ସ୍ମାର୍ଟସିଟି ରାଉରକେଲାରେ ଉଡୁଛି ଚିରା ତ୍ରିରଙ୍ଗା

ସହରର ପ୍ରବେଶପଥର ବେଶ୍‌ ଶୋଭାବର୍ଦ୍ଧନ କରୁଥ

ରାଉରକେଲା : ହକି ବିଶ୍ବକପ୍‌ ପୂର୍ବରୁ ଚକାଚକ୍‌ ହେଉଛି ସ୍ମାର୍ଟସିଟି ରାଉରକେଲା। ସହରର ପ୍ରବେଶ ପଥ ହନୁମାନବାଟିକା ଛକରୁ ଟ୍ରାଫିକ୍‌ ଛକ ପର୍ଯ୍ୟନ୍ତ ରିଂ ରୋଡର ଉଭୟ ପାର୍ଶ୍ବ ହେଉଛି ସୌନ୍ଦର୍ଯ୍ୟକରଣ। ହନୁମାନବାଟିକା ଛକ ‘ଆର୍‌ ଲଭ୍‌ ୟୁ ରାଉରକେଲା’ ସେଲ୍‌ଫି ଜୋନ୍‌ ପଛ ପାର୍ଶ୍ବରେ ୩୦ ଫୁଟ ଉଚ୍ଚରେ ଲାଗିଛି ସହରର ଦ୍ବିତୀୟ ବଡ ତ୍ରିରଙ୍ଗା। ଫର୍‌ଫର ହୋଇ ଉଡୁଥିବା ତ୍ରିରଙ୍ଗା କେବଳ ସହରର ପ୍ରବେଶପଥର ବେଶ୍‌ ଶୋଭାବର୍ଦ୍ଧନ କରୁଛି। ରାଜ୍ୟ ହେଉ ଅବା ରାଜ୍ୟ ବାହାରର ପର୍ଯ୍ୟଟକ ସହର ଭିତରକୁ ପ୍ରବେଶ କରିବା ମାତ୍ରେ ଏହି ଛକର ଘଡିଏ ଅଟକି ଯାଉଛନ୍ତି। ସାଙ୍ଗସାଥୀ ଓ ପରିବାର ସହ ସେଲ୍‌ଫି ନେବା ପରେ ସହର ଭିତରକୁ ପ୍ରବେଶ କରୁଛନ୍ତି।

ସ୍ମାର୍ଟସିଟିର ଶୋଭାବର୍ଦ୍ଧନ କରିଆସୁଥିବା ୩୦ ଫୁଟ୍‌ ଉଚ୍ଚର ତ୍ରିରଙ୍ଗା ‌ଗତ କେଇଦିନ ହେବ ଚିରି ଯାଇଛି। ଚିରା ତ୍ରିରଙ୍ଗା ସେମିତି ଉଡୁଥିଲେ ହେଁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁନି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଚିରା ତ୍ରିରଙ୍ଗା ଉଡୁଥିବା ଦେଖି ସହରର ଅନେକ ବୃଦ୍ଧିଜୀବୀ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନୂଆ ତ୍ରିରଙ୍ଗା ଲଗାଇବାକୁ କହିଛନ୍ତି। ମାତ୍ର ଏଯାଏଁ ଆର୍‌ଏମ୍‌ସି ପକ୍ଷରୁ ନୂଆ ତ୍ରିରଙ୍ଗା ଲଗାଯାଇ ନାହିଁ।

ଉଲ୍ଲେଖଯୋଗ୍ୟ, ଗତ ୨୦୧୬ରେ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ସମୟରେ ତ୍ରିରଙ୍ଗା ପତାକା ଲଗାଯାଇଥିଲା। ୩୦ ଫୁଟ୍‌ର ପୋଲ୍‌ ସହ ଅନ୍ୟାନ୍ୟ ବାବଦରେ ପ୍ରାୟ ୭ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ରକ୍ଷଣାବେକ୍ଷଣ ଦାୟିତ୍ବ ଆର୍‌ଏମ୍‌ସି ହାତରେ ରହିଛି। ସେତେବେଳେ ଏହି ତ୍ରିରଙ୍ଗା ସହରର ସର୍ବବୃହତ ଥିଲା। ଗତ ୨୦୨୧ରେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ସେକ୍ଟର-୬ ଟେଲିଫୋନ ଭବନ ପଡ଼ିଆରେ ୨୩୦ ଫୁଟ ଉଚ୍ଚତାରେ ରାଜ୍ୟରେ ସର୍ବବୃହତ ତ୍ରିରଙ୍ଗା ଉଡିବାର ବ୍ୟବସ୍ଥା କରାଯାଇଥିଲା। ଆର୍‌ଏସ୍‌ପି ସେହି ସ୍ଥାନକୁ ‘ଇସ୍ପାତ ସରୋବର ଉଦ୍ୟାନ’ ନାଁରେ ନାମିତ କରିଛି। ଏହା ମଧ୍ୟ ସ୍ମାର୍ଟସିଟିର ଆଉ ଏକ ଆର୍ଷଣର‌ କେନ୍ଦ୍ରବିନ୍ଦୁ ପାଲଟିଛି।

ସମ୍ବନ୍ଧିତ ଖବର