ପାତ୍ରପୁର : ଖରସ୍ରୋତା ନାଳ ଉପରେ ଏକ ପୋଲ ନିର୍ମାଣ କରିବାକୁ ପ୍ରଶାସନକୁ କହି କହି ଥକିଗଲେ। ଏଥିପାଇଁ ବାରମ୍ବାର ଆନ୍ଦୋଳନ ମଧ୍ୟ ହେବା ସହ ଦାବିପତ୍ର ଦିଆଗଲା। ଏପରିକି ଦୁଇବର୍ଷ ତଳେ ଲଗାଣ ବର୍ଷା ଯୋଗୁଁ ଆନ୍ଦୋଳନର ନେତୃତ୍ବ ନେଇଥିବା ଜଣେ ଯୁବକ ନାଳରେ ଭାସିଯାଇ ପ୍ରାଣ ହରାଇଲେ। ତଥାପି ପ୍ରଶାସନର ଚେତା ପଶିଲାନି କି ଗ୍ରାମବାସୀଙ୍କୁ କୌଣସି ସୁଫଳ ମିଳିଲା ନାହିଁ। ଶେଷରେ ପ୍ରଶାସନ ଉପରୁ ଆସ୍ଥା ଓ ଭରସା ତୁଟିବାରୁ ନିଜ ପ୍ରଚେଷ୍ଟାରେ ଗ୍ରାମବାସୀ ନାଳ ଉପରେ କାଠପୋଲ ନିର୍ମାଣ କରିବାକୁ ବାଧ୍ୟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ବୁରାତାଲ୍ ପଞ୍ଚାୟତ ଅଧୀନ ଆଦିବାସୀ ଅଧ୍ୟୁଷିତ ଗ୍ରାମ କମଳାଖତ (ନୂଆସାହି) ଗ୍ରାମବାସୀଙ୍କ ଏଭଳି ଅଭିନବ ଉଦ୍ୟମ ଚର୍ଚ୍ଚାର ବିଷୟ ପାଲଟିଛି।
ମହେନ୍ଦ୍ରତନୟା ପାହାଡ଼ର ପାଦଦେଶରେ ମହେନ୍ଦ୍ରତନୟା ନଦୀକୁ ଲାଗି କମଳାଖତ ଗ୍ରାମ ସମେତ ୧୫ରୁ ଅଧିକ ଆଦିବାସୀ ଅଧ୍ୟୁଷିତ ଗ୍ରାମ ରହିଛି। ତେବେ ଜାମୁଗଣ୍ଡ ନାଳ ଥିବା କାରଣରୁ କୌଣସି ଗ୍ରାମରେ ପକ୍କାରାସ୍ତା ନିର୍ମାଣ ହୋଇପାରୁନି। ଫଳରେ କମଳାଖତ, ବଡ଼ଅଞ୍ଚୁପା, ସାନଅଞ୍ଚୁପା, ଜେନା ସାହି, ମୁଣ୍ଡେଇସିଙ୍ଗି, କୁଶମଳା, ମଇଁଷିଖତ, ବଡ଼ଚାଚର, ସାନଚାଚର, କାନ୍ତିଗାଁ, ବଡ଼ଅଞ୍ଜାଗୁଲି, ସାନଗାଁ, ସାନଅଞ୍ଜାଙ୍ଗୁଲି, ବିଲୁଗାଁ ଓ ବାତ୍ରାସାହି ଗ୍ରାମବାସୀ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହୁଛନ୍ତି। ଆଉ ଏହି ନାଳକୁ କଷ୍ଟେମଷ୍ଟେ ପାର କରି ବ୍ଲକ୍ ଓ ପଞ୍ଚାୟତ ସଦରମହକୁମାକୁ ଆସନ୍ତି। କିନ୍ତୁ ନାଳରେ ପାଣି ଆସିଗଲେ ଗ୍ରାମବାସୀଙ୍କ ଯନ୍ତ୍ରଣା ବଢ଼ିଯାଏ। ଏପରିକି ତାର ମାଧ୍ୟମରେ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ପାର ହେବାକୁ ପଡ଼ିଥାଏ। ଫଳରେ ଜାମୁଗଣ୍ଡ ନାଳ ଉପରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ବହୁବାର ଗ୍ରାମବାସୀ ଦାବି କରିଆସୁଥିଲେ। ବିଡିଓ ଓ ଜିଲ୍ଲାପାଳଙ୍କ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସତ୍ତ୍ବେ ଏହାକୁ ଗୁରୁତ୍ବର ସହ ନିଆଗଲା ନାହିଁ।
ଦୁଇବର୍ଷ ତଳେ ଏହି ନାଳରେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଓ ଆଦିବାସୀଙ୍କ ଦୁର୍ଦ୍ଦଶା ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ବ୍ଲକ୍ ପ୍ରଶାସନର ଅଧିକାରୀମାନେ ପହଞ୍ଚି ଅନୁଧ୍ୟାନ କରିଥିଲେ। ପ୍ରଥମେ ଏକ ଅସ୍ଥାୟୀ ପୋଲ ଓ ପରବର୍ତ୍ତୀ ସମୟରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ରୂପରେଖ ପ୍ରସ୍ତୁତ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରାଗଲାନି। ଫଳରେ ପ୍ରଶାସନର ପ୍ରତିଶ୍ରୁତି ପାଣିର ଗାର ଓ ଭସା ପ୍ରଶାସନକୁ ଭରସା ନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ଆଉ ନିଜର ସୁରକ୍ଷା ପାଇଁ ନିଜେ ଚାନ୍ଦା ଆଦାୟ କରି ପୋଲ ନିର୍ମାଣ କରିଛନ୍ତି। ପ୍ରାୟ ୩୦ ହଜାର ଟଙ୍କାରେ ନାଳ ମଧ୍ୟରେ ସିମେଣ୍ଟ୍ର ଦୁଇଟି ପିଲର୍ ଉଠାଇଛନ୍ତି। ଏହା ଉପରେ କାଠ ସଜାଇ ପୋଲ ନିର୍ମାଣ କରିଛନ୍ତି। ଏହାଦ୍ବାରା ଛାତ୍ରଛାତ୍ରୀ ଓ ଜନସାଧାରଣ ବେଶ୍ ଉପକୃତ ହୋଇପାରିଛନ୍ତି। ବର୍ଷାକୁ ନଜରରେ ରଖି ଗ୍ରାମବାସୀ ଏହି ପ୍ରୟାସ କରିଛନ୍ତି। ତଥାପି ପ୍ରଶାସନର ନିଦ କେବେ ଭାଙ୍ଗିବ ଏହା ଦେଖିବାକୁ ବାକି ରହିଛି। ସେହିପରି ତୁମ୍ବା ଓ ଆଙ୍କୁଲି ପଞ୍ଚାୟତର ଅନେକ ଗ୍ରାମରେ ବି ଆଜି ପର୍ଯ୍ୟନ୍ତ ପୋଲ ନିର୍ମାଣ ହୋଇପାରିନି। କମଳାଖତ ଗ୍ରାମବାସୀଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।