ଭୁବନେଶ୍ୱର: କରୋନା କଟକଣା ବେଳେ ବୈଧତା ସରି ଯାଉଥିବା ଡ୍ରାଇଭିଂ ଓ ଲର୍ଣ୍ଣସ୍ ଲାଇସେନ୍ସର ଅବଧିକୁ ସରକାର ସେପ୍ଟେମ୍ବର ୩୦କୁ ବୃଦ୍ଧି କରିଥିଲେ। ଏ ସଂପର୍କରେ ଗତ ଜୁନ୍ ମାସରେ ସରକାର ବିଧିବଦ୍ଧ ଭାବେ ଘୋଷଣା କରିଥିଲେ। ହେଲେ ଗତ ଦୁଇ ଦିନ ହେବ ବହୁ ସଂଖ୍ୟାରେ ଲୋକେ ଲାଇସେନ୍ସ ନବୀକରଣ ପାଇଁ ଆବେଦନ କରିବାକୁ ବିଭିନ୍ନ ଆରଟିଓରେ ଭିଡ଼ ଜମାଉଛନ୍ତି। ଆଜି ଭୁବନେଶ୍ବରର ଦୁଇଟି ଆରଟିଓ ସମେତ ରାଜ୍ୟର ଅନ୍ୟ କିଛି ଆର୍ଟିଓରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ଭିଡ଼ ନିୟନ୍ତ୍ରଣ କରିବାକୁ କର୍ମଚାରୀ ନାକେଦମ୍ ହୋଇଥିଲେ। ତେଣୁ ପରିବହନ ଆୟୁକ୍ତ ଆଜି ପୁଣିଥରେ ଆର୍ଟିଓମାନଙ୍କୁ ଚିଠି ଲେଖିଛନ୍ତି। ଜୁନ୍ ମାସର ନିର୍ଦ୍ଦେଶନାମା ବାବଦରେ ଲୋକଙ୍କୁ ସଚେତନ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି। ଲୋକମାନେ ଯେପରି ଆରଟିଓ ଅଫିସ୍ ଆସି ଗହଳି ନ କରିବେ, ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ତେବେ ଲାଇସେନ୍ସ ନବୀକରଣ ସଂକ୍ରାନ୍ତୀୟ ବିଜ୍ଞପ୍ତି ସେପ୍ଟେମ୍ବର ୩୦ ପୂର୍ବରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇବ ବୋଲି ସ୍ପଷ୍ଟ କରାଯାଇଛି।
ଅପରପକ୍ଷେ ଆର୍ଟିଓରେ ଭିଡ଼ ହେବା ପଛରେ ବିଭାଗୀୟ ତ୍ରୁଟିକୁ ଲୋକେ ଦାୟୀ କରିଛନ୍ତି। ‘କିଛି ଦିନ ତଳେ ଡ୍ରାଇଭିଂ ଓ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ନୂଆ ସ୍ଲଟ୍ ବୁକିଂ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜୁନ୍ ୨୫ରୁ ଏହା ଆରମ୍ଭ ହେବାର ଥିଲା। ହେଲେ ପରଦିନ ପୁଣି ହଠାତ୍ ବନ୍ଦ କରି ଦିଆଗଲା। ଏଣୁ କେତେବେଳେ କ’ଣ ରାତିଅଧିଆ ନିଷ୍ପତ୍ତି ହେଉଛି, ତାହା ଜାଣି ହେଉନି। ଡ୍ରାଇଭିଂ ଲାଇସେନ୍ସ ନବୀକରଣ ସମୟ ହୋଇଯାଇଛି। ହଠାତ୍ ରାସ୍ତାରେ ଧରି ମୋଟା ଅଙ୍କର ଜରିମାନା କରିବେ କାଳେ, ସେଥିପାଇଁ ଆମେ ଆସିଛୁ’ ବୋଲି ଆରଟିଓରେ ଭିଡ଼ କରିଥିବା ଏକାଧିକ ଚାଳକ କହିଛନ୍ତି।
ସରକାରୀ ଘୋଷଣା ମୁତାବକ, କରୋନା କାଳରେ ଅବଧି ସରି ଯାଉଥିବା ସମସ୍ତ ଲର୍ଣ୍ଣିଂ ଲାଇସେନ୍ସର ଅବଧି ସେପ୍ଟେମ୍ବର ୩୦ ଯାଏଁ ବୈଧ ରହିବ। ମାର୍ଚ୍ଚ ୧୮ ତାରିଖ ପରେ ପରୀକ୍ଷା ପାଇଁ ଦିଆଯାଇଥିବା ସମସ୍ତ ତାରିଖ ବାତିଲ ହୋଇଛି। ଏଥିପାଇଁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇବ। ପୁଣି କେବେ ସ୍ଲଟ୍ ବୁକିଂ ଆରମ୍ଭ ହେବ, ସେ ନେଇସାରଥୀ ପୋର୍ଟଲରେ ବିଜ୍ଞପ୍ତି ପ୍ରକାଶ ପାଇବ। ଯେଉଁ ଫି’ ଅଗ୍ରିମ ପ୍ରଦାନ ହୋଇଛି, ତାହା ବୈଧ ରହିବ। ଏଣୁ କେହି ଆର୍ଟିସ ଅଫିସ୍ ଆସନ୍ତୁ ନାହିଁ ବୋଲି କୁହାଯାଇଛି।