ବଡ଼ବିଲ/ରୁଗୁଡ଼ି: କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ ଲୋଇଡ଼ାପଦାସ୍ଥିତ ହୋଟେଲ ବନଦୁର୍ଗା ସମ୍ମୁଖରେ ଆଜି ଅପରାହ୍ଣ ସାଢ଼େ ୩ଟାବେଳେ ଟ୍ରେଲର ଧକ୍କାରେ ବାପଝିଅଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବଲାଣି ଥାନା ଅନ୍ତର୍ଗତ ଲସରଦା ଗ୍ରାମ ବୁରୁସାହିର ରାମସିଂ ମୁଣ୍ଡା ଓ ତାଙ୍କ ଝିଅ ନିଶା ମୁଣ୍ଡା (୫)।
୫୨୦ ନମ୍ବର ଜାତୀୟ ରାଜପଥରେ ଆଜି ରାମସିଂ ଓ ଝିଅ ନିଶା ଏକ ବାଇକ୍ (ଓଆର୍-୦୯-ଏନ-୯୩୨୮)ରେ ବଲାଣିରେ ପଟୁ ବଡ଼ବିଲ ଆଡ଼କୁ ଆସୁଥିଲେ। ଲୋଇଡ଼ାପଦାସ୍ଥିତ ହୋଟେଲ ବନଦୁର୍ଗା ସମ୍ମୁଖରେ ପଛରୁ ଆସୁଥିବା ଏକ ଟ୍ରେଲର (ଏନ୍ଏଲ୍-୦୧-ଜି-୩୫୯୬) ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାପାଝିଅଙ୍କ ମୃତ୍ୟୁ ଘଟିଥିଲା। ରୁଗୁଡ଼ି ଥାନା ପୁଲିସ ଏକ ମାମଲା ରୁଜୁ କରି ଶବ ଜବତ କରିଛି। ଯୋଡ଼ାସ୍ଥିତ ଟାଟାଷ୍ଟିଲ ଡାକ୍ତରଖାନାର ଶବଗୃହରେ ଶବ ରଖାଯାଇଥିବା ପୁଲିସ କହିଛନ୍ତି। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଟ୍ରେଲର ଛାଡ଼ି ଫେରାର ହୋଇଯାଇଛି। ବେଆଇନ ପାର୍କିଂ କାରଣରୁ ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଏଥିପ୍ରତି ପରିବହନ ବିଭାଗ, ଏନ୍ଏଚ୍ଏଆଇ ଓ ପୁଲିସ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/accident.jpg)