କେନ୍ଦୁଝର: ଖଣି ଖନନଠାରୁ ଆରମ୍ଭ କରି କେନାଲ, ରେଳପଥ, ରାସ୍ତା ସମେତ ବିଭିନ୍ନ ଉନ୍ନୟନ କାମ ପାଇଁ ଗଛ କଟାଯାଉଛି। ନିୟମ ଅନୁସାରେ, ଯେତିକି ଗଛ କଟାଯାଉଛି ତା’ର ୧୦ ଗୁଣ ଗଛ ଉକ୍ତ ଅଞ୍ଚଳରେ ଲଗାଯିବା କଥା। କିନ୍ତୁ ଏହାଠାରୁ ଯଥେଷ୍ଟ କମ୍‌ ପରିମାଣର ଗଛ, ତାହା ପୁଣି ଜିଲ୍ଲା ବାହାରେ ଲଗାଯାଉଛି। ଫଳରେ, ସମ୍ପୃକ୍ତ ଅଞ୍ଚଳର ପରିବେଶ ଉପରେ ଏହାର ଗଭୀର ପ୍ରଭାବ ପଡ଼ୁଛି।

Advertisment

କେନ୍ଦୁଝର ଜିଲ୍ଲାର ଗନ୍ଧମାର୍ଦ୍ଦନ ଖଣି ପାଇଁ ୧୧୪୨ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ବ୍ୟବହାର କରାଯାଇଥିବା ବେଳେ ଅନ୍ୟ ୪ଟି ଖଣିକୁ ମିଶାଇଲେ ୩ ହଜାରରୁ ଊର୍ଦ୍ଧ୍ବ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ କାମରେ ବ୍ୟବହାର କରାଯାଇଛି। ନିୟମ ଅନୁସାରେ, ଅଣଜଙ୍ଗଲ ପ୍ରକଳ୍ପ ପୂର୍ବରୁ ପ୍ରଥମେ ଜଙ୍ଗଲ ଜମିରେ ଥିବା ଗଛଗୁଡ଼ିକର ଗଣନା କରାଯିବ। ସମ୍ପୃକ୍ତ ସଂସ୍ଥା ନିକଟସ୍ଥ ଡିଏଫ୍ଓଙ୍କ ନିକଟରେ ଏଥିପାଇଁ ଆବେଦନ କରିବେ। ଏହାପରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ନଚେତ୍‌ ରାଜ୍ୟ ଜଙ୍ଗଲ ବିଭାଗ ଅନୁଧ୍ୟାନ କରି ରିପୋର୍ଟ ଦେବାପରେ ଗଛ କଟାଯାଇ ପ୍ରକଳ୍ପ କାମ ଆରମ୍ଭ ହେବ।

କେନ୍ଦୁଝର ଜିଲ୍ଲାରେ କ୍ଷତିପୂରଣ ବନୀକରଣ ପାଇଁ ଅଣଜଙ୍ଗଲଜମି ନଥିବାରୁ ଜିଲ୍ଲା ବାହାରେ ଅର୍ଥାତ୍‌ କୋରାପୁଟ, ରାୟଗଡ଼‌ା, କଳାହାଣ୍ଡି ଭଳି ଜିଲ୍ଲାର ଅଣଜଙ୍ଗଲ ଜମିରେ ବନୀକରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏଥିରୁ କେବଳ କୋରାପୁଟରେ ଏବେ ୫୬ ହେକ୍ଟର ଅଣଜଙ୍ଗଲ ଜମିରେ ବନୀକରଣ ପାଇଁ କାମ୍ପା ପାଣ୍ଠିରେ ଅର୍ଥରାଶି ଜମା କରାଯାଇଛି। ସେହିପରି ଟାଟା, ଜେଏସ୍‌ଡବ୍ଲ୍ୟୁ, ଡିସି ଜୈନ୍‌, ଆର୍ସେଲର ମିତ୍ତଲ ଠାକୁରାଣୀ ଖଣି ପାଇଁ ହଜାର ହଜାର ପୁରାତନ ଗଛ କଟାଯାଇଛି। ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଡିସି ଜୈନ ଖଣି ପାଇଁ ବୈତରଣୀ ସଂରକ୍ଷିତ ଜଙ୍ଗଲର ୧୯ ହେକ୍ଟର ଜଙ୍ଗଲ ଜମିରେ ଥିବା ୮୩୫୯ଟି ଗଛ କଟାଯାଇଛି। ଏହି ଜଙ୍ଗଲରେ ବ୍ୟାପକ ପରିମାଣର ଶାଳ, ଧଉରା, ଅସନ, ବାହାଡ଼ା, ବର, ଭାଲିଆ, ଚାର, କୁରୁମୁ ଗଛ କଟାଯାଇଥିବାରୁ ପରିବେଶ ଉପରେ ଏହା ପ୍ରଭାବ ପଡ଼ୁଛି। ବନ୍ୟଜନ୍ତୁଙ୍କ ଆଶ୍ରୟସ୍ଥଳୀ ନଷ୍ଟ ହୋଇଛି।

ବାଂଶପାଣିଠାରେ ଖଣି ସମ୍ପ୍ରସାରଣ ପାଇଁ ବୈତରଣୀ (ଏ) ସଂରକ୍ଷିତ ଜଙ୍ଗଲରୁ ୮୭୪୧ଟି ଗଛ କଟାଯିବାକୁ ଥିବାବେଳେ କାନପୁର ମୁଖ୍ୟ କେନାଲ ପାଇଁ ୩୨ହଜାର ଗଛ କଟାଯିବ ବୋଲି ଆକଳନ କରାଯାଇଛି। କେନ୍ଦୁଝରରେ ୧୯୮୦ରୁ ୨୦୧୪ ମଧ୍ୟରେ ମୋଟ୍‌ ୧୪ ହଜାର ୯୭ ହେକ୍ଟର ଜଙ୍ଗଲଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ବ୍ୟବହାର ହୋଇଛି। ସବୁଠୁ ବଡ଼ କଥା ହେଲା, ବର୍ଷବର୍ଷ ଧରି କେନ୍ଦୁଝର ଜିଲ୍ଲାରେ ବାରମ୍ବାର ଜଙ୍ଗଲଜମିରୁ ଗଛ କଟାଯାଉଛି ସେହି ଅନୁପାତରେ ଗଛ ଲଗାଇବା ପାଇଁ ଜିଲ୍ଲାରେ ସେତିକି ଅଣଜଙ୍ଗଲ ଜମିନାହିଁ। ଏଥିପାଇଁ ଜିଲ୍ଲା ରାଜସ୍ବ ବିଭାଗ ପକ୍ଷରୁ ଲ୍ୟାଣ୍ଡବ୍ୟାଙ୍କ ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲେ ବି ତାହା ସଫଳ ହୋଇନାହିଁ। ଲ୍ୟାଣ୍ଡବ୍ୟାଙ୍କ ପାଇଁ ହଜାରେ ହେକ୍ଟର ଜମି ଚିହ୍ନଟ ହୋଇଥିଲେ ବି ଏହି ପ୍ରକ୍ରିୟା ଚୂଡ଼ାନ୍ତ ରୂପ ନେଇପାରି ନାହିଁ। ସେହିପରି କେନ୍ଦୁଝର ଜିଲ୍ଲାରେ ଗୋଟିଏ ସ୍ଥାନରେ ବୃହତ୍‌ ଅଣଜଙ୍ଗଲ ଜମି ମିଳୁନଥିବାରୁ ବନୀକରଣ ସମ୍ଭବ ହୋଇପାରୁ ନଥିବା କୁହାଯାଉଛି।