ସମ୍ବଲପୁର : ‌ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ କରିବା ଦ୍ବାରା ଓଡ଼ିଶାର ଜୀବନରେଖା ମହାନଦୀ ପ୍ରବାହ କିଭଳି ହ୍ରାସ ପାଉଛି, ଆଜି ତାହା ପ୍ରତ୍ୟକ୍ଷ କରିଛନ୍ତି ମହାନଦୀ ଟ୍ରିବ୍ୟୁନାଲ। କେବଳ ସେତିକି ନୁହେଁ, ଅଣ ମୌସୁମୀ ସମୟରେ ମହାନଦୀ ଶୁଖିଲା ରହିବା ଦ୍ବାରା ତଳମୁଣ୍ଡରେ ଜୀବନ ଜୀବିକା କାହିଁକି ଓ କିଭଳି ପ୍ରଭାବିତ ହେଉଛି, ସେ ସଂପର୍କରେ ଆପାତତଃ ତଥ୍ୟ ସଂଗ୍ରହ କରିଛନ୍ତି। ଓଡ଼ିଶା ସରକାର ଆଜି ଏ ସଂକ୍ରାନ୍ତରେ ବିଶଦ ଅବଗତ କରିଥିଲେ ଓ ଟ୍ରିବ୍ୟୁନାଲ ପୂରା ହୀରାକୁଦ ଜଳଭଣ୍ଡାର ଅଞ୍ଚଳକୁ ବୁଲି ରାଜ୍ୟ ସରକାରଙ୍କ ଯୁକ୍ତି ପଛରେ କେତେ ସତ୍ୟତା ରହିଛି, ତାହା ପରଖିଥିଲେ। ସବୁଠାରୁ ବଡ଼ କଥା ହେଲା, ଓଡ଼ିଶାର ଅଧିକାରୀମାନେ ଆଜି ଘଟଣାସ୍ଥଳରେ ହିଁ ଆଉ କିଛି ସଙ୍ଗିନ୍ ଦସ୍ତାବିଜ୍ ଟ୍ରିବ୍ୟୁନାଲଙ୍କ ସାମ୍ନାକୁ ଆଣି ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ ଯେ ମହାନଦୀ ବିରୋଧରେ ଷଡ୍‌ଯନ୍ତ୍ର ଚାଲିଛି। ଓଡ଼ିଶା ଏବେ ଯେତିକି କ୍ଷତିଗ୍ରସ୍ତ ହେଉଛି, ଆସନ୍ତା ଦିନରେ ସ୍ଥିତି ଆହୁରି ଗମ୍ଭୀର ହୋଇପାରେ।

Advertisment

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ୍ ଏଏମ୍ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଆସିଥିବା ପ୍ରାୟ ୫୦ ଜଣିଆ ବିଶାଳ ଟିମ୍‌ ଶନିବାର ସକାଳ ସାଢ଼େ ୮ଟାରେ ବୁର୍ଲା ଆଶୋକ ନିବାସରେ ଏକାଠି ହୋଇଥିଲେ। ଜଷ୍ଟିସ୍ ଖାନୱିଲକରଙ୍କ ସହିତ ଟିମ୍‌ରେ ଆସିଥିବା ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ରବି ରଞ୍ଜନ, ଦିଲ୍ଲୀ ହାଇକୋର୍ଟର ବିଚାରପତି ଇନ୍ଦ୍ରମିତ କୌର କୋଚରଙ୍କ ସମେତ ରେଜିଷ୍ଟ୍ରାର, ୨ ଆସେସର‌୍, ଉଭୟ ରାଜ୍ୟର ବରିଷ୍ଠ ଜଳସଂପଦ ଅଧିକାରୀ, ଆଇନ୍‌ଜୀବୀ ଓ ବୈଷୟିକ ଟିମ୍‌ର ସଦସ୍ୟଙ୍କ ସମ୍ମୁଖରେ ହୀରାକୁଦ ବନ୍ଧ ପ୍ରକଳ୍ପ ଏବଂ ଏହାର କମାଣ୍ଡ ଏରିଆ ସଂପର୍କରେ ପାୱାର ପଏଣ୍ଟ ଜରିଆର ତଥ୍ୟ ଉପସ୍ଥାପନ କରାଯାଇଥିଲା। ପୂର୍ବାହ୍ନ ୧୧ଟାରେ ଟିମ୍‌ ଅଶୋକା ନିବାସରୁ ବାହାରି ହୀରାକୁଦ ମୁଖ୍ୟବନ୍ଧ ସମ୍ମୁଖ ସହିଦ ସ୍ତମ୍ଭ ନିକଟରେ ଅଟକିଥିଲେ। ଏଠାରେ ଟ୍ରିବ୍ୟୁନାଲ ଜଳଭଣ୍ଡାରର ସ୍ଥିତି ନିରୀକ୍ଷଣ କରିଥିଲେ। ଏହା ପରେ ମୁଖ୍ୟବନ୍ଧ ମଝିରେ ପୂର୍ବରୁ ରଖାଯାଇଥିବା ଏକ ବିଶାଳ ମାନଚିତ୍ର ଦେଖାଇ ରାଜ୍ୟର ବଛା ବଛା ଯନ୍ତ୍ରୀ ପ୍ରମାଣ କରାଇଥିଲେ ଯେ ଛତିଶଗଡ଼ ସରକାର ଓଡ଼ିଶା ବିରୋଧରେ ବେଶ୍ କିଛି ବର୍ଷ ଧରି ଅନ୍ୟାୟ କରି ଆସୁଛନ୍ତି। କେତେ ଅଞ୍ଚଳ କିଭଳି ପ୍ରଭାବିତ ହେଉଛି, ଏହାଦ୍ବାରା କେତେ ଜନବସତି ପ୍ରତ୍ୟକ୍ଷ ଭାବେ କ୍ଷତି ସହୁଛନ୍ତି, ସେ ସଂକ୍ରାନ୍ତ ବିଶଦ ତଥ୍ୟ ରଖାଯାଇଥିଲା।

