ଆନନ୍ଦପୁର : ଆନନ୍ଦପୁର ଥାନାର ଜଣେ ଏସ୍ଆଇଙ୍କ ମାଡ଼ରେ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କର ଗୋଡ଼ ଭାଙ୍ଗିଥିବା ଅଭିଯୋଗ ହୋଇଛି। ଆହତ ଡ୍ରାଇଭର ମହୁଲଡ଼ିହା ଥାନା ଲୁଣିଖିଆ ଗ୍ରାମର ନାମ ପାର୍ଥ ପୂର୍ତ୍ତି(୨୮)। ଆଜି ୫୦ରୁ ଊର୍ଦ୍ଧ୍ବ ଶ୍ରମିକ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆକ୍ରମଣ କରିଥିବା ଏସ୍ଆଇ ସିଲୁ ମଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
ଘଟଣାରୁ ପ୍ରକାଶ ଯେ, ପାର୍ଥ ନିକଟସ୍ଥ ସୁନ୍ଦୁରିଆ ଗ୍ରାମରେ ରହି ଆନନ୍ଦପୁର ଅଞ୍ଚଳରେ ଟ୍ରାକ୍ଟର ଚଳାଇଥାଏ। ଅଭିଯୋଗ ଅନୁସାରେ ସେ ଗତକାଲି ସକାଳେ ବାଲି ଟ୍ରାକ୍ଟର ନେଇ ଯାଉଥିବା ବେଳେ ପୁଲିସ୍ ହାତରେ ଧରା ପଡ଼ିଥିଲେ। ପୁଲିସ୍ ଟ୍ରାକ୍ଟରକୁ ଜବତ୍ କରିଥିଲା। ଗତକାଲି ସଂଧ୍ୟା ସାଢେ ୬ଟାବେଳେ ଷଡ଼ଙ୍ଗୀ ବଜାରକୁ ଆସିଥିବାବେଳେ ଥାନାର ଏସ୍ଆଇ ସିଲୁ ମଲିକ୍ ଓ ତାଙ୍କର ତିନି ସହଯୋଗୀ ପାର୍ଥଙ୍କୁ ଗୋଡ଼ାଇଗୋଡ଼ାଇ ପିଟିଥିଲେ। ଏସ୍ଆଇ ମଲିକ୍ ଏକ ଲୁହା ପାଇପରେ ମାଡ଼ ମାରିବାରୁ ପାର୍ଥର ବାମଗୋଡ଼ ଭାଙ୍ଗି ଯାଇଥିଲା। ତାଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପାର୍ଥ ଏନେଇ ଏକ ଏତଲା ଆନନ୍ଦପୁର ଥାନାରେ ଦେଇଛନ୍ତି।
ଏନେଇ ଆନନ୍ଦପୁର ଥାନା ଅଧିକାରୀ ଦେବକୀ ନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ପାର୍ଥ ସଂଧ୍ୟାରେ ଟ୍ରାକ୍ଟରରେ ଚୋରାବାଲି ନେଇ ଯାଉଥିଲେ। ହଠାତ୍ ପୁଲିସକୁ ଦେଖି ଅନ୍ଧାରରେ ଦୌଡ଼ିଥିଲେ। ଖାଲରେ ପଡ଼ିଯାଇ ତାଙ୍କର ଗୋଡ଼ ଭାଙ୍ଗିଥିବାବେଳେ ସେ ନିଜେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିବା ଥାନା ଅଧିକାରୀ କହିଛନ୍ତି। ପୁଲିସ ମାଡ଼ ମାରିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।