କଟକ : ହାଇକୋର୍ଟରେ ଆଜି ତିନୋଟି ଫାଶୀ ଦଣ୍ଡ ସଂପର୍କିତ ମାମଲାର ଶୁଣାଣି ଘୁଞ୍ଚିଛି।

Advertisment

ସୂଚନା ଅନୁସାରେ, ବେତନଟୀ ଆଦିବାସୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ନିମ୍ନ ଅଦାଲତଙ୍କ ମୃତ୍ୟୁଦଣ୍ଡକୁ ଚାଲେଞ୍ଜ କରି ଯାମିନୀକାନ୍ତ ମହାନ୍ତ ଦାୟର କରିଥିବା ଅପିଲ ଓ ମୃତ୍ୟୁଦଣ୍ଡ ଅନୁମୋଦନ ସଂପର୍କିତ ରାଜ୍ୟ ସରକାରଙ୍କ ଆବେଦନର ନଭେମ୍ବର ୩୦ରେ ଏକତ୍ର ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି, ବହୁଚର୍ଚ୍ଚିତ ସାଲେପୁର ନାବାଳିକ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ମହମ୍ମଦ ମୁସ୍ତାକ ନିମ୍ନ ଅଦାଲତର ଫାଶୀ ଦଣ୍ଡାଦେଶକୁ ଚାଲେଞ୍ଜ କରି ଦାୟର କରିଥିବା ଅପିଲ୍‌ ସହିତ ମୃତ୍ୟୁଦଣ୍ଡ ଅନୁମୋଦନ ସଂପର୍କିତ ସରକାରଙ୍କ ଆବେଦନର ଡିସେମ୍ବର ୬କୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି। ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ଘଟଣାରେ ୯ଜଣଙ୍କୁ ଫାଶୀ ଦଣ୍ତ ସ˚ପର୍କିତ ମାମଲାର ଡିସେମ୍ବର ୧୪କୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି। ରାୟଗଡ଼ା ଜିଲ୍ଲା ଓ ଦୌରାଜଜ ଅଦାଲତଙ୍କ ୨୦୨୧, ଅକ୍ଟୋବର ୨୧ର ମୃତ୍ୟୁ ଦଣ୍ଡାଦେଶକୁ ଚାଲେଞ୍ଜ କରି ଡେଙ୍ଗୁନ ଶବର, ଦାଷୁନ୍ତ ଶବର, ଅଜନ୍ତା ଶବର, ପ୍ରଧାନ୍ତୁ ଶବର, ଦାଲସା ଶବର, ମାଲକୁ ଶବର, ବୁବୁନା ଶବର, ଲାକିୟା ଶବର, ଇରୁ ଶବରଙ୍କ ଅପିଲ ସହିତ ମୃତ୍ୟଦଣ୍ଡ ଅନୁମୋଦନ ସଂକ୍ରାନ୍ତୀୟ ଆବେଦନର ଏକତ୍ର ଶୁଣାଣି ଚାଲିଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ସମସ୍ତ ମାମଲାର ଶୁଣାଣି କରି ଆଜି ଏପରି ନିର୍ଦ୍ଦେଶ ଦେଇଛନ୍ତି।