କେନ୍ଦୁଝର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଟାଉନ ଥାନା ହଳଦିଆଟାଙ୍ଗିରୀ ନିଟକରେ ଏକ ବହୁ ପୁରୁଣା ତେନ୍ତୁଳି ଗଛ ଆଜି ଦିନ ସାଢ଼େ ଗୋଟାଏ ବେଳେ ଭାଙ୍ଗି ପଡ଼ିଥିଲା। ଏହି ସମୟରେ ସେହି ପାଖ ଦେଇ ଯାଉଥିବା ଏକ ଅଟୋ ଉପରେ ଗଛ ପଡ଼ିବାରୁ ସେଥିରେ ଥିବା ବାପପୁଅ ଗୁରୁତର ହୋଇଛନ୍ତି। ଆହତମାନେ ହେଲେ ନରଣପୁର ରୁଗୁଡ଼ିସାହିର ଦୁର୍ଯ୍ୟୋଧନ ବେହେରା (୫୭) ଓ ପୁଅ ଶରତ ବେହେରା(୨୭)। ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅଟୋରେ ବାପପୁଅ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ଘରକୁ ଫେରିବା ବେଳେ ଏହି ଅଘଟଣ ଘଟିଥିଲା। ତେନ୍ତୁଳିଗଛ ଉପରେ ପଡ଼ିବାରୁ ବାପପୁଅ ଅଟୋ ଭିତରେ ଚାପି ହୋଇ ରହିଯାଇଥିଲେ।
ଖବର ପାଇ ଟାଉନ ଥାନା ପୁଲିସ ଏବଂ ସ୍ଥାନୀୟ ଗ୍ରାମବାସୀ ପହଞ୍ଚି ଦଉଡ଼ି ସାହାଯ୍ୟରେ ଉଭୟଙ୍କୁ ଉଦ୍ଧାର କରିଥିଲେ। ଦୁର୍ଯ୍ୟୋଧନ ଚେତାଶୂନ୍ୟ ହୋଇପଡ଼ିଥିବା ବେଳେ ଶରତଙ୍କ ଗୋଡ଼ହାତ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ, ଟାଉନ ଥାନା ପୁଲିସ ଗଛ କାଟି ରାସ୍ତା ସଫା କରିବା ପରେ ଗାଡ଼ିମୋଟର ଚଳାଚଳ ସ୍ବାଭାବିକ ହୋଇଛି। ଆମ୍ବୁଲାନ୍ସରେ ଗୁରୁତର ବାପପୁଅଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସେହିପରି ଅଟୋଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଗୁରୁତରଙ୍କୁ ଚିକିତ୍ସା ସହାୟତା ଯୋଗାଇଦେବାକୁ ଦାବି ହେଉଛି।