ଭୁବନେଶ୍ବର: ଶନିବାର ସନ୍ଧ୍ୟାରେ ରାଜଧାନୀରେ ପ୍ରବଳ ଟ୍ରାଫିକ୍‌ ଜାମ୍‌କୁ ନିୟନ୍ତ୍ରଣ କରିବା ଲାଗି ସେ ବହୁ ପରିଶ୍ରମ କରିଥିଲେ। ପ୍ରାୟ ୪ ଘଣ୍ଟା କାଳ କଠିନ ପରିଶ୍ରମ କରି ଟ୍ରାଫିକ୍‌ ଭିଡ଼ରେ ଫସିଥିବା ଲୋକଙ୍କୁ ସହଯୋଗ କରିଥିଲେ। କିନ୍ତୁ ତାଙ୍କ ପାଇଁ ନିୟତି ଲେଖିଥିଲା ଭିନ୍ନ କାହାଣୀ। ଅକ୍ଳାନ୍ତ ପରିଶ୍ରମ କରିବା ପରେ ଘରକୁ ଫେରୁଥିବା ବେଳେ ବାଟରେ ଆରପାରିକୁ ଡାକିନେଲା ବିଧି। ଏମିତି ଏକ ଦୁଃଖଦ ଘଟଣାକ୍ରମେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଟ୍ରାଫିକ୍ କନେଷ୍ଟବଳ ମଧୁସୂଦନ କିର୍ସାନୀ। ରାତି ପ୍ରାୟ ୧୦ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଜୟଦେବବିହାର ଓଭରବ୍ରିଜ୍‌ ଉପରେ କୌଣସି ଅଜଣା ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଛି।

Advertisment

ମଧୁସୂଦନଙ୍କ ଘର ମାଲକାନଗିରି। ସେ ଖଣ୍ଡଗିରି ଅଞ୍ଚଳରେ ରହୁଥିଲେ ଏବଂ ଟ୍ରାଫିକ୍ କନେଷ୍ଟବଳ ଭାବେ ରାଜଧାନୀରେ କାର୍ଯ୍ୟରତ ଥିଲେ। ଆଜି ସନ୍ଧ୍ୟାରେ ସେ ରାମମନ୍ଦିର ଛକରେ ଡ୍ୟୁଟି କରୁଥିଲେ। ସନ୍ଧ୍ୟାରେ ପ୍ରବଳ ବର୍ଷା ପାଇଁ ସମଗ୍ର ରାଜଧାନୀରେ ଟ୍ରାଫିକ୍‌ ଜାମ୍‌ ସ୍ଥିତି ସୃଷ୍ଟି ହୋଇଥିଲା। ରାମମନ୍ଦିର ଛକରେ ବି ପ୍ରବଳ ଭିଡ଼ ହୋଇଥିଲା। ମଧୁସୂଦନ ବର୍ଷାରେ ଭିଜିଭିଜି ଫସିଥିବା ଲୋକଙ୍କୁ ସହଯୋଗ କରିଥିଲେ। ଡ୍ୟୁଟି ସରିବା ପରେ ସେ ବାଇକ୍‌ ଯୋଗେ ଖଣ୍ଡଗିରି ଫେରୁଥିଲେ। ବାଣୀବିହାର ଛକ ଦେଇ ଖଣ୍ଡଗିରି ଫେରୁଥିବା ବେଳେ ସେ ଜୟଦେବବିହାର ଓଭରବ୍ରିଜ୍ ଅତିକ୍ରମ କରୁଥିଲେ। ଏତିକିବେଳେ ପଛରୁ ଆସୁଥିବା କୌଣସି ଭାରୀଯାନ ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ମଧୁସୂଦନଙ୍କୁ ଦେଖି କିଛି ଲୋକ ନୂଆପଲ୍ଲୀ ଥାନା ପୁଲିସକୁ ଜଣାଇଥିଲେ। ପୁଲିସ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ନେଇଥିଲା। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଦୁର୍ଘଟଣା ଘଟାଇ ଚମ୍ପଟ ମାରିଥିବା ଗାଡ଼ିକୁ ଠାବ କରିବାକୁ ପୁଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି।