ବଢ଼ୁଛି ଧଳାଜହର ଓ ଗଞ୍ଜେଇ ବେପାର, ଅବକାରୀ ବିଭାଗ ନିରବ
ନିରାକାରପୁର: ନିରାକାରପୁର ସମେତ ଜିଲ୍ଲାରେ କରୋନା ସଂକ୍ରମଣର ବଢ଼ିଚାଲିଛି। ଏହାକୁ ରୋକିବା ପାଇଁ ଉଭୟ ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସରକାରୀ କର୍ମଚାରୀମାନେ ଦିନରାତି କରୋନା ମୁକାବିଲାରେ ବ୍ୟସ୍ତ ଥିବା ବେଳେ ଏହାର ସୁଯୋଗ ନେଉଛନ୍ତି ଧଳା ଜହର, ଗଞ୍ଜେଇ ଚୋରା ବେପାରୀମାନେ। ଅବକାରୀ ବିଭାଗର ଅପାରଗତା ଯୋଗୁ ଏହି ବେପାର ନିରାକାରପୁର ସମେତ ଗୋଳବାଇ, ଛଣଗିରି ଅଞ୍ଚଳରେ ଖୋଲାଖୋଲି ଚାଲିଛି। ବିଭାଗୀୟ କେତେକ ଅସାଧୁ କର୍ମଚାରୀଙ୍କୁ ହାତକରି ଏହି ବେପାର ଚାଲିଥିବା ଅଭିଯୋଗ ହେଉଛି। ଏହି ଅଞ୍ଚଳର କେତେକ ଛକ ବଜାରରେ ଧଳା ଜହର ସହଜରେ ମିଳୁଥିବାରୁ ଏହାକୁ ଖାଇ ଯୁବଗୋଷ୍ଠୀ ଏବେ ପଥଭ୍ରଷ୍ଟ।
Sambad is now on WhatsApp
Join and get latest news updates delivered to you via WhatsApp
ଅନେକ ପରିବାର ଏହାକୁ ନେଇ ଚିନ୍ତାରେ ଅଛନ୍ତି। ନିଶା ପାଇଁ ଯୁବକମାନେ ସାଇକଲ୍, ମଟରସାଇକଲ୍ ଚୋରିଠାରୁ ଆରମ୍ଭ କରି ଛିନ୍ତାଇ ଓ ସିନ୍ଧିଚୋରି ଭଳି ବଡ଼ ଚୋରି କରୁଥିବା ଜଣାପଡ଼ୁଛି। ଛଣଗିରି, ଟାଙ୍ଗି ଓ ବିରକେଶରୀପୁର ଅଞ୍ଚଳରୁ ଧଳାଜହର ଆସି ଏଠାରେ ବିକ୍ରି ହେଉଥିବା ଜଣାପଡ଼ିଛି। ତେଜରାତି ଓ ପାନ ଦୋକାନଠାରୁ ଆରମ୍ଭ କରି ଥଣ୍ତା ଓ ଲସି ଦୋକାନରେ ଚୋରା ନକଲି ବିଦେଶୀ ମଦ ଓ ଗଞ୍ଜେଇ ମଧ୍ୟ ବିକ୍ରି ହେଉଛି। ଚୋରାମଦ କାରବାର ରୋକିବା ପାଇଁ ସ୍ବତନ୍ତ୍ର ଅବକାରୀ ଥାନା ପ୍ରତିଷ୍ଠିତ ହୋଇଛି। ମୋବାଇଲ୍ ଟିମ୍ ମଧ୍ୟ ଗଠନ ହୋଇଛି। ଏହା ସତ୍ବେ ଟାଙ୍ଗି ବ୍ଲକ୍ ଅଞ୍ଚଳରେ ଏହି ଚୋରା ବେପାର ବଢିଚାଲିଛି। ଏହି ଚୋରା କାରବାରକୁ ରୋକିବାକୁ ଯେତିକି ପରିମାଣରେ ସ୍ଥାନୀୟ ପୁଲିସ ଥାନା ଗୁଡିକ ଅଣ୍ଟା ଭିଡୁଛନ୍ତି, ସେହିପରିମାଣରେ ଅବକାରୀ ବିଭାଗ ତତ୍ପର ନଥିବା ଅଭିଯୋଗ ହେଉଛି। ଏହାକୁ ରୋକା ନଗଲେ ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଠୀଙ୍କୁ ନିଶା କବଳରୁ ଉଦ୍ଧାର କରିବା ସହଜ ହେବ ନାହିଁ। ଏ ସମ୍ପର୍କରେ ଟାଙ୍ଗୀ ବ୍ଲକ୍ ଅବକାରୀ ବିଭାଗର ମୁଖ୍ୟ ଆଲୋକ ପ୍ରଧାନଙ୍କୁ ପଚାରିବାରେ ତାଙ୍କ ପାଖରେ ଏଭଳି କିଛି ଖବର ନଥିବା କହିବା ସହ ଠିକଣା ଦେଲେ ଚଢ଼ଉ କରିବେ ବୋଲି କହିଛନ୍ତି।