ଗୋରୁ ବେପାରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍‌: ୪ ଜଣଙ୍କୁ ଘୋଷାଡ଼ି ନେଲା, ୩ ମୃତ

ବିଶୋଇ: ରାସ୍ତାକଡ଼ରେ ଠିଆ ହୋଇଥିବା ବେଳେ ୪ ଜଣଙ୍କୁ ଖଣ୍ଡେ ବାଟ ଘୋଷାଡ଼ି ନେଲା ଟ୍ରକ୍‌। ଗାଡ଼ି ତଳେ ଚାପିହୋଇ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଜୀବନ ସହ ସଂଗ୍ରାମ କରୁଛନ୍ତି। ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ନୂଆଗାଁ ଛକଠାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମୃତକମାନେ ହେଲେ; ବାଙ୍ଗରିପୋଷି ଥାନା ପଳାଶବଣି ଗ୍ରାମର ସୁକୁରା ମାହାଲି (୫୦), କଦମଡ଼ିହି ଗ୍ରାମର ସାଲଖାନ ହାଁସଦା (୪୧) ଓ ବେଢ଼ାକୁଦର ଗ୍ରାମର ସୁଶାନ୍ତ ମହାନ୍ତ (୪୫)। ଗତକାଲି ରାତି ପ୍ରାୟ ୧୨ଟା ସମୟରେ ୭ ଜଣ ଗୋରୁ ବେପାରୀ ଅଙ୍ଗାରପଦା ହାଟରୁ ଗୋରୁ ନେଇ ସାରସକଣା ଅଞ୍ଚଳକୁ ଫେରୁଥିବା ବେଳେ ୪୯ ନମ୍ବର ଜାତୀୟ ରାଜପଥର ନୂଆଗାଁ ଛକଠାରେ ରାତି ପାଟ୍ରୋଲିଂ ଦାୟିତ୍ବରେ ନିୟୋଜିତ ଥିବା ୨ ଜଣ ପୁଲିସ କର୍ମଚାରୀ ଉକ୍ତ ଗୋରୁ ବେପାରୀଙ୍କୁ ରାସ୍ତାକଡ଼ରେ ଅଟକାଇ ପଚରାଉଚରା କରୁଥିଲେ।

ଏହି ସମୟରେ କୋଲକାତା ଅଭିମୁଖେ ଯାଉଥିବା ଏକ କେମିକାଲ୍‌ ପାଉଡର୍‌ ବୋଝେଇ ଟ୍ରକ୍‌ ଦ୍ରୁତଗତିରେ ସେମାନଙ୍କ ଆଡ଼କୁ ମାଡ଼ି ଆସିଥିଲା। ୩ ଜଣ ରାସ୍ତା ଆରପଟକୁ ଧାଇଁ ରକ୍ଷାପାଇ ଯାଇଥିବା ବେଳେ ଅନ୍ୟ ୪ ଜଣଙ୍କୁ କିଛି ବାଟ ଘୋଷାଡ଼ି ନେଇ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଘଟଣାସ୍ଥଳରେ ୩ ଜଣ ପ୍ରାଣ ହରାଇଥିଲେ। ଝାରପୋଖରିଆ ଥାନା ସିଲିଫଡ଼ି ଗ୍ରାମର ଦୁର୍ଗାଚରଣ ନାଏକ (୫୦)ଙ୍କୁ ବିଶୋଇ ଅଗ୍ନିଶମ ବିଭାଗ କର୍ମଚାରୀ ଗାଡ଼ି ତଳୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଏ ସଂକ୍ରାନ୍ତରେ ବିଶୋଇ ଥାନା କେସ୍‌ ନଂ ୬୦/୨୨ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭର ବିହାର ଛେପରା ଥାନା ବାରାଗୋପାଲ ଗ୍ରାମର ୱାକିଲ ରାୟ (୩୩)କୁ ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର