତୃବୃନ୍ଦଙ୍କ ଟାର୍ଗେଟରେ ଜିଲ୍ଲା ପରିଷଦ ଆସନ। ହେଲେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଧାୟକ କିମ୍ବା ଆଶାୟୀ ବିଧାୟକମାନେ ଦିନରାତି ଏକ କରି ଲାଗିପଡ଼ିଛନ୍ତି। ସରପଞ୍ଚ ଓ ସମିତିସଭ୍ୟ ପଦରେ ଦଳୀୟ ନିର୍ବାଚନୀ ସଙ୍କେତ ନଥିଲେ ମଧ୍ୟ ସମର୍ଥନରେ ଥିବା କାରଣରୁ ପଞ୍ଚାୟତ ଓ ବ୍ଲକଗୁଡ଼ିକୁ ଦଖଲ କରିବା ଏକମାତ୍ର ଲକ୍ଷ୍ୟ ହୋଇଛି। ନିର୍ବାଚନମଣ୍ଡଳୀ ନେତା ଯେତେ ଅଧିକସଂଖ୍ୟକ ସରପଞ୍ଚ ଓ ସମିତିସଭ୍ୟ ଜିତାଇବେ ସେହି ଅନୁସାରେ ‌ଦଳରେ ସେମାନଙ୍କ ପତିଆରା ବଢ଼ିବ ଏବଂ ଆଗାମୀ ସାଧାରଣ ନିର୍ବାଚନରେ ସେମାନଙ୍କୁ ବିଧାୟକ ଟିକେଟ୍‌ ମିଳିବା ନେଇ ଏକ ପ୍ରକାର ବାଟ ଫିଟିଯିବ। ତେବେ କଂଗ୍ରେସ ଦଳର କଥା ଯାହା ହେଉନା କାହିଁକି ଏବେ ବିଜେଡି ଓ ବିଜେପିରେ ଏହି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଗାଁ ଗଣ୍ଡାରେ ଏବେ ପଞ୍ଚାୟତ ନିର୍ବାଚନୀ ପ୍ରଚାର କମ୍ପି ଉଠୁଛି। ଭୋଟରଙ୍କ ଦୁଆରମୁହଁକୁ ପ୍ରତିଦିନ ନେତାଙ୍କ ସୁଅ ଛୁଟୁଛି। ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ସ୍ବାଭାବିକ ଭାବେ ଚାଲିଥିବା ବେଳେ ଆଗଭଳି ଆଉ ଜମାଣିଆ‌ ପ୍ରଚାର ହେଉନାହିଁ। କିନ୍ତୁ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ସବୁଠି ଜୋରସୋରରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ତେବେ ସ୍ଥାନୀୟ ବିଧାୟକ ଏବଂ ଆଶାୟୀ ବିଧାୟକ ପ୍ରାର୍ଥୀ ସ୍ଥାନୀୟ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଲାଗିନାହାନ୍ତି ତାହା ନୁହେଁ। ସେମାନେ ଏଥିପ୍ରତି ଟିକେ କମ୍‌ ଆଗ୍ରହ ଦେଖାଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ତୃଣମୂଳସ୍ତରରେ ସରପଞ୍ଚ ଏବଂ ସମିତିସଭ୍ୟ ଆସନ ଦଖଲ କରିବା ସବୁଦଳ ଲାଗି ଜରୁରୀ ହୋଇଥିଲେ ମଧ୍ୟ ସଂଖ୍ୟା ପ୍ରଦର୍ଶନ ଦୃଷ୍ଟିରୁ ଶୀର୍ଷ ନେତୃତ୍ବଙ୍କ ପାଇଁ ଜିଲ୍ଲା ପରିଷଦ ଆସନକୁ ଅକ୍ତିଆର କରିବା ସମ୍ମାନର ପ୍ରଶ୍ନ।

ଗତଥର ଠାରୁ ଅଧିକ ସଂଖ୍ୟାରେ ଆସନ ନ ଜିତିଲେ ପତିଆରା ରହିବ ନାହିଁ। ଏନେଇ ଗୋଟିଏ ପଟେ ଶୀର୍ଷ ନେତୃତ୍ବଙ୍କୁ ଚିନ୍ତା ଘାରିଥିବା ବେଳେ ସେପଟେ ବିଧାୟକ ଓ ଆଶାୟୀ ବିଧାୟକମାନେ ନିଜ ଅଞ୍ଚଳରେ ଅଧିକ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ନିର୍ବାଚିତ କରି ନ ଆଣିଲେ ଆଗାମୀ ସାଧାରଣ ନିର୍ବାଚନରେ ସ୍ଥିତି ବିଗିଡ଼ିଯିବାର ଭୟ ଘାରିଛି। ଏ ସମ୍ପର୍କରେ ନେତୃତ୍ବ ଆଗରେ ଖାଲି ଉତ୍ତର ରଖିବେନି ବରଂ ଆଗାମୀ ନିର୍ବାଚନର ଟିକେଟ୍‌ ମଧ୍ୟ ସେମାନଙ୍କୁ ନମିଳିପାରେ। ଟିକେଟ୍‌ ନମିଳିଲେ ବି ହାତରେ ଯଦି କିଛି ସରପଞ୍ଚ ଓ ସମିତିସଭ୍ୟ ନରହିବେ ତାହେଲେ ସାଧାରଣ ନିର୍ବାଚନ ବେଳେ ସେମାନେ ଚିତ୍‌ପଟାଙ୍ଗ ମାରିବାର ଚିନ୍ତା ଘାରିଛି। ତେଣୁ ଏବେ ହାତଛଡ଼ା କରିଦେଲେ ଦ୍ବିତୀୟ ଥର ପାଇଁ ଆଉ ସୁଯୋଗ ଆସିବ ନାହିଁ ଜାଣି ବିଧାୟକ ଏବଂ ଆଶାୟୀ ବିଧାୟକଙ୍କର ନିଦ ହଜିଯାଇଛି। ଶୀର୍ଷ ନେତୃତ୍ବମାନେ ଜିଲ୍ଲାକୁ ଆସି ବାରମ୍ବାର ଦଳର ସ୍ଥିତି ସମ୍ପର୍କରେ ସମୀକ୍ଷା କରୁଥିବା ବେଳେ ସେହି ଅନୁସାରେ ନିର୍ବାଚନ ଜିତିବା ଲାଗି ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଧାୟକ ଓ ଆଶାୟୀ ବିଧାୟକଙ୍କ ପାଇଁ ପଞ୍ଚାୟତ ନିର୍ବାଚନ ସେମି ଫାଇନାଲ ମ୍ୟାଚ୍‌ ବୋଲି ଚେତାଇ ଦିଆଯାଇଛି। ଏହି ନିର୍ବାଚନରେ ଭଲ ରେଜଲ୍ଟ ଆଣିଲେ ଆଗାମୀ ସାଧାରଣ ନିର୍ବାଚନ ବେଳେ ସେମାନଙ୍କୁ ଟିକେଟ୍‌ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ସେଥିଲାଗି ରାତି ପାହିବାଠୁଁ ପୁଣି ବିଳମ୍ବିତ ରାତି ହେବାଯାଏ ବିଧାୟକ ଓ ଛାମୁଆ ନେତାମାନେ ପଞ୍ଚାୟତ ଓ ପାର୍ଟି ଅଫିସ୍‌ଗୁଡ଼ିକରେ ଡେରା ପକାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର