ହାତୀ ଦେହରେ ବାଜିଛି ୫ ଗୁଳି; ବାରସିଙ୍ଗା ଜଙ୍ଗଲରୁ ମିଳିଲା ଗୁଳିବିଦ୍ଧ ଦନ୍ତା, ଟ୍ରାଙ୍କୁଲାଇଜ ପରେ ଚିକିତ୍ସା ଜାରି

ନରସିଂହପୁର : କଟକ ଜିଲ୍ଲା ବାଲିକିଆରୀ ସଂରକ୍ଷିତ ଜଙ୍ଗଲ ବାରସିଙ୍ଗା ଅଞ୍ଚଳରୁ ଗୁଳିବିଦ୍ଧ ଦନ୍ତାହାତୀକୁ ଉଦ୍ଧାର କରାଯାଇଛି। ଦନ୍ତାର ଡାହାଣପଟ କାନ ପାଖରେ ଗୁଳି ବାଜି ଏକ କ୍ଷତ ହୋଇଥିବାବେଳେ ତା’ ଦେହର ଅନ୍ୟ ୫ଟି ସ୍ଥାନରେ ଗୁଳି ବାଜି କ୍ଷତ ସୃଷ୍ଟି ହୋଇଛି।

ଗତ ଚାରିଦିନ ତଳେ ନରସିଂହପୁର ବନବିଭାଗ ଅନ୍ତର୍ଗତ ନୂଆଗଡ଼ ସଂରକ୍ଷିତ ଜଙ୍ଗଲରେ ଏହି ଦନ୍ତାହାତୀ ଏଣେତେଣେ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ତାକୁ ଉଦ୍ଧାର କରିବାକୁ ବନ ବିଭାଗକୁ ନାକେଦମ୍ ହେବାକୁ ପଡିଥିଲା। ଆଜି ବନ ବିଭାଗ କର୍ମଚାରୀ ମାନେ ନୂଆଗଡ଼ ସଂରକ୍ଷିତ ଜଙ୍ଗଲ କମ୍ପାର୍ଟମେଣ୍ଟ ୩, ଝାଜିବନ୍ଧ ସଂରକ୍ଷିତ ଜଙ୍ଗଲ, ଜୟପୁର ବିଟ ହାଉସ୍‌ ଅଞ୍ଚଳରେ ହାତୀକୁ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଥିଲେ। ଗଲା ୪ ଦିନ ଧରି ବନବିଭାଗ କର୍ମଚାରୀମାନେ ହାତୀକୁ ଉଦ୍ଧାର କରିବାକୁ ଅକ୍ଳାନ୍ତ ପରିଶ୍ରମ ଜାରି ରଖିଥିବାବେଳେ ଆଜି ତାକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା ଆରମ୍ଭ କରିଥିବା ଆଠଗଡ଼ ଡିଏଫ୍‌ଓ ସୁଦର୍ଶନ ଯାଦବ ସୂଚନା ଦେଇଛନ୍ତି।

ହାତୀକୁ ଟ୍ରାଙ୍କୁଲାଇଜ କରି କାବୁ କରାଯିବା ସମୟରେ ଆଠଗଡ଼ ଡିଏଫଓ ଶ୍ରୀ ଯାଦବ, ଏସିଏଫ ଘନଶ୍ୟାମ ମୁଦୁଲି, ସାତକୋଶିଆ ବନ୍ୟପ୍ରାଣୀ ଚିକିତ୍ସକ କିଶୋର କୁମାର ମିଶ୍ର, ନରସିଂହପୁର ପ୍ରାଣୀ ଚିକିତ୍ସକ ବିଜୟ କୁମାର ସେନାପତି, ବନାଧିକାରୀ ପ୍ରଫୁଲ୍ଲ କୁମାର ଦେହୁରୀ, ନୂଆଗଡ଼ ଫରେଷ୍ଟର ବାମନ ଚରଣ ରାଉତଙ୍କ ସମେତ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଉପସ୍ଥିତ ଥିଲେ। ଗଲା ଏକମାସ ତଳେ ଜୟପୁର ସଂରକ୍ଷିତ ଜଙ୍ଗଲରେ ଏକ ଗୁଳିବିଦ୍ଧ ଦନ୍ତାହାତୀକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଥିବାବେଳେ ତା’ର ପରବର୍ତ୍ତୀ ସମୟରେ ମୃତ୍ୟୁ ଘଟିଥିଲା। ସେହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା। ଏବେ ଅଞ୍ଚଳରୁ ପୁଣି ଏକ ଗୁଳିବିଦ୍ଧ ଦନ୍ତାହାତୀ ଉଦ୍ଧାର ହେବା ଘଟଣା ଉଦ୍‌ବେଗର କାରଣ ହୋଇଛି। ଖୁବ୍‌ଶୀଘ୍ର ଏହି ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଡିଏଫ୍‌ଓ ଶ୍ରୀ ଯାଦବ କହିଛନ୍ତି।

ଅନ୍ୟପକ୍ଷରେ, ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ଏଭଳି ହାତୀ ଶିକାରୀଙ୍କ ଉତ୍ପାତ ବଢି ଚାଲିଥିବା ବେଳେ ଘଟଣାପଛର ମାଷ୍ଟରମାଇଣ୍ଡଙ୍କ ପାଖରେ ଏଯାଏ ବନ ବିଭାଗ ପହଞ୍ଚି ପାରିନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର