ସମ୍ବଲପୁର: ଟ୍ରକ୍ ଚାଳକଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଫୋପାଡ଼ି ଦେଲେ। ରାସ୍ତା କଡ଼ରେ ପଡ଼ି ରହିଥିବା ଦେଖି କେହି ଜଣେ ୧୦୮ ଆମ୍ବୁଲାନ୍ସକୁ ଫୋନ୍କରି ସୂଚନା ଦେଥିଲା। ଆମ୍ବୁଲାନ୍ସ ଘଟଣାସ୍ଥଳକୁ ଯାଇ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରାତି ୧୨ଟା ପାଖାପାଖି ଆଣିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତକଙ୍କ ପାଖରୁ ମିଳିଥିବା ଆଇଡି ଓ ଡିଏଲ୍ରୁ ସେ ଦଶମତୀ କଲୋନିର ବଂଶୀଧର ବେହେରାଙ୍କ ପୁଅ ପ୍ରସାଦ କୁମାର ବେହେରା ବୋଲି ଜଣାପଡ଼ିଛି। ସମ୍ବଲପୁର ସଦର ଥାନା ତୁମ୍ବେସିଂହା ନିକଟରେ କ୍ଷତାକ୍ତ ଅବସ୍ଥାରେ ସେ ପଡ଼ିଥିବା ବେଳେ ୧୦୮ ଆମ୍ବୁଲାନ୍ସ ତାଙ୍କୁ ସେଠାରୁ ଆଣିଥିଲା। ତାଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଛି। ମୁହଁ ଓ ଦେହ ରକ୍ତରେ ଭିଜି ଯାଇଛି। ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା କହା ଯାଉଥିବା ବେଳେ ସେ ଜଣେ ଟ୍ରକ୍ ଚାଳକ ବୋଲି ଜଣାପଡ଼ିଛି। ଶେଷ ଖବର ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇନାହିଁ।