ଭୁବନେଶ୍ବର: ଘରୋଇ ଟ୍ରେନ ଚଳାଚଳ ସମ୍ପର୍କରେ ରେଳବାଇ ମନ୍ତ୍ରଣାଳୟ ପକ୍ଷରୁ ପ୍ରାକ୍ ଆବେଦନକାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୬ ଜଣ ସମ୍ଭାବ୍ୟ ଆବେଦନକାରୀ ଅଂଶଗ୍ରହଣ କରିଥିଲେ। ମନ୍ତ୍ରଣାଳୟ ଏବେ କେତେକ ରୁଟ୍ରେ ଘରୋଇ ଉଦ୍ୟମରେ ଟ୍ରେନ ଚଳାଚଳ ବ୍ୟବସ୍ଥା କରିଛି। ଏହାବ୍ୟତୀତ ଆଉ ୧୦୯ଟି ଲାଇନରେ ୧୫୧ଟି ଆଧୁନିକ ଟ୍ରେନ ଚଳାଚଳର ବ୍ୟବସ୍ଥା ଘରୋଇ ଉଦ୍ୟମରେ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଘରୋଇ ସହଯୋଗ ପାଇଁ ରେଳବାଇ ୧୨ଜଣ ଆବେଦନକାରୀଙ୍କ ଯୋଗ୍ୟତାକୁ ବିଚାରକୁ ନେଇଛି ଏବଂ ସେମାନେ ରେଳଯାତ୍ରୀଙ୍କୁ ସେବା ଯୋଗାଇବାକୁ ଇଚ୍ଛୁକ ଅଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ ଭାରତୀୟ ରେଳବାଇରେ ପ୍ରାୟ ୩୦ ହଜାର କୋଟି ଟଙ୍କା ନିବେଶ ହେବାର ଆଶା କରାଯାଉଛି। ଲୋକଙ୍କୁ ଉତ୍ତମ ରେଳ ସେବା ଯୋଗାଇବା ଲକ୍ଷ୍ୟରେ କରାଯାଉଥିବା ଏହି ପ୍ରକଳ୍ପରେ ଆଧୁନିକ ଟେକ୍ନୋଲୋଜି, ରେଳ କୋଚ୍ ଓ ଇଞ୍ଜିନ ଆଦିର ବ୍ୟବସ୍ଥା କରାଯିବ।
ସମ୍ଭାବ୍ୟ ଆବେଦନକାରୀ ପ୍ରକଳ୍ପ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ। ଏଥିରେ ପ୍ରକଳ୍ପର ରୂପରେଖ, ନିଲାମରେ ଅଂଶଗ୍ରହଣ କରିବାର ନୀତିନିୟମ, ଆବେଦନକାରୀଙ୍କ ଯୋଗ୍ୟତା, ନିଲାମର ପ୍ରକ୍ରିୟା, ରେଳଡବା କ୍ରୟ ଓ ସଂଗ୍ରହ, ଟ୍ରେନ ଚଳାଚଳ, କେଉଁ କେଉଁ ଲାଇନରେ ଏହି ରେଳ ଚଳାଚଳ କରିବ ସେ ସମ୍ପର୍କରେ ବୁଝିଥିଲେ। ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଏହି ପ୍ରକଳ୍ପରେ ଯେଉଁ ସବୁ ଟ୍ରେନ୍ ଚାଲିବ ସେସବୁ ଘରୋଇ ସଂସ୍ଥାମାନେ କିଣିବେ କିମ୍ବା ଲିଜ୍ଭିତ୍ତିରେ ନେବେ। ରେଳ ଚଳାଚଳ କ୍ଷେତ୍ରରେ ଯେଉଁସବୁ ବିପଦ ବା ସମ୍ଭାବ୍ୟ କ୍ଷୟକ୍ଷତି ରହିଛି ତାହାକୁ ସମାନ ଭାବେ ସମ୍ପୃକ୍ତ ଘରୋଇ ପକ୍ଷ ଓ ରେଳବାଇ ଆନୁପାତିକ ଭିତ୍ତିରେ ବହନ କରିବେ। ଆବେଦନକାରୀଙ୍କଠାରୁ ରେଳବାଇ ମନ୍ତ୍ରଣାଳୟ ଯେଉଁ ସବୁ ପ୍ରଶ୍ନ ପାଇଛି ଜୁଲାଇ ୩୧ ସୁଦ୍ଧା ସେସବୁର ଲିଖିତ ଉତ୍ତର ପ୍ରଦାନ କରାଯିବ। ଦ୍ୱିତୀୟ ପ୍ରାକ୍ ଆବେଦନକାରୀ ସମ୍ମିଳନୀ ଆସନ୍ତା ଅଗଷ୍ଟ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/train-1.jpg)