କଳାବାଡ଼ିଆ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥର ଜଗନ୍ନାଥଖୁଣ୍ଟା ସୁବର୍ଣ୍ଣରେଖା କେନାଲ୍‌ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଏକ ଟ୍ରକ୍‌ ୨୫ ଫୁଟ୍‌ ପୋଲ ତଳକୁ ଖସିପଡ଼ିବାରୁ ଡ୍ରାଇଭର୍‌ ଓ ଖଲାସୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ; ଆନ୍ଧ୍ରପ୍ରଦେଶର ପି-୦୭-ଟିଏଫ୍‌-୯୩୮୮ ନମ୍ବର ବିଶିଷ୍ଟ ଏକ ଟ୍ରକ୍‌ ପ୍ଲାଏଉଡ୍‌ ବୋଝେଇ କରି ନେପାଳ ଯାଉଥିଲା। ତେବେ କୌଣସି କାରଣରୁ ଗତକାଲି ରାତି ପ୍ରାୟ ୨ଟା ବେଳେ ଏହା ଜଗନ୍ନାଥଖୁଣ୍ଟା ସୁବର୍ଣ୍ଣରେଖା କେନାଲ୍‌ ପୋଲ ଡିଭାଇଡର୍‌ରେ ପିଟି ହୋଇ ୨୫ ଫୁଟ୍‌ ତଳକୁ ଖସିପଡ଼ିଥିଲା।

Advertisment

କେନାଲ୍‌ ଶଯ୍ୟା ଶୁଖିଲା ଥିବା ଯୋଗୁଁ ଟ୍ରକ୍‌ଟି ଚୂରମାର୍‌ ହୋଇଯାଇଥିଲା। ଗୁରୁତର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ବସୁନ୍ଧରା ଅଞ୍ଚଳର ଡ୍ରାଇଭର୍‌ ଆଜ ନାରାୟାଣା (୫୦) ଏବଂ ଖଲାସୀ ସେହି ଅଞ୍ଚଳର କୟାନା ଚିନାରାଓ (୪୦) ଟ୍ରକ୍‌ ଭିତରେ ଚାପି ହୋଇ ରହିଥିଲେ। ବାଙ୍ଗିରିପୋଷି ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବା ସହ ବାରିପଦା ଡାକ୍ତରଖାନା ନେଇଯାଇଥିଲେ। ହେଲେ, ଏଠାରେ ପହଞ୍ଚିବା ବେଳକୁ ଆଜ ଓ କୟାନାଙ୍କ ମୃତ୍ୟୁ ହୋଇଯାଇଥିଲା। ଏନେଇ ଥାନାରେ ୭୨/୩ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।