ପୁଣି ଭାଙ୍ଗିଲା ପରମ୍ପରା, ହେଲାନି ହାଣ୍ଡିଭଙ୍ଗା ଯାତ: ଖାଡ଼ା ଉପାସ ରହିଲେ ଶ୍ରୀଲିଙ୍ଗରାଜ

ଭୁବନେଶ୍ୱର : ପୂର୍ବରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କାମ କରିନଥିଲା। ଏଥର ବି କାଟୁ କଲାନି ଜିଲ୍ଲାପାଳଙ୍କ ଚେତାବନୀ। ସେବାୟତମାନଙ୍କ ଅସହଯୋଗରୁ ହୋଇପାରିଲାନି ହାଣ୍ଡିଭଙ୍ଗା ଯାତ। ପୁଣି ଭାଙ୍ଗିଲା ପରମ୍ପରା। କେବଳ ସେତିକି ନୁହେଁ, ହାଣ୍ଡିଭଙ୍ଗା ଯାତ ଭଳି ଦିନରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ବି ଏଥର ଖାଡ଼ା ଉପାସରେ ରହିଲେ। ଦୀର୍ଘ ୭ ବର୍ଷ ହେଲା ଏମିତି ଅଘଟଣ ଘଟି ଚାଲିଥିବାରୁ ଶ୍ରଦ୍ଧାଳୁମାନଙ୍କ ମନରେ ଗଭୀର ଆଘାତ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ମହାଶିବରାତ୍ରି ପରେ ପରେ ପଡ଼ୁଥିବା ଶନିବାର ଦିନରେ ପାଳିତ ହୁଏ ହାଣ୍ଡିଭଙ୍ଗା ଯାତ। ଦୁଇ ‌ସେବାୟତ ଗୋଷ୍ଠୀ ଭିତରେ ଲାଗିଥିବା ବିବାଦର ସମାଧାନ ହୋଇପାରୁନଥିବାରୁ ଏହି ପ୍ରସିଦ୍ଧ ଯାତ ଦୀର୍ଘ ୭ ବର୍ଷ ହେଲା ବନ୍ଦ ରହିଛି। ଦେବୋତ୍ତର ବିଭାଗର ସବୁ ଉଦ୍ୟମ ସତ୍ତ୍ବେ ଦୁଇ ସେବାୟତ ଗୋଷ୍ଠୀ ସେମାନଙ୍କ ଜିଦ୍‌ରୁ ହଟୁନଥିବାରୁ ଏହି ଯାତ ବନ୍ଦ ରହିଛି। ଫଳରେ ପ୍ରଭୁ ଶ୍ରୀଲିଙ୍ଗରାଜ ଓ କପିଳେଶ୍ବର ମହାଦେବଙ୍କ ମିଳନ ହୋଇପାରୁନାହିଁ। କିନ୍ତୁ ଏଥର ଏହି ଯାତ ହେବ ବୋଲି ଆଭାସ ମିଳିଥିଲା। ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ଏନେଇ ଆଲୋଚନା ହୋଇଥିଲା। ଏମିତିକି ଜିଲ୍ଲାପାଳ ସେବାୟତମାନଙ୍କୁ ପରୋକ୍ଷ ଚେତାବନୀ ଦେଇଥିଲେ। ଠାକୁରଙ୍କ ସେବା ନକଲେ, ଜମିରୁ ବେଦଖଲ କରାଯିବ ବୋଲି ସତର୍କ କରାଇଥିଲେ। କିନ୍ତୁ ଏହି ଧମକ କାମ ଦେଇନାହିଁ। କପିଳେଶ୍ବରଙ୍କ ଦୁଇ ସେବାୟତ ଗୋଷ୍ଠୀ ପୁଣି ଅସହଯୋଗ କରିଛନ୍ତି।

ଏହି ଯାତ ବନ୍ଦ ହେବା କାରଣରୁ ଶନିବାର ଦିନ ଲିଙ୍ଗରାଜ ମନ୍ଦିରରେ ସନ୍ଧ୍ୟା‌ ୫ଟାରୁ ସମସ୍ତ ନୀତିକାନ୍ତି ବନ୍ଦ ରହିଛି। ତେଣୁ ଠାକୁର ଶନିବାର ଦିନ ଖାଡ଼ା ଉପାସ ରହିବାକୁ ବାଧ୍ୟ ହୋଇଛନ୍ତି। ଶନିବାର ଦିନ ଲିଙ୍ଗରାଜ ମନ୍ଦିରରେ ସକାଳ ନୀତି ପରେ ସାହାଣ ମେଲା ଦର୍ଶନ ହୋଇଥିଲା। ଏହା ପରେ ବଲ୍ଲଭ ନୀତି ଓ ପରେ ଠାକୁରଙ୍କ ଯାତ୍ରା ପୂଜା ହୋଇଥାନ୍ତା। ଯାତ୍ରା ପୂଜା ପରେ ଲିଙ୍ଗରାଜ ମହାପ୍ରଭୁ କପିଳେଶ୍ବର ମନ୍ଦିର ଯାତ୍ରା କରିଥାନ୍ତେ। ତେବେ ଯାତ୍ରା ହେବ ନାହିଁ ଜାଣିବା ପରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ପାଳିଆ ସେବାୟତମାନେ ଆଉ ନୀତି କଲେନାହିଁ। କାରଣ ଯଦି ସନ୍ଧ୍ୟାରେ ଅନ୍ୟ ନୀତି ହୋଇଥାନ୍ତା, ତେବେ ହାଣ୍ଡିଭଙ୍ଗା ଯାତ ପରମ୍ପରା ରହିବ ନାହିଁ। ଏଣୁ ଆଜି ଲିଙ୍ଗରାଜଙ୍କ ସବୁ ସାନ୍ଧ୍ୟ ନୀତି ବନ୍ଦ ରହିଲା ଓ ଠାକୁର ଉପାସରେ ରହିଲେ। ଏବେ ଜିଲ୍ଲା ପ୍ରଶାସନ ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ଦେଖିବାକୁ ବାକି ରହିଲା ବୋଲି ଶ୍ରଦ୍ଧାଳୁମାନେ ଉଦ୍‌ବେଗର ସହ ଜଣାଇଛନ୍ତି।

ସମ୍ବନ୍ଧିତ ଖବର