ପୁରୀ: ଶ୍ରାବଣର ପ୍ରଥମ ସୋମବାର ପୂର୍ବରୁ ଆଜି ଚନ୍ଦନପୁର ଥାନା ଜାନକାଦେଇପୁର ରେଳ ଷ୍ଟେସନଠାରେ ଅଘଟଣ ଘଟିଛି। ଜନୈକ ବୋଲ୍ବମ୍ ଭକ୍ତଙ୍କ ଉପରେ ଟ୍ରେନ୍ ମାଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛ। ମୃତ ବୋଲ୍ବମ୍ ଭକ୍ତ ଅନୁଗୁଳ ଜିଲ୍ଲା ଗୋପାଳପ୍ରସାଦ ଥାନା କୁମୁଣ୍ଡାର ଶ୍ୟାମ ଗୋଚ୍ଛାୟତଙ୍କ ପୁଅ ଅରକ୍ଷିତ ଗୋଚ୍ଛାୟତ (୩୦)। ଆଜି ରାତିରେ ଏହି ଅଘଟଣ ଘଟିଛି। ମିଳିଥିବା ସୂଚନା ମୁତାବକ, ଅରକ୍ଷିତ ଆଜି ଚନ୍ଦନପୁର ଥାନା ପଛପାର୍ଶ୍ବରୁ ଭାର୍ଗବୀରୁ ପାଣି ଉଠାଇ ବାବା ଲୋକନାଥଙ୍କ ପୀଠରେ ଢାଳିଥାନ୍ତେ। ଆଜି ରାତିରେ ସେ ଶୌଚ ପାଇଁ ଯାଇଥିବା ବେଳେ ହଠାତ୍ କଳିଙ୍ଗ ଉତ୍କଳ ଏକ୍ସପ୍ରେସ (୧୮୪୭୮) ତାଙ୍କ ଉପରେ ମାଡ଼ି ଯାଇଥିଲା।
ଲୋକୋ ପାଇଲଟ୍ ଗାଡ଼ି ଅଟକାଇ ଅନୁଧ୍ୟାନ କରିଥିଲେ ବି ମୃତଦେହ ପାଇନଥିଲେ। ପରେ ଜିଆର୍ପି ଥାନାର ଆଶିଷ କୁମାର ଆଚାର୍ଯ୍ୟ ଓ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ ବେଳେ ମୃତଦେହ ରେଳଲାଇନ୍ରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଚନ୍ଦନପୁର ଥାନାକୁ ଜିଆର୍ପି ପୁଲିସ ଖବର ଦେବାରୁ ଚନ୍ଦନପୁର ଥାନା ପୁଲିସ ମୃତଦେହକୁ ଜବତ କରିଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଜିଆର୍ପି ଥାନା ସବ୍ଇନ୍ସପେକ୍ଟର ସନ୍ତୋଷ ବାହିନୀପତି କହିଛନ୍ତି, ଯେହେତୁ ଏହା ଶ୍ରାବଣ ମାସ, ବହୁ ସଂଖ୍ୟାରେ ବୋଲ୍ବମ୍ ଭକ୍ତ ଶ୍ରୀକ୍ଷେତ୍ର ଆସିବେ। ଏଣୁ ଯେଉଁ ବୋଲ୍ବମ୍ ଭକ୍ତମାନେ ଆସୁଛନ୍ତି, ସେମାନେ ସତର୍କ ରହିବା ସହ ରେଳଲାଇନ୍ ଆଡ଼କୁ ଶୌଚାଦି କାର୍ଯ୍ୟ ପାଇଁ ନ ଯିବାକୁ ପରାମର୍ଶ ଦେଇଛନ୍ତି।