ସୁକିନ୍ଦା : ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦା- ହରିପୁର ରାସ୍ତାରେ ଏକ ଟ୍ରାକ୍ଟର ଓଲଟି ବୋଝେଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଅପରାହ୍ଣରେ ସୁକିନ୍ଦାଗଡ଼ର ଏକ ଟ୍ରାକ୍ଟର (ଓଆର ୦୫ -୫୨୦୯) ଗୋଖାଦ୍ୟ ଆଣିବା ପାଇଁ ହରିପୁର ଗାଁକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ହରିପୁର ସ୍ଥିତ ଉଦ୍ୟାନ ନିକଟରେ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ସୁକିନ୍ଦାଗଡ଼ ପଞ୍ଚାୟତର ବିରିଗୋଡା ଭୂମିଜ ସାହିର ସ୍ୱର୍ଗତ ରବି ନାଏକଙ୍କ ପୁଅ ଶଙ୍କର ନାଏକଙ୍କ ମୃତ୍ୟୁ ଘଟିଛି । ସୁକିନ୍ଦା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣା ସମ୍ପର୍କରେ ତଦନ୍ତ କରୁଛି।
ଶନିବାର ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଯିବ। । ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଓ ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳ ପହଞ୍ଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ସବୁ ପ୍ରକାରର ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମୃତକ ଜଣକ ଗରିବ ଶ୍ରେଣୀର ହୋଇଥିବାରୁ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସୁକିନ୍ଦା ମଠ ମନ୍ଦିର ସୁରକ୍ଷା ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି।