କେବଳ ମହିଳା କର୍ମଚାରୀଙ୍କୁ ନେଇ ପହଞ୍ଚିଲା ଟ୍ରେନ୍‌

ମହିଳା ଦିବସରେ ରେଳବାଇର ନିଆରା କାର୍ଯ୍ୟକ୍ରମ

ରାଉରକେଲା: ମଙ୍ଗଳବାର ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ମହିଳା ସଶକ୍ତୀକରଣ ଦିଗରେ ସଚେତନତା ସୃଷ୍ଟି ପାଇଁ ଭାରତୀୟ ରେଳବାଇ ପକ୍ଷରୁ ହାତକୁ ନିଆଯାଇଥିଲା ଏକ ନିଆରା କାର୍ଯ୍ୟକ୍ରମ। ଚାଳକ ସମେତ ସମସ୍ତ କର୍ମଚାରୀ ଓ ସୁରକ୍ଷା କର୍ମୀ ଭାବେ କେବଳ ମହିଳାଙ୍କୁ ନେଇ ରାଜେନ୍ଦ୍ର ନଗର – ଦୁର୍ଗ ସାଉଥ ବିହାର ଏକ୍ସପ୍ରେସ ଆଜି ରାଉରକେଲାରେ ପହଞ୍ଚିଛି। ଚକ୍ରଧରପୁର ରେଳବାଇ ଡିଭିଜନ ପକ୍ଷରୁ ଏହି ନିଆରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ସୂଚନା ଅନୁସାରେ, ଏହି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଲୋକୋ ପାଇଲଟ୍‌, ସହକାରୀ ପାଇଲଟ୍‌, ଗାର୍ଡ, ଟିଟିଙ୍କ ସମେତ ସୁରକ୍ଷା ପାଇଁ ଥିବା ଆରପିଏଫ୍‌ ଯବାନ ମଧ୍ୟ ଥିଲେ ମହିଳା। ରାଉରକେଲା ଷ୍ଟେସନରେ ଏହି ନିଆରା ଟ୍ରେନ୍‌ଟି ପହଞ୍ଚିବା ମାତ୍ରେ ସମସ୍ତଙ୍କୁ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିଲେ ଷ୍ଟେସନ କର୍ତୃପକ୍ଷ। ଏନେଇ ଲୋକ ପାଇଲଟ୍ ସିଲାରାଣୀ ହର କହିଛନ୍ତି, ‘ମହିଳାମାନଙ୍କ ପାଇଁ ଭାରତୀୟ ରେଳ ବିଭାଗ ଏଭଳି ନିଆରା ପଦକ୍ଷପ ନେଉଛନ୍ତି। ଆମକୁ ଏତେ ବଡ଼ ସୁଯୋଗ ଦେଇଥିବାରୁ ବେଶ୍‌ ଖୁସି ଅନୁଭବ କରୁଛି। ଏହାଦ୍ବାରା ମହିଳା କର୍ମଚାରୀଙ୍କ ସମେତ ଅନ୍ୟ ମହିଳାମାନେ ମଧ୍ୟ ଉତ୍ସାହିତ ହେଉଛନ୍ତି। ଆଗକୁ ଆମେ ଆହୁରି ଅଧିକ ଦାୟିତ୍ବ ନେଇପାରିବୁ ବୋଲି ମୋର ଦୃଢ଼ ବିଶ୍ବାସ ରହିଛି। ’

ସମ୍ବନ୍ଧିତ ଖବର