ପରେ ମୁଖ୍ୟବନ୍ଧ ଅପରପାର୍ଶ୍ବ(ହୀରାକୁଦ ସହର ପାର୍ଶ୍ବ)ରେ ଅବସ୍ଥିତ ଜବାହର ଉଦ୍ୟାନରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଏବଂ ଅନ୍ୟମାନେ ସ୍ବର୍ଣ୍ଣଚମ୍ପା ବୃକ୍ଷରୋପଣ କରିଥିଲେ। ଏହା ପାଖରେ ଥିବା ଅପରେସନ୍ ଗ୍ୟାଲେରିକୁ ଯାଇ ହୀରାକୁଦରୁ ମହାନଦୀକୁ ଜଳ ନିଷ୍କାସନ ବ୍ୟବସ୍ଥା ସଂପର୍କରେ ପ୍ରତ୍ୟକ୍ଷ ଭାବେ ଅବଗତ ହୋଇଥିଲେ। ଯନ୍ତ୍ରୀମାନେ ଯେଉଁ ତଥ୍ୟ ରଖିଥିଲେ, ସେସବୁ ସଂପର୍କରେ ବିଶଦ ଅନୁଧ୍ୟାନ କରିଥିଲେ ଟ୍ରିବ୍ୟୁନାଲ। ସେଠାରୁ ଫେରି ବୁର୍ଲା ପାୱାର ହାଉସ୍ ପରିଦର୍ଶନ କରିବା ସହିତ କେମିତି ଜଳ ବିଦ୍ୟୁତ ଉତ୍ପାଦନ ହେଉଛି ସେ ସଂପର୍କରେ ତଥ୍ୟ ନେଇଥିଲେ। ହୀରାକୁଦରେ ଜଳାଭାବ ଯୋଗୁ ଜଳ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେଉଥିବା ଏବଂ ଏହାର ସମସ୍ତ ୭ଟି ୟୁନିଟ୍‌ କାର୍ଯ୍ୟକ୍ଷମ କରାଯାଇପାରୁନଥିବା ସଂପର୍କରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀମାନେ ବିସ୍ତୃତ ତଥ୍ୟ ଦେଇଥିଲେ।

ମଧ୍ୟାହ୍ନ ଭୋଜନ ବିରତି ପରେ ଅପରାହ୍‌ଣ ସାଢ଼େ ୪ଟାରେ ଏହି ବିଶାଳ ଟିମ୍ କିଲାସମାରେ ପହଞ୍ଚିଥିଲେ। ହୀରାକୁଦ ଜଳଭଣ୍ଡାର ଜଳକୁ ଟିକିରା ନଦୀ ଦେଇ ବ୍ରାହ୍ମଣୀ ନଦୀ ସଂଯୋଗ ପ୍ରକଳ୍ପ(ପ୍ରସ୍ତାବିତ) ଅର୍ଥାତ ‘ଟିକରା ଲିଙ୍କ ସ୍ଥାନ ପରିଦର୍ଶନ ସହିତ ରମ୍ପେଲା ମେଗା ଉଠାଜଳସେଚନ ପ୍ରକଳ୍ପ ଅଂଚଳ ବି ନିରୀକ୍ଷଣ କରିଥିଲେ। ୨୪ଟି ସ୍ବତନ୍ତ୍ର ଗାଡ଼ିରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବୁଲୁଥିବା ଏହି ଟିମ୍‌ ସହିତ ସମ୍ବଲପୁର ଜିଲ୍ଲାପାଳ, ଏସ୍‌ପିଙ୍କ ସମେତ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଏବଂ ଓଡ଼ିଶା ଜଳ ସଂପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଟ୍ରିବ୍ୟୁନାଲ ସଦସ୍ୟଙ୍କ ଗସ୍ତ ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ହୀରାକୁଦ ଓ ସମ୍ବଲପୁରର ପର୍ଯ୍ୟଟନ କାର୍ଯ୍ୟକ୍ରମ ଉପରେ କେତେକ କଟକଣା ଜାରି କରାଯାଇଛି। ୧୯ରୁ ୨୪ ତାରିଖ ପର୍ଯ୍ୟନ୍ତ ଜବାହାର ମିନାରକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ ରଖାଯାଇଛି। ସେହିପରି ଜବାହର ଉଦ୍ୟାନ, ରୋ‌ପୱେ ଏବଂ ଗାନ୍ଧୀ ମିନାରକୁ ମଧ୍ୟ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯାଇ ନାହିଁ।