ପର୍ଯ୍ୟଟନ ପାନ୍ଥଶାଳା ପାଲଟିଛି ଭୂତକୋଠି, ସାହାରା ଖୋଜୁଛି ୬ ପ୍ରକଳ୍ପ

ଚଣ୍ତିଖୋଲ: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରେ ରହିଛି ଏକାଧିକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ। ପ୍ରସିଦ୍ଧ ଶୈବପୀଠ ମହାବିନାୟକ, ଛତିଆ ବଟ, ଚଣ୍ତିଖୋଲ ଚଣ୍ତିମନ୍ଦିର, ଓଳାଶୁଣୀ ବାଦ୍‌ ଗାଙ୍ଗୀ ଓ ହୀରକ ତ୍ରିଭୁଜ ଅନ୍ତର୍ଗତ ପ୍ରସିଦ୍ଧ ବୌଦ୍ଧବିହାର ଉଦୟଗିରି ଭଳି ଐତିହାସିକ ପୀଠ ମଧ୍ୟ ରହଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଏଗୁଡ଼ିକ ବେଶ୍‌ ଆଗରେ। ମାତ୍ର ସେମାନଙ୍କ ସୁବିଧା ପାଇଁ ନିର୍ମାଣ ହୋଇଥିବା ପାନ୍ଥଶାଳା, ଅଭ୍ୟର୍ଥନାଗୃହ, ସୁବିଧାକେନ୍ଦ୍ର ଭୂତକୋଠି ପାଲଟିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଏ ପ୍ରକଳ୍ପ ସବୁ ନିର୍ମାଣ କରିବା ପରେ ତଦାରଖ କରୁନଥିବାରୁ ନଷ୍ଟ ହେବାକୁ ବସିଲାଣି। କେଉଁଠି ନିର୍ମାଣ ହେବା ଦିନଠାରୁ ତାଲା ଝୁଲୁଛି ତ ଆଉ କେଉଁଠି ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି। ସେହିପରି କେତେକ ପ୍ରକଳ୍ପ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ପାଇଁ ନଷ୍ଟ ହୋଇଗଲାଣି। ଏସବୁ ନିର୍ମାଣରେ ବ୍ୟୟ ହୋଇଥିବା କୋଟିକୋଟି ଟଙ୍କା ଅପବ୍ୟୟ ହେବା ସାର ‌ହୋଇଛି।

ବୌଦ୍ଧ ହୀରକ ତ୍ରିଭୁଜ ଉଦୟଗିରି-ଲଳିତଗିରି-ରତ୍ନଗିରିରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୦୧୨-୧୩ ଆର୍ଥିକ ବର୍ଷରେ କୋଟିକୋଟି ଟଙ୍କା ବ୍ୟୟରେ ଉଦୟଗିରି, ପତରାଜପୁର, ରତ୍ନଗିର ଓ ଲଳିତଗିରିଠାରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯାଇଥିଲା। ପରିଚାଳନା ତଥା ରକ୍ଷଣ‌ାବେକ୍ଷଣ ନିମନ୍ତେ ଏହାକୁ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା। ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ଏହାର ସୁବିଧା ନେଉଥିଲେ। ଏହିଠାରେ ମଧ୍ୟ ପ୍ରଥମ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଘରୋଇ ସଂସ୍ଥା ଚୁକ୍ତି ଖିଲାପ କରିବା ପରେ ୨୦୨୦ ଶେଷ ବେଳକୁ ଏହି ସବୁ ପ୍ରକଳ୍ପକୁ ବିଭାଗ ନିଜ ଅଧୀନକୁ ନେଇଥିଲା। ୨୦୨୧ ଫେବ୍ରୁଆରି ମାସଠାରୁ ଜଗୁଆଳିଙ୍କ ସାହାରାରେ ଛାଡ଼ିଦେଇ ବିଭାଗ ନିଜ କାମ ସାରିଦେଇଛି। କୌଣସି ପ୍ରକାର ରକ୍ଷଣାବେକ୍ଷଣ କରାଯାଉ ନାହିଁ। ଫଳରେ ଏହି ସବୁ ବଡ଼ବଡ଼ ସୁଦୃଶ୍ୟ କୋଠା ନଷ୍ଟ ହେବାକୁ ବସିଲାଣି।

ସେହିପରି ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଓଳାଶୁଣୀ ପାହାଡ଼ର ପୂର୍ବପଟେ ୨୦୧୪ ମସିହାରେ ୩୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମିତ ପର୍ଯ୍ୟଟକ ସୁବିଧାକେନ୍ଦ୍ର ନିର୍ମାଣ ଦିନଠାରୁ ତାଲା ଝୁଲୁଛି। ଏହି ପାହାଡ଼ର ଶୀର୍ଷ ଦେଶରେ ୪୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଡୁପ୍ଲେକ୍ସ ନିର୍ମାଣ ପାଇଁ ସ୍ଥିର କରାଯାଇଥିଲା। ୩୦ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଏକ ଗୃହ ନିର୍ମାଣ କରାଯାଇଛି। ଏହାର କାମ ୨୦୧୫ ରୁ ଶେଷ ହୋଇଥିଲେ ମଧ୍ୟ ଏଠାରେ ତାଲା ଝୁଲୁଛି। ମହାବିନାୟକରେ ଥିବା ପାନ୍ଥଶାଳା ଓ ଚଣ୍ତିଖୋଲ ଚଣ୍ତୀମନ୍ଦିରଠାରେ ବିଭାଗ ପକ୍ଷରୁ ନିର୍ମିତ ପାନ୍ଥଶାଳା ଏବେ ଭାଙ୍ଗିରୁଜି ଗଲାଣି। ପର୍ଯ୍ୟଟନ ବିଭାଗ ପକ୍ଷରୁ ପତରାଜପୁରଠାରେ ଜାତୀୟ ରାଜପଥ ପାର୍ଶ୍ବରେ ନିର୍ମାଣ କରାଯାଇଥିବା ଟୁରିଷ୍ଟ କମ୍ପ୍ଲେକ୍ସ ଭୂତକୋଠିରେ ପରିଣତ ହୋଇଛି।

ଏହାକୁ ଲିଜ୍‌ ଆକାରରେ ନେଇଥିବା ଘରୋଇ ସଂସ୍ଥା ଓହରି ଯିବା ପରେ ବିଭିନ୍ନ ଦାମୀ ସରଞ୍ଜାମ, ଆସବାବପତ୍ର ଏପରିକି ଝରକାକବାଟ ସବୁ ଚୋରି ହୋଇଯାଇଛି। ଗୋଟିଏପଟେ ବିଭାଗ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ କୋଟିକୋଟି ଟଙ୍କା ବ୍ୟୟ କରୁଛି, ଅନ୍ୟପଟେ ପରିଚାଳନାଗତ ତ୍ରୁଟି ପାଇଁ ସାଧାରଣ ଲୋକଙ୍କ ଟିକସ ଅର୍ଥ ବରବାଦ ହେଉଛି। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର