ଭୁବନେଶ୍ୱର: ‘ଅପରେସନ୍ ସିନ୍ଦୂର’ର ସଫଳତା ପରେ ଏହାର ବୀର ଗାଥା ଜଣାଇବାକୁ ଆଜି ଭୁବନେଶ୍ୱରରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଅବସରରେ ତିନି ବାହିନୀର ବୀର ଯବାନଙ୍କୁ ସମ୍ମାନ ଜଣାଇ ରାଜ୍ୟସ୍ତରୀୟ ତ୍ରିରଙ୍ଗା ବାଇକ୍ ଯାତ୍ରା ରାଜଧାନୀ ପରିକ୍ରମା କରିଥିଲା। ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଏହି ତ୍ରିରଙ୍ଗା ବାଇକ୍ ଯାତ୍ରାର ଶୁଭାରମ୍ଭ କରିଥିଲେ। ବୀର ଯବାନଙ୍କ ସମ୍ମାନାର୍ଥେ ନିଜେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ହାତରେ ତ୍ରିରଙ୍ଗା ଧରି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଚଲାଉଥିବା ବାଇକ୍‌ରେ ବସି ସହର ପରିକ୍ରମା କରିଥିଲେ। ତ୍ରିରଙ୍ଗା ବାଇକ୍ ଯାତ୍ରା ଆଜି ସକାଳ ୮ଟାରେ କଳିଙ୍ଗ ଷ୍ଟାଡିୟମଠାରୁ ବାହାରି ଜୟଦେବବିହାର, ପାଲ୍ ହାଇଟ୍ସ, ଆଚାର୍ଯ୍ୟବିହାର, ବାଣୀବିହାର, ରାଜମହଲ ଛକ, ଏଜି ଛକ ହୋଇ ରାଜଭବନ ପର୍ଯ୍ୟନ୍ତ ଯାଇଥିଲା। ମନ୍ତ୍ରୀ, ବିଧାୟକ, ସଚିବ, ପୁଲିସ ବାହିନୀ, ସୁରକ୍ଷା ବାହିନୀ, ଲୋକ ପ୍ରତିନିଧିଙ୍କ ସମେତ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଏହି ରାଲିରେ ସାମିଲ ହୋଇଥିଲେ। ହାତରେ ତ୍ରିରଙ୍ଗା ପତାକା ଧରି ବନ୍ଦେ ମାତରମ୍‌ ନାରା ଦେଇ ସହର ପରିକ୍ରମା କରିଥିଲେ।

Advertisment

ବୀର ଯବାନଙ୍କ ସମ୍ମାନରେ ଉଡ଼ିଲା ତ୍ରିରଙ୍ଗା
ପତାକା ଧରି ବାଇକ୍‌ରେ ବୁଲିଲେ ମୁଖ୍ୟମନ୍ତ୍ରୀ
ସାମିଲ ହେଲେ ମନ୍ତ୍ରୀ, ବିଧାୟକ, ଅଧିକାରୀ
ଆତଙ୍କବାଦ ବିରୋଧରେ ଦେଶର ଅଭିଯାନକୁ ସଶକ୍ତ କରିବ ତ୍ରିରଙ୍ଗାଯାତ୍ରା : ମୁଖ୍ୟମନ୍ତ୍ରୀ

