କରୋନା: ସଂକ୍ରମଣରୁ ଆଜି ସୁସ୍ଥ ହେଲେ ୨୯୦ ଜଣ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୬୨୨୪

ଗଂଜାମ ଜିଲ୍ଲାରୁ ସୁସ୍ଥ ହେଲେ ୯୯ ଜଣ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆଜି ଭଲ ଖବର ଆସିଛି। ଆଜି ରାଜ୍ୟର୧୭ଟି ଜିଲ୍ଲାରୁ ୨୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଗଂଜାମ ଜିଲ୍ଲାରୁ ଆଜି ସର୍ବାଧିକ ୯୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗତକାଲି ଗଂଜାମ ଜିଲ୍ଲାରୁ ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏକକାଳୀନ ୯୯ ଜଣ ରୋଗୀ ସୁସ୍ଥ ହେବା ନିଶ୍ଚିତ ଭାବେ ଭଲ ଖବର। ଏହା ଜିଲ୍ଲାବାସୀଙ୍କ ମନରେ ନୂତନ ଆଶା ସଂଚାର କରିଛି।

 

ଗଂଜାମ ସହିତ ଗଜପତି ଜିଲ୍ଲାରୁ ମଧ୍ୟ ଆଜି ଅନେକ ସଂଖ୍ୟାରେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଜପତି ଜିଲ୍ଲାରୁ ୫୬ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୩ ଜଣ, କଟକ ଓ ନବରଙ୍ଗପୁର ଜିଲ୍ଲାରୁ ୧୬-୧୬ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୫ ଜଣ, ସମ୍ବଲପୁର ଜିଲ୍ଲାରୁ ୧୧ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୦ ଜଣ, ମୟୂରଭଂଜ ଜିଲ୍ଲାରୁ ୮ ଜଣ, କେନ୍ଦୁଝର ଓ ପୁରୀ ଜିଲ୍ଲାରୁ ୬ ଜଣ ଲେଖାଏଁ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ନୟାଗଡ଼ ଜିଲ୍ଲାରୁ ୩ ଜଣ, ବରଗଡ଼ ଓ କୋରାପୁଟ ଜିଲ୍ଲାରୁ ୨ ଜଣ ଲେଖାଏଁ ଓ ଯାଜପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ୨ ଲକ୍ଷ ୯୨ ହଜାର ୪୦୭ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ଆଜି ପର୍ଯ୍ୟନ୍ତ ମୋଟ ୯୦୭୦ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୪ ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷେ ୬୨୨୪ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟର ବିଭିନ୍ନ କୋଭିଡ-୧୯ ହସ୍‌ପିଟାଲରେ ୨ହଜାର ୮୦୦ ଜଣ ବ୍ୟକ୍ତି ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ମହାମାରୀ କରୋନା ଭାଇରସ ରାଜ୍ୟରେ ନିଜର କାୟା ବିସ୍ତାର କରି ଚାଲିଛି। ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାର ୪ ମାସ ପୂରି ନଥିବା ବେଳେ ଏଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ଅତିକ୍ରମ କରିସାରିଛି। ରାଜ୍ୟରେ ଗତ ମାର୍ଚ୍ଚ ମାସରେ ପ୍ରଥମ କରୋନା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର