ପୁଅର ଚକ୍ଷୁଦାନ କଲେ ଆଦିବାସୀ ଦମ୍ପତି

ବଡ଼ସାହି: ଆଦିବାସୀ ସମାଜରୁ ଏ ଯାଏ ଅନ୍ଧବିଶ୍ବାସ, କୁସଂସ୍କାର ସମ୍ପୂର୍ଣ୍ଣ ଦୂର ହୋଇପାରୁନି। ତେବେ ଏହି ଆଦିବାସୀ ସଂପ୍ରଦାୟର ଜଣେ ଦମ୍ପତି ନିଜ ପୁଅର ଚକ୍ଷୁଦାନ କରି ଅଙ୍ଗଦାନ ସମ୍ପର୍କରେ ନିଜ ସମ୍ପ୍ରଦାୟକୁ ସଚେତନ କରାଇବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏହି ଦମ୍ପତି ହେଲେ ବଡ଼ସାହି ବ୍ଲକ୍‌ ଅନ୍ତର୍ଗତ ଚେଙ୍ଗୁଆ ଗ୍ରାମର ମଙ୍ଗଳୁ ସିଂ ଓ ନିନି ସିଂ। ସେମାନଙ୍କ ଭେଣ୍ଡିଆ ପୁଅ ବବ୍‌ଲୁ (୨୨) କୌଣସି କାରଣରୁ ଗତ ୧୧ ତାରିଖ ଦିନ ବିଷ ପିଇ ଦେଇଥିଲେ। ପୁଅକୁ ସଙ୍ଗେସଙ୍ଗେ ବାଲେଶ୍ଵର ଡାକ୍ତରଖାନା ନିଆଯାଇଥିଲା।

ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଅପରାହ୍ନରେ ବବ୍‌ଲୁର ମୃତ୍ୟୁ ଘଟିଥିଲା। ପୁଅ ସିନା ଚାଲିଗଲା, ହେଲେ ତା‌’ ଆଖିରେ ଆଉ କେହି ଦୁନିଆ ଦେଖିପାରିବ ବୋଲି ଶୋକସନ୍ତପ୍ତ ଦମ୍ପତିଙ୍କୁ ବୁଝାଇଥିଲେ ସେହି ଗ୍ରାମର ଦିଲ୍ଲୀପ ପ୍ରଧାନ, ଗୁଣାକର ସାମଲ, କାର୍ତ୍ତିକ ଚନ୍ଦ୍ର ମାଟିଆ, ଦୟାନିଧି ଗାୟା, ବଳରାମ ଦେହୁରୀ। ଶେଷରେ ପୁଅର ଚକ୍ଷୁଦାନ ପାଇଁ ସେମାନେ ରାଜି ହୋଇଯାଇଥିଲେ। ଏହାପରେ ଆଜି ବାଲେଶ୍ଵର ମେଡିକାଲ କଲେଜରେ ଡାକ୍ତରୀଦଳ ଏହି କାର୍ଯ୍ୟ ସମ୍ପନ୍ନ କରିଥିଲେ। ପରେ ଶବକୁ ଗାଁକୁ ଆଣି ଏକ ଶୋଭାଯାତ୍ରାରେ ନିଆଯିବା ପରେ ସତ୍କାର କରାଯାଇଛି।

ସମ୍ବନ୍ଧିତ ଖବର