ଟ୍ରେନ୍‌କୁ ଘନ କୁହୁଡ଼ି ଭୟ, ବେଗ କମାଇବାକୁ ନିର୍ଦେଶ

ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମାରେ ଟ୍ରେନ ଚଳାଚଳ ନିରାପତ୍ତାକୁ ପ୍ରାଧାନ୍ୟ ଦେଇ ଘନ କୁହୁଡ଼ି ବେଳେ ଟ୍ରେନର ଗତିକୁ ନିୟନ୍ତ୍ରଣ କରିବାକୁ ଚାଳକଙ୍କୁ କୁହାଯାଇଛି। ଘନ କୁହୁଡି ଅଞ୍ଚଳରେ ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁଥିବା ରଙ୍ଗ ପଟିକୁ ଓଏଚଇ ଖୁଣ୍ଟଗୁଡ଼ିକରେ ଲେଭ୍‌ଲ କ୍ରସିଂ ଓ ବ୍ୟସ୍ତ ବହୁଳ ଯାତାୟାତ ଅଞ୍ଚଳରେ ଥିବା ‘ଟ୍ରେନ ଅଟକିବା ସଂକେତ’ ପୂର୍ବରୁ ଲଗାଇ ଚାଳକଙ୍କୁ ସଜାଗ କରାଯାଉଛି। ଯେହେତୁ ଯାତ୍ରୀଙ୍କ ନିରାପତ୍ତାକୁ ପ୍ରାଥମିକତା ଦିଆଯାଉଛି, ସେଥିପାଇଁ କୁହୁଡ଼ି ସମୟରେ ସାବଧାନତା ଅବଲମ୍ବନ କରାଯିବାକୁ ପ୍ରତି ଟ୍ରେନ ଚାଳକଙ୍କୁ ନିର୍ଦେଶ ଦିଆଯାଇଛି। ଯେତେବେଳେ ଟ୍ରେନ ଚାଳକ ନିଜେ ଅନୁଭବ କରିବେ ଯେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ହେଉନି, ସେତେବେଳେ ସେମାନେ କୌଣସି ଶଙ୍କା ନ କରି ଟ୍ରେନର ବେଗକୁ କମାଇ ପାରିବେ ବା ଚଳାଚଳକୁ ବନ୍ଦ କରିପାରିବେ। ଏହି ସମୟରେ ଟ୍ରେନର ଗତି ଯେପରି ୬୦ କିମି ପ୍ରତି ଘଣ୍ଟା ଅତିକ୍ରମ ନକରେ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ହେଉନଥିବା ଅଞ୍ଚଳଗୁଡ଼ିକରେ କ୍ରମାଗତ ଭାବେ ହୁଇସିଲ୍‌ ମାରିବାକୁ କୁହାଯାଇଛି। ଫଳରେ ପାଖରେ ଥିବା ଗେଟମ୍ୟାନ ଓ ରାସ୍ତା ବ୍ୟବହାରକାରୀ ଟ୍ରେନ ଆସୁଥିବାର ସଙ୍କେତ ଶୁଣିପାରିବେ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ସୁରକ୍ଷା ବିଭାଗ ଅଧିକାରୀଙ୍କୁ କହିଛନ୍ତି ଯେ ଘନ କୁହୁଡ଼ି ସମୟରେ ସୁରକ୍ଷିତ ଟ୍ରେନ ଚଳାଚଳ ପାଇଁ ସର୍ବୋତ୍ତମ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କର। ଟ୍ରେନ ଚାଳକ ଓ ଗାର୍ଡମାନେ ଘନ କୁହୁଡ଼ିରେ ଯଦି ସିଗ୍‌ନାଲଗୁଡ଼ିକୁ ଦେଖିବାକୁ ସକ୍ଷମ ନ ହୁଅନ୍ତି, ତେବେ ସିଗ୍‌ନାଲ ଖୁଣ୍ଟ ପୂର୍ବରୁ ଶବ୍ଦ ସୃଷ୍ଟି କରୁଥିବା ଡିଟୋନେଟରକୁ ପ୍ରୟୋଗ କରାଯାଉଛି। ଷ୍ଟେସନ ମ୍ୟାନେଜରଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଡିଟୋନେଟର ଯୋଗାଇ ଦିଆଯାଇ ଘନ କୁହୁଡ଼ି ଥିବା ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ବ୍ୟବହାର କରିବାକୁ କୁହାଯାଇଛି। ଟ୍ରେନ ଚାଳକମାନଙ୍କୁ ସଂକେତ ଦେବା ପାଇଁ ଡିଟୋନେଟର ପ୍ରୟୋଗ କରିବାକୁ ଷ୍ଟେସନ, କେବିନ ଓ ଗେଟଗୁଡ଼ିକରେ ଥିବା କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ସଠିକ ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

ଘନ କୁହୁଡ଼ି ଅଞ୍ଚଳରେ ଟ୍ରେନ ଚାଳକମାନେ ଯେପରି ସ୍ଥିରୀକୃତ ସ୍ପିଡ ଲିମିଟକୁ ଅତିକ୍ରମ ନ କରିବେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ଟ୍ରେନ ଗାର୍ଡମାନଙ୍କୁ କୁହାଯାଇଛି। ଏଭଳି ପରିସ୍ଥିତିରେ ସଂକେତ ପାଇଁ ରେଳବାଇ ପକ୍ଷରୁ ଅନୁମୋଦିତ ଡିଜାଇନର ରେଡ୍‌ ଟେଲ୍‌ ଧପଧପି ଲ୍ୟାମ୍ପକୁ ଟ୍ରେନଗୁଡ଼ିକର ପଛରେ ଲଗାଯାଇଛି। ଫଳରେ ପଛରୁ ଆସୁଥିବା ଟ୍ରେନ ଆଗରେ ଥିବା ଟ୍ରେନର ସ୍ଥିତିକୁ ଦେଖିପାରିବ। କୁହୁଡ଼ି ସମୟରେ ଦିନରେ ମଧ୍ୟ ଧପଧପି ଏଲଇଡି ଲ୍ୟାମ୍ପ ବ୍ୟବହାର କରିବାକୁ ଗାର୍ଡମାନଙ୍କୁ କୁହାଯାଇଛି। ଜଗୁଆଳି ଥିବା ଲେଭ୍‌ଲ କ୍ରସିଂ ଗେଟ୍‌ରେ ବ୍ୟାରିୟରରେ ଚକମକି ସଂକେତ ଚିହ୍ନ ପ୍ରୟୋଗ କରାଯାଇଛି। ସେହିପରି ଟ୍ରେନ ପଛ ଡବାରେ ଏହିଭଳି ସଂକେତ ଚିହ୍ନକୁ ମଧ୍ୟ ଉପଯୋଗ ହୋଇଛି। ଘନ କୁହୁଡି ସୃଷ୍ଟି ହେଉଥିବା ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ପାଟ୍ରୋଲିଂ କରିବା ପାଇଁ ରେଳ କର୍ମଚାରୀଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର