ପଟାଙ୍ଗି: କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଗାଲିଗାବଦର ରାଥିବାଲି ଜଳପ୍ରପାତରେ ଆଜି ଅଘଟଣ ଘଟିଛି। ଜଳପ୍ରପାତର ପଥର ଚଟାଣ ଉପରେ ଚଢ଼ିଥିବା ବେଳେ ଗୋଡ଼ ଖସିଯିବାରୁ ୫୦୦ ମିଟର ତଳକୁ ପଡ଼ି ପ୍ରାଣ ହରାଇଛନ୍ତି ପର୍ଯ୍ୟଟକ। ମୃତ ପର୍ଯ୍ୟଟକଙ୍କ ନାମ ଏସ୍.କେ ଆଜାଦ ମହମ୍ମଦ(୨୬ବର୍ଷ)। ଆଜାଦଙ୍କ ଘର କଟକ ଜଗତପୁର ଅଞ୍ଚଳରେ। ଆଜାଦ ୪ଜଣ ସାଥୀଙ୍କ ସହିତ କୋରାପୁଟର ବିଭିନ୍ନ ଦର୍ଶନୀୟ ସ୍ଥାନ ଓ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସିଥିଲେ। ଅପରାହଣ୍ ୪ଟାରେ ଆଜାଦ ନିଜ ସାଙ୍ଗଙ୍କ ସହ ଗାଲିଗାବଦର ଜଳପ୍ରପାତରେ ପହଞ୍ଚି ପଥର ଚଟାଣ ଉପରେ ଚଢ଼ିଥିଲେ। ହେଲେ ସେଥିରେ ଶିଉଳି ପଡ଼ିବା ସମ୍ପର୍କରେ ଜାଣିପାରିନଥିଲେ।
ଫଳରେ ଚଟାଣ ଉପରକୁ ଚଢ଼ିବା ସଙ୍ଗେ ସଙ୍ଗେ ଗୋଡ଼ ଖସିବା ଯୋଗୁ ପ୍ରାୟ ୫୦୦ ମିଟର ତଳେ ଥିବା ଏକ ପଥର ଭିତରକୁ ଖସି ପଡିଥିଲେ। ଉପସ୍ଥିତ ନିଜ ସାଙ୍ଗ ଓ ଅନ୍ୟ ପର୍ଯ୍ୟଟକମାନେ ବହୁ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ। ଖବର ପାଇ ପଟାଙ୍ଗି ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୨ ଘଣ୍ଟାର କସରତ ପରେ ଆଜାଦଙ୍କୁ ଉଦ୍ଧାର କରି ପଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଆଜାଦଙ୍କୁ ମୃତ ଘୋଷଣା କରିଥିଲେ।