ଅଙ୍ଗୁର ବୋଝେଇ ଟ୍ରକ ଓଲଟିଲା

ତେଲକୋଇ/ଜଗମୋହନପୁର : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ୪୯ ନମ୍ବର ଜାତୀୟ ରାଜପଥର ଜଗମୋହନପୁର ଛକରେ ତ୍ରୁଟିପୂର୍ଣ୍ଣ ହମ୍ପସ୍‌ ପାଇଁ ବାରମ୍ବାର ଦୁର୍ଘଟଣା ଘଟୁଛି। ଆଜି ଭୋର ସାଢ଼େ ୩ଟାବେଳେ ଏକ ଅଙ୍ଗୁର ବୋଝେଇ ଟ୍ରକ୍‌ ଓଲଟିବା ଯୋଗୁଁ ଦୁଇଜଣ ଆହତ ହୋଇଛନ୍ତି। ଏକ ଟ୍ରକ୍‌ (ଏମ୍‌ଏଚ୍-୧୩- ଏଏକ୍ସ-୪୯୫୨)ରେ ଅଙ୍ଗୁର ବୋଝେଇ ହୋଇ ମହାରାଷ୍ଟ୍ରର ଶୋଲାପୁରରୁ ଝାଡ଼ଖଣ୍ଡର ଟାଟାନଗର ଯାଉଥିଲା। ଜଗମୋହନପୁରଛକର ହମ୍ପସ୍‌ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଦୁର୍ଘଟଣାରେ ଗାଡ଼ି ଚାଳକ ସନ୍ତୋଷ ଗୁଗଲି (୫୦) ଓ ସହଯୋଗୀ ଅନସୁର ବୁଲ୍‌ଟି (୪୨) ଆହତ ହୋଇଛନ୍ତି। ଖବର ପାଇ ତେଲକୋଇ ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛି। ଏଠାରେ ତ୍ରୁଟିପୂର୍ଣ୍ଣ ହମ୍ପସ୍‌ ନିର୍ମାଣ କରାଯାଇଥିବା ବେଳେ କୌଣସି ସୂଚନାଫଳକ ଲଗାଯାଇ ନାହିଁ। ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଏନ୍‌ଏଚ୍‌ଏଆଇ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାପାଇଁ ସମାଜସେବୀ କୈଳାସ ଚନ୍ଦ୍ର ପ୍ରଧାନ, ଅନନ୍ତ ଚରଣ ସାହୁ, ଲକ୍ଷ୍ମୀଧର ପଟ୍ଟନାୟକ, ଲକ୍ଷ୍ମୀଧର ପ୍ରଧାନ, ଦ୍ବିତୀକୃଷ୍ଣ ପ୍ରଧାନ, ପ୍ରମୋଦ କୁମାର ସାହୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର