ଆଦିବାସୀଙ୍କ ଗଣପର୍ବ ପୁଷ ପୁନେଇ

ଉମରକୋଟ: ଆଦିବାସୀ ପରଂପରା ଯେତିକି ନିଆରା, ସଂସ୍କୃତି ସେତିକି ଭିନ୍ନ। ଋତୁ ଅନୁଯାୟୀ ପର୍ବ ପାଳନ କରୁଥିବା ଆଦିବାସୀ ପୌଷ ମାସରେ ପାଳନ କରିଥାନ୍ତି ପୁଷ ପୁନେଇ। କିନ୍ତୁ ଆଧୁନିକତାର ପ୍ରଭାବରେ ହଜିବାକୁ ବସିଛି ଏହି ପାରମ୍ପରିକ ପର୍ବ। ପୂର୍ବ ଭଳି ଆତ୍ମୀୟତ ଓ ସରସତା ଦେଖିବାକୁ ମିଳୁ ନାହିଁ। କେବଳ ପରମ୍ପରା ରକ୍ଷା ନାଁରେ ବଞ୍ଚିଛି ଏହି ପର୍ବ।

କୃଷି ଭିତ୍ତିକ ପର୍ବ ଭାବେ ପରିଚିତ ପୁଷ ପୁନେଇ। ମନୋରଞ୍ଜନର ସମସ୍ତ ଖୋରାକ ଭରି ରହିଥିଲା ଏହା ପର୍ବରେ। ପିଲାଠୁ ବୁଢ଼ା ସମସ୍ତେ ଏହାର ମଜା ଉଠାଉଥିଲେ। ମାର୍ଗଶୀର ମାସ ଶେଷ ସୁଦ୍ଧା ଧାନ କଟା ଓ ଅମଳ ସରିଯାଏ। ଏହାପରେ ଚାଷୀଙ୍କ ବିଶେଷ କିଛି କାମ ନ ଥାଏ। ତେଣୁ ପୁଷ ପୁନେଇ ପାଳନ ପାଇଁ ଅପେକ୍ଷା କରି ରହୁଥିଲେ ଆଦିବାସୀ। ଧାଙ୍ଗଡ଼ା, ଧାଙ୍ଗିଡ଼ି, ବୟସ୍କ ଓ ବୃଦ୍ଧବୃଦ୍ଧା ଏହି ସମୟରେ ମଉଜ କରୁଥିଲେ। ବିଭିନ୍ନ ପୌରାଣିକ ଚରିତ୍ରରେ ନିଜକୁ ସଜାଇ ପଟୁଆରରେ ବାହାରିବା ଏବଂ ପ୍ରତ୍ୟେକ ଘରକୁ ଯାଇ ଅଭିନୟ କରିବା ଏହି ପର୍ବର ବିଶେଷତ୍ବ। ଘର ମାଲିକ ଖୁସିରେ କିଛି ଧାନ କିମ୍ବା ଚାଉଳ ଦେଇଥାନ୍ତି। ଏଣୁ ପୌଷ ମାସର ଶେଷ ଆଡ଼କୁ ଗାଁ ଗହଳିରେ ପୁଷ ପୁନେଇ ଦଳକୁ ଦେଖିବାକୁ ମିଳେ। ଛୋଟ ପିଲା ଛେରଛେରା ମାଗୁଥିଲେ। ଯୁବକ, ଯୁବତୀ ଏଥିରେ ସାମିଲ ହେଉଥିଲେ। ଏହି ସୁଯୋଗରେ ସେମାନେ ପରସ୍ପରକୁ ଜୀବନସାଥୀ ଭାବେ ପସନ୍ଦ କରିବାର ଗୋଟିଏ ଅବସର ପାଉଥିଲେ। ପରେ ଘର ସଂସାର କରୁଥିଲେ।

ତେଣୁ ଏହାକୁ ଆଦିବାସୀଙ୍କ ଗଣପର୍ବ ଭାବେ ବିବେଚନା କରାଯାଏ। ଭାବର ଆଦାନ ପ୍ରଦାନ ସହ ସମ୍ପର୍କ ସୁଦୃଢ କରିବାର ମାଧ୍ୟମ ଥିଲା ଏହି ପର୍ବ। ହେଲେ ଏବେ ଆଧୁନିକତାର ପ୍ରଭାବ ଆଦିବାସୀଙ୍କ ପୁଷ ପୁନେଇ ଉପରେ ପଡ଼ିଛି। ସହରାଞ୍ଚଳରେ ପୁଷ ପୁନେଇ ଦଳ ଦେଖାଯାଉ ନାହାନ୍ତି। ସହରତଳି ତଥା ଉପକଣ୍ଠ ଅଞ୍ଚଳରେ କେତେକ ଛୋଟ ଶିଶୁ ସନ୍ଧ୍ୟାରେ କାଳୀ ବୋଳିହୋଇ ଡବା ବାଡ଼େଇ ପର୍ବ ପାଳନ କରୁଥିବା ବେଳେ ଗ୍ରାମାଞ୍ଚଳରେ କେତେକ ହାତ ଗଣତି ଦଳ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି।

ସମ୍ବନ୍ଧିତ ଖବର