ସୁବ୍ରତ ସ୍ବାଇଁ
କେନ୍ଦୁଝର: ଖଣିଜ ସମ୍ପଦରେ ଭରପୂର କେନ୍ଦୁଝର ଜିଲ୍ଲାର ଖଣି ରାଜସ୍ବରେ ରାଜ୍ୟ ରାଜକୋଷ ସମୃଦ୍ଧ ହେଉଛି। ଏଠାକାର ମାଟି, ପାଣି, ପବନ ସବୁ କିଛି ଏଥିପାଇଁ ପ୍ରଭାବିତ। ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ଜୀବନ ବି ବିପନ୍ନ। ସବୁ କଷଣ ସହୁଥିବା କେନ୍ଦୁଝରିଆଙ୍କ ପେଟ କିନ୍ତୁ ପୂରୁନି। ଧନୀ ଜିଲ୍ଲାର ବିକଳ ଚିତ୍ର ସମସ୍ତଙ୍କୁ ବିଚଳିତ କରୁଛି। ଜିଲ୍ଲାର ମୋଟ ଜନସଂଖ୍ୟାର ପାଖାପାଖି ୮୦ ପ୍ରତିଶତ ରାସନ ଚାଉଳ ଉପରେ ନିର୍ଭରଶୀଳ। ବର୍ଷ ପରେ ବର୍ଷ ଗଡ଼ୁଛି। ମାତ୍ର ଏଠାରେ ଗରିବୀ କମିବା ବଦଳରେ ବଢ଼ି ଚାଲିଛି। ଏବେ ପୁଣି ୧୦ ହଜାର ଗରିବ ପରିବାର ରାସନକାର୍ଡ ପାଇଁ ଆବେଦନ କରିବା ଘଟଣା ବିକାଶକୁ ଉପହାସ କରୁଛି।
ଖଣିପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଥିବା ଜିଲ୍ଲା ଖଣିଜନ୍ୟାସ ପାଣ୍ଠି ଖର୍ଚ୍ଚରେ ହେଳା ହେଉନାହିଁ। ଏ ବାବଦରେ ବର୍ଷକୁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଗତ ୯ବର୍ଷ ଭିତରେ ଏହି ପାଣ୍ଠିରୁ ୪୮୮୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଜିଲ୍ଲାବାସୀଙ୍କ ଜୀବନଧାରଣ ମାନରେ ସୁଧାର ଆସିପାରିନି। ଏହି ଅର୍ଥ କାହା ସ୍ବାର୍ଥରେ ବିନିଯୋଗ କରାଯାଉଛି ବୋଲି ପ୍ରଶ୍ନ ଉଠିଛି। ଏହାସହ କେନ୍ଦୁଝର ଓମ୍ବାଡ୍ସି ପାଣ୍ଠିରୁ ୧୬୦୦ କୋଟି ଧାର ନେଇ ସରକାର ଅନ୍ୟତ୍ର ଖର୍ଚ୍ଚ କରିଛନ୍ତି। ଜିଲ୍ଲାବାସୀଙ୍କ ଏଭଳି ଦୁର୍ଦ୍ଦଶାକୁ ନେଇ ଅସନ୍ତୋଷ ବଢ଼ୁଛି।
କେନ୍ଦୁଝର ଜିଲ୍ଲାର ମୋଟ ଜନସଂଖ୍ୟା ୧୮ ଲକ୍ଷ ୧ ହଜର ୭୩୩। ଏଥିରୁ ୮ ଲକ୍ଷରୁ ଅଧିକ ହେଉଛନ୍ତି ଅନୁସୂଚିତ ଜନଜାତି ବର୍ଗର। ୧୩ଟି ବ୍ଲକ୍ ମଧ୍ୟରୁ ଯୋଡ଼ା, ଚମ୍ପୁଆ, ହରିଚନ୍ଦନପୁର, ହାଟଡିହି, ଝୁମ୍ପୁରା, କେନ୍ଦୁଝର ସଦର ହେଉଛି ଖଣି