ଟ୍ରେନ୍ ଲୁଟେରାକୁ କାବୁ କଲା ଆର୍‌ପିଏଫ୍‌ ସ୍ପେସାଲ ଟାସ୍କଫୋର୍ସ, ଲୁଟ୍‌ ସାମଗ୍ରୀ ଉଦ୍ଧାର

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଆର୍‌ପିଏଫ୍‌ ସ୍ପେସ‌ାଲ ଟାସ୍କଫୋର୍ସ ମହାସମୁନ୍ଦର ଜଣେ ଟ୍ରେନ୍‌ ଲୁଟେରା ସୌରଭ ବୁରାଣ୍ଡିକୁ କାବୁ କରିବାରେ ସଫଳ ହୋଇଛି। ଲୁଟେରା ସୌରଭ ନିକଟରୁ ଲୁଟ୍‌ ସାମଗ୍ରୀ ଉଦ୍ଧାର କରାଯାଇଛି। ଉଦ୍ଧାର ସାମଗ୍ରୀ ମଧ୍ୟରେ ଦୁଇଟି ମୋବାଇଲ ଫୋନ, ୯ହଜାର ଟଙ୍କା, ସୁନା ଗହଣା, ୩ଟି ଏଟିଏମ୍‌ କାର୍ଡ ରହିଛି। ଅଭିଯୁକ୍ତ ସୌରଭକୁ ଗତ ୩ ତାରିଖ ଦିନ କୋର୍ଟ ଚାଲାଣ କରିଛି ଟିଟିଲାଗଡ଼ ଜିଆର୍‌ପି।

ଜିଆର୍‌ପି ପୁଲିସ ସୂତ୍ରରୁ ପ୍ରକାଶ ଯେ ଆଜମେର-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଗୁଜରାଟର ଦୀପ୍ତି ଗାନ୍ଧି ନାମ୍ନୀ ଜଣେ ମହିଳା ତାଙ୍କ ବାପା, ମା’ ଓ ଛୁଆ ସହ ଗତ ମାର୍ଚ୍ଚ ୨୪ ତାରିଖ ଦିନ ସୁରଟରୁ ଭୁବନେଶ୍ୱର ଯାଉଥିଲେ। ଏହି ସମୟରେ ଖରିଆର ରୋଡ ଷ୍ଟେସନ ପହଞ୍ଚିବା ପୂର୍ବରୁ ସେ ଧରିଥିବା ଭ୍ୟାନିଟି ବ୍ୟାଗ୍‌କୁ ଜଣେ ଲୁଟେରା ଲୁଟି ନେଇ ଫେରାର୍‌ ହୋଇଯାଇଥିଲା। ଦୀପ୍ତି ଭୁବନେଶ୍ୱର ପହଞ୍ଚିବା ପରେ ଜିଆର୍‌ପି ପୁଲିସ ନିକଟରେ ଅଭିଯୋଗ କରିଥିଲେ। ମାମଲା ଟିଟିଲାଗଡ଼ ଜିଆର୍‌ପିକୁ ସ୍ଥାନାନ୍ତର ହେବା ପରେ ଆର୍‌ପିଏଫ୍‌ର ସ୍ପେସାଲ ଟାସ୍କଫୋର୍ସ ଓ କଣ୍ଟାବାଞ୍ଜି ଜିଆର୍‌ପି ମିଳିତ ଭାବେ ତନାଘନା ଆରମ୍ଭ କରିଥିଲେ। ଉକ୍ତ ଚୋର ମହାସମୁନ୍ଦର ସୌରଭ ବୋଲି ତଦନ୍ତରୁ ଜଣାପଡ଼ିବା ପରେ ସ୍ପେସାଲ ଟାସ୍କଫୋର୍ସର ଏସ୍‌ଆଇ ଏମ.କେ. ସାହୁ, ଆରକ୍ଷକ ଏସ. ବିଶ୍ବାଳ, ଆରକ୍ଷକ ଶମ୍ଭୁ ସାହୁ, ଆରକ୍ଷକ ସତୀଶ କୁମାର, କଣ୍ଟାବାଞ୍ଜି ଜିଆର୍‌ପି ଏସ୍‌ଆଇ ମୋହନ ନାଏକ ଗତ ୨ ତାରିଖ ଦିନ ମହାସମୁନ୍ଦ ଜିଲ୍ଲା ନୟାପଡ଼ାରେ ଚଢ଼ଉ କରିଥିଲେ। ସେଠାରୁ ଅଭିଯୁକ୍ତ ସୌରଭକୁ ଗିରଫ କରି ଟିଟିଲାଗଡ଼ ଆଣିଥିଲେ।

ସମ୍ବନ୍ଧିତ ଖବର