ଜଳେଶ୍ୱର : ଲୋକୋ ପାଇଲଟ୍‌ ଜାଣିପାରିଲେନି, ବଗି ଛାଡ଼ି ଟ୍ରେନ୍‌ ଇଞ୍ଜିନ ୫ ଶହ ମିଟର ଆଗକୁ ପଳାଇଲା। ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ନେକୁରଶୁଣି ଷ୍ଟେସନ୍‌ ନିକଟରେ ଘଟିଛି ଏହି ଘଟଣା।

Advertisment

ଗତକାଲି ନିର୍ଦ୍ଧାରିତ ସମୟରେ ୧୨୮୩୭ ନମ୍ବର ହାଓଡ଼ା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ୍‌ ପୁରୀ ଯାତ୍ରା ଆରମ୍ଭ କରିଥିଲା। ରାତି ପ୍ରାୟ ଦେଢ଼ଟା ବେଳେ ନେକୁରଶୁଣି ଷ୍ଟେସନ୍‌ ପୂର୍ବରୁ ହଠାତ୍ ବଗିରୁ ଟ୍ରେନ୍‌ ଇଞ୍ଜିନ ଅଲଗା ହୋଇ ପ୍ରାୟ ୫୦୦ ମିଟର ଦୂର ଯାଏ ଚାଲିଯାଇଥିଲା। ଟ୍ରେନ୍‌ରେ ଥିବା ଯାତ୍ରୀମାନେ ପ୍ରଥମେ କିଛି ବୁଝିପାରି ନଥିଲେ। ଘଟଣା ବିଷୟରେ ଜଣିବା ପରେ ଭୟଭୀତ ହୋଇ ଯାଇଥିଲେ। ଖବର ପାଇ ଦକ୍ଷିଣ-ପୂର୍ବ ରେଳବାଇ ଖଡ଼ଗପୁର ଡିଭିଜନ୍‌ର ବରିଷ୍ଠ ପଦାଧିକାରୀ ଓ ବୈଷୟିକ ଟିମ୍‌ ଘଟଣାସ୍ଥଳକୁ ଆସି ଇଞ୍ଜିନ୍‌ ସହ ବଗିଗୁଡ଼ିକୁ ପୁନଃ ସଂଯୋଗ କରିଥିଲେ। ଏହାପରେ ଟ୍ରେନ୍‌ରେ ଆଉ କିଛି ଯାନ୍ତ୍ରିକ ତ୍ରୁଟି ରହିଛି କି ନାହିଁ, ସେ ନେଇ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା। ସବୁ ଠିକ୍‌ଠାକ୍‌ ଥିବା ଜଣାପଡ଼ିବା ପରେ ପ୍ରାୟ ସାଢ଼େ ୫ ଘଣ୍ଟା ବିଳମ୍ବରେ ଟ୍ରେନ୍‌ଟି ପୁରୀ ଅଭିମୁଖେ ଯାଇଥିଲା। ତେବେ, ଇଞ୍ଜିନରୁ ବଗି କେମିତି ଅଲଗା ହେଲା, ସେ ନେଇ କାରଣ ଜଣାପଡ଼ି ନାହିଁ।