ଏହି ଯାତ୍ରାକୁ ଉଦ୍‌ଘାଟନ ପୂର୍ବକ ମୁଖ୍ୟମନ୍ତ୍ରୀ ସର୍ବପ୍ରଥମେ ମା’ମାନଙ୍କ ସିନ୍ଦୂରର ମର୍ଯ୍ୟାଦା ଓ ସଂକଳ୍ପ ରକ୍ଷା କରିଥିବା ଦେଶର ସ୍ଥଳ, ଜଳ ଓ ଆକାଶ ବାହିନୀର ବୀର ଯବାନଙ୍କୁ ପ୍ରଣାମ ଜଣାଇଥିଲେ। ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଷ୍ଟ୍ରୀୟ ଏକତା, ଅଖଣ୍ଡତା, ସହିଷ୍ଣୁତା ଓ ବନ୍ଧୁତ୍ବର ପ୍ରତୀକ ହେଉଛି ଆମ ଦେଶର ତ୍ରିରଙ୍ଗା। ଶାନ୍ତି ହେଉ ଅବା ଯୁଦ୍ଧ, ତ୍ରିରଙ୍ଗା ସମସ୍ତଙ୍କ ହୃଦୟରେ ଥାଏ। ତ୍ରିରଙ୍ଗା ପ୍ରତ୍ୟେକ ଭାରତୀୟଙ୍କ ଗର୍ବ ଓ ଗୌରବର ପ୍ରତୀକ। ‘ଅପରେସନ୍ ସିନ୍ଦୂର’ର ସଫଳତା ପରେ ଆଜିର ଏହି ତ୍ରିରଙ୍ଗା ବାଇକ୍ ଯାତ୍ରା ଆତଙ୍କବାଦ ବିରୋଧରେ ଦେଶର ଅଭିଯାନକୁ ଆହୁରି ସଶକ୍ତ କରିବ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ଭାରତୀୟ ତ୍ରିରଙ୍ଗା ତଳେ, ଯେତେବେଳେ ଏକଜୁଟ୍ ହେବେ, ସେତେବେଳେ କୌଣସି ଶକ୍ତି ଆମ ବିରୋଧରେ ସଫଳ ହେବେ ନାହିଁ। ତ୍ରିରଙ୍ଗାର ତିନି ରଙ୍ଗ ଆମକୁ ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଆଦର୍ଶରେ ଅନୁପ୍ରାଣିତ କରିଥାଏ। ଗତବର୍ଷ ଅଗଷ୍ଟ ୧୪ରେ ତ୍ରିରଙ୍ଗା ଯାତ୍ରାକୁ ନେଇ ସମସ୍ତଙ୍କ ଭିତରେ ଅଭୂତପୂର୍ବ ଉତ୍ସାହକୁ ଦେଖି ମୁଁ ନିଜେ ମଧ୍ୟ ଉତ୍ସାହିତ ହୋଇଥିଲି। ଆଜି ମଧ୍ୟ ସେହିଭଳି ପରିସ୍ଥିତି ଆସିଛି। ‘ଅପରେସନ୍ ସିନ୍ଦୂର’ର ସଫଳତା, ଆମ ମା’ ଓ ଭଉଣୀମାନଙ୍କ ସଂକଳ୍ପର ସଫଳତା। ‘ଅପରେସନ୍ ସିନ୍ଦୂର’ରୁ ଆମେ ଦୃଢ଼ ନିଶ୍ଚିତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସବୁ ଭାରତୀୟ ନିରାପଦ। ଆବଶ୍ୟକ ପଡ଼ିଲେ ଆମ ପାଇଁ ଶକ୍ତି ପ୍ରଦର୍ଶନ ଯେ ଜରୁରି, ପ୍ରଧାନମନ୍ତ୍ରୀ ‘ଅପରେସନ୍ ସିନ୍ଦୂର’ରେ ଏହା ପ୍ରମାଣିତ କରି ଦେଖାଇଛନ୍ତି। ପରମାଣୁ ଶକ୍ତିର ବ୍ଲାକ୍‌ମେଲିଂକୁ ଭାରତ ଭ୍ରୂକ୍ଷେପ କରିବ ନାହିଁ ବୋଲି ମୋଦୀଙ୍କ ଦୃଢ଼ ଚେତାବନୀ ଆଜି ସାରା ବିଶ୍ବରେ ପ୍ରତିଧ୍ବନିତ ହେଉଛି। ଶତ୍ରୁର ପ୍ରତ୍ୟେକ ଆହ୍ବାନର ଉଚିତ ଜବାବ ଦେବା ପାଇଁ ଆମ ସେନାବାହିନୀ ସଂପୂର୍ଣ୍ଣ ପ୍ରସ୍ତୁତ। ସର୍ବଦା ବିଜୟ ସଂକଳ୍ପ ନେଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସମବାୟ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ,  ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।