ପ୍ରଭାବିତ। ଏସବୁ ବ୍ଲକ୍ର ମୋଟ ୮୯ଟି ପଞ୍ଚାୟତ ସିଧାସଳଖ ଖଣି ଦ୍ବାରା ପ୍ରଭାବିତ। ଖଣି ପାଇଁ ଅନେକ ଲୋକେ ସେମାନଙ୍କ ଭିଟାମାଟି ଛାଡ଼ିବା ସହ ସେମାନଙ୍କ ଜୀବନଜୀବିକା ବିପନ୍ନ ହୋଇଛି। କେନ୍ଦୁଝର ଜିଲ୍ଲାରେ ମୋଟ ୩ ଲକ୍ଷ ୯୫ ହଜାର ୫୮୪ଟି ପରିବାରକୁ ରାସନକାର୍ଡ ମିଳିଛି। ୧୪ ଲକ୍ଷ ୭୩ ହଜାର ୮୦୬ଜଣ ରାସନକାର୍ଡ ଉପରେ ନିର୍ଭର କରୁଛନ୍ତି। ଯାହା ଜିଲ୍ଲାର ମୋଟ ଜନସଂଖ୍ୟାର ୮୦ପ୍ରତିଶତରୁ ଅଧିକ।
ଅର୍ଥାତ ଏଠାକାର ୮୦ ପ୍ରତିଶତ ଲୋକେ ଚାଉଳ ମୁଠାଏ ଯୋଗାଡ଼ କରିବାକୁ ମଧ୍ୟ ସମର୍ଥ ନାହାନ୍ତି। ବର୍ତ୍ତମାନ ଆହୁରି ୧୦ ହଜାର ୩୩୬ଟି ପରିବାର ରାସନକାର୍ଡ ପାଇଁ ଆବେଦନ କରିଛନ୍ତି। ଯଦି ନୂତନ ଆବେଦନକାରୀଙ୍କୁ କାର୍ଡ ମିଳିବ ତେବେ ଜିଲ୍ଲାରେ ଆହୁରି ପ୍ରାୟ ୫୦ ହଜାର ଲୋକ ରାସନ ପାଇବେ।
ଡିଏମ୍ଏଫ୍ରୁ ପ୍ରଚୁର ଅର୍ଥ ଖର୍ଚ୍ଚ କରି ଭିତ୍ତିଭୂମି ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଏମିତିକି ଅନେକ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଅନୁଦାନ ବ୍ୟବସ୍ଥା ଥିଲେ ବି କେନ୍ଦୁଝର ଜିଲ୍ଲାରେ ଡିଏମ୍ଏଫ୍ରୁ ଏଥିପାଇଁ ଟଙ୍କା ଖର୍ଚ୍ଚ କରାଯାଉଛି। ଅନ୍ୟ ଜିଲ୍ଲାରେ ମେଡିକାଲ କଲେଜ ନିର୍ମାଣ ପାଇଁ ରାଜ୍ୟ ସରକାର ଅନୁଦାନ ଦେଉଥିବା ବେଳେ କେନ୍ଦୁଝରରେ ମେଡିକାଲ କଲେଜ ପାଇଁ ଡିଏମ୍ଏଫ୍ରୁ ୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ଡିଏମ୍ଏଫ୍ ପାଣ୍ଠି ଅର୍ଥ ଜିଲ୍ଲାବାସୀଙ୍କୁ ଆର୍ଥିକ ସ୍ୱାବଲମ୍ବୀ ଦିଗରେ ବିନିଯୋଗ କରିବାକୁ ଦାବି ହେଉଛି। ପୂର୍ବରୁ ଡିଏମ୍ଏଫ୍ ପାଣ୍ଠି ଅର୍ଥକୁ ଯେଉଁଭଳି ଅପବ୍ୟୟ କରାଯାଇଛି ତା’ର ତଦନ୍ତ କରାଗଲେ ଏକ ବଡ଼ ଦୁର୍ନୀତି ମଧ୍ୟ ସାମ୍ନାକୁ ଆସିପାରନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/omc-mining.jpg)