ତାଣ୍ଡବ ରଚିଲା କାଳବୈଶାଖୀ: ଉଡ଼ିଲା ଛପର, ଉଜୁଡ଼ିଲା ଫସଲ

ଭୋଗରାଇ/ଦେଉଳା: ଭୋଗରାଇ ବ୍ଲକର ବିଭିନ୍ନ ଅଞ୍ଚଳରେ ଆଜି କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବହୁ ଲୋକଙ୍କ ଘରର ଛପର ଉଡ଼ି ଯାଇଥିବା ବେଳେ ଆଉ କେତେକଙ୍କ ପାନବରଜ ମାଟିରେ ମିଶିଯାଇଛି। ପବନ ଓ କୁଆପଥର ମାଡ଼ରେ ଧାନ ଫସଲ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ଆକାଶରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସିବା ସହିତ ପ୍ରବଳ ବେଗରେ ପବନ ବୋହିଥିଲା। ମାତ୍ର ୧୦ରୁ ୧୫ମିନିଟ ମଧ୍ୟରେ ସବୁକିଛି ଉଜାଡ଼ି ଦେଇଗଲା କଳାବୈଶାଖୀ। ବିଶେଷ କରି ଭୋଗରାଇର ପସରବିନ୍ଧା, ନିମାତପୁର, ବାରବାଟିଆ, ସୋହରିଆ, ଜଳସୋହରିଆ, ମନ୍ଦାରସାହି, କଖଡ଼ା, ବାଜିତପୁର, ଗୁନାଇବସାଣ, ଦେହୁର୍ଦ୍ଦା ଆଦି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ନିମାତପୁର ପଞ୍ଚାୟତ ଅଧୀନ କାଉବଣୀ ଗାଁର ଗୋପାଳ ଚନ୍ଦ୍ର ଗିରି, ଜୟକୃଷ୍ଣ ଗିରିଙ୍କ ଘରର ଛପର ଉଡ଼ିଯାଇଥିବା ବେଳେ ମନ୍ଦାରସାହି ପଞ୍ଚାୟତ ହରିପୁର ଗାଁର ଶଶାଙ୍କ ଶେଖର ଦେଙ୍କ ଘର ଉପରେ ଗଛ ପଡ଼ି ଛପର ଭାଙ୍ଗିଯାଇଛି। ସେହିପରି କାଉବଣୀ ଗାଁର ଅଶୋକ ଗିରି, ଲକ୍ଷ୍ମୀକାନ୍ତ ଗିରି, ବାବୁଲା ନାୟକ, ନିଶିକାନ୍ତ ଗିରିଙ୍କ ପାନବରଜ ଭାଙ୍ଗି ଯିବାରୁ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଖବର ମିଳିଛି।

ଅନ୍ୟପକ୍ଷରେ ସାନତେଘରି ବିଦ୍ୟୁତ୍ ଗ୍ରିଡରୁ ଯାଇଥିବା ୩୩ କେଭି ଲାଇନ୍ ଛିଣ୍ଡି ପଡ଼ିବା ସହିତ ବହୁ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି। ଫଳରେ ସମଗ୍ର ଭୋଗରାଇ ଅନ୍ଧାରରେ ରହିଛି। ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ଅଧିକାରୀ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିନଥିବା ଜଣାପଡ଼ିଛି। ଏହାକୁ ନେଇ ପ୍ରଭାବିତ ଅଞ୍ଚଳବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର