ଟାୱାର ମୋଡିଦେଲା କାଳ ବୈଶାଖୀ, ବଜ୍ରପାତରେ ୨ ଜୀବନ ଗଲା

ରାଉରକେଲା: କାଳବୈଶାଖୀର ପ୍ରଭାବରେ ବୀରମିତ୍ରପୁର, କୁଆରମୁଣ୍ଡା ଓ ନୂଆଗାଁ ବ୍ଲକରେ ଘଡଘଡି ସହ ବର୍ଷା ହୋଇଥିଲା। ଖୁବ୍‌ ଜୋରରେ ପବନ ବୋହିବାରୁ ଅଧିକାଂଶ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟିଗୁଡ଼ିକ ଭାଙ୍ଗି ପଡିଥିଲା। ପ୍ରଚଣ୍ଡ ଖରାରୁ ଜିଲ୍ଲାବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଥିଲା ସତ ସଂଧ୍ୟାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ବୀରମିତ୍ରପୁର ରାମପାଲ ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଛି। ପ୍ରବଳ ବେଗରେ ପବନ ବହିବାରୁ ରାମପାଲ ଅଞ୍ଚଳରେ ବହୁ ଗଛ ଭାଙ୍ଗି ପଡିବା ସହ ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟଗୁଡ଼ିକ ଉପୁଡି ପଡିଛି। ଅଧିକାଂଶସ୍ଥାନରେ ଗଛଗୁଡ଼ିକ ରାସ୍ତା ଉପରେ ଭାଙ୍ଗି ପଡିଥିବାରୁ ଯାତାୟତରେ ବାଧାସୃ୍ଷ୍ଟି ହୋଇଥିଲା। ବିଜୁଳି ତାରଗୁଡ଼ିକ ଛିଣ୍ଡି  ପଡିଥିବାରୁ ଅିଧକାଂଶ ସ୍ଥାନରେ ରାତିତମାମ ଅନ୍ଧାର ରହିଥିଲା।

ସମାନ ଦୃଶ୍ୟ ‌ଦେଖିବାକୁ ମିଳିଥିଲା କୁଆରମୁଣ୍ଡା ଓ ଏହାର ଆଖପାଖ ଅଞ୍ଚଳରେ। କେବଳ ଏତିକି ନୁହେଁ ବଜ୍ରାଘାତରେ ଦୁଇ ଜଣଙ୍କ ଜୀବନ ଯାଇଛନ୍ତି। ମୃତଙ୍କ ମାନଙ୍କ ମଧ୍ୟରେ ଜଣେ ଯୁବକ ଓ ଅନ୍ୟ ଜଣେ ବୃଦ୍ଧ। ଯୁବକ ଜଣଙ୍କ ଘର କୁଆରମୁଣ୍ଡା ବ୍ଲକରେ ହୋଇଥିବାବେଳେ ବୃଦ୍ଧଙ୍କ ଘର ନୂଆଗାଁରେ। କୁଆରମୁଣ୍ଡା ପାଣ୍ଡି ଅନ୍ତର୍ଗତ କାଲୋସିହିରିଆ ଅଞ୍ଚଳରେ ବଜ୍ରାଘାତରେ ବୁଧୁ କିଷାନ(୨୩)ଙ୍କର ମୃତ୍ୟୁ ହୋଇଛି। ସେ  କୌଣସି କାର୍ଯ୍ୟରେ ବଜାରକୁ ଯାଇଥିଲେ। ବଜାରରୁ ଘରକୁ ଫେରୁଥିବା ବଜ୍ରାଘାତର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। କୁଆରମୁଣ୍ଡା ପାଣ୍ଡିରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି। ଅନୁରୂପ ଭାବେ ନୁଆଗାଁ ବ୍ଲକ କାଦପାଣି ଅଞ୍ଚଳରେ ମଧ୍ୟ ବଜ୍ରାଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି l ମୃ୍ତ ଜଣକ ହେଲେ ନୂଆଗାଁ ବ୍ଲକ ଲୁକୁମବେଡାର ବାଜୁ ଗଞ୍ଜୁ (୬୦)। ନିଜ ପରିବା କ୍ଷେତକୁ ପରିବା ତୋଳିବାକୁ ଯାଇଥିଲେ। ପରିବା ତୋଳିବା ପରେ ଘରକୁ ଫେରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ I ସେପଟେ ବିଭିନ୍ନ ସ୍ଥାନରେ ବିଦ୍ୟୁତଖୁଣ୍ଟି ଗୁଡ଼ିକ ଭାଙ୍ଗି ପଡିଥିବାରୁ ବୀରମିତ୍ରପୁର, କୁଆଁରମୁଣ୍ଡା ଓ ନୁଆଗାଁ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି।

ସମ୍ବନ୍ଧିତ ଖବର