ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ଫ୍ଲାଏଓଭର ନିକଟରେ ଏକ ଟ୍ରକ୍ ବାଇକ୍ ଉପରେ ଚଢ଼ିଯିବାରୁ ଡିଏଭି ସ୍କୁଲର ଦୁଇ ଜଣ ଛାତ୍ର ଓ ଜଣେ ଅଭିଭାବକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ହେଲେ ଆଜାଦ ବସ୍ତିର କ୍ରିଷ୍ଣା ଭୁସାଲ (୪୦), ତାଙ୍କ ପୁଅ ନିକିତ ଭୁସାଲ (୫) ଓ ଅନ୍ୟ ଜଣେ ଛାତ୍ର ଗଣେଶ ଶର୍ମା (୯)। ନିକିତ ୟୁକେଜି ଓ ଗଣେଶ ପ୍ରଥମ ଶ୍ରେଣୀରେ ପଢ଼ୁଥିଲେ। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ସୋମବାର ସକାଳେ କ୍ରିଷ୍ଣା ତାଙ୍କ ପୁଅ ନିକିତ ଓ ପଡୋଶୀ ସନ୍ତୋଷ ଶର୍ମାଙ୍କ ପୁଅ ଗଣେଶଙ୍କୁ ବାଇକ୍ରେ ବସାଇ ସ୍କୁଲକୁ ଛାଡ଼ିବା ପାଇଁ ଯାଉଥିଲେ। ସ୍କୁଲଠାରୁ ଅନତି ଦୂର ଫ୍ଲାଏଓଭର ରାସ୍ତାରେ ଏକ ଅଜଣା ଟ୍ରକ୍ ତାଙ୍କ ବାଇକ୍ ଉପରେ ଚଢ଼ିଯିବା ସହ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଫଳରେ ଘଟଣାସ୍ଥଳରେ ତିନିଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଦୁର୍ଘଟଣାସ୍ଥଳରେ କ୍ରିଷ୍ଣାଙ୍କ ହେଲମେଟ୍, ଛାତ୍ରଦ୍ବୟଙ୍କ ପାଣି ବୋତଲ, ସ୍କୁଲ୍ ବ୍ୟାଗ ଓ ଶରୀରର ଖଣ୍ଡବିଖଣ୍ଡିତ ଅଂଶ ପଡ଼ିଥିବା ଦେଖି ଲୋକମାନେ କ୍ରୋଧ ସମ୍ବରଣ କରି ପାରିନଥିଲେ। କ୍ଷତିପୂରଣ ଦାବିରେ ସେଠାରେ ରାସ୍ତା ଅବରୋଧ କରିଥିଲେ। ମୁଖ୍ୟରାସ୍ତା କଡ଼ରେ ବ୍ୟାରିକେଡ୍, ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସର୍ଭିସ୍ ରୋଡ୍, ସ୍କୁଲ ସମୟରେ ଫ୍ଲାଏଓଭରଠାରୁ ସ୍କୁଲ ପର୍ଯ୍ୟନ୍ତ ସୁରକ୍ଷାକର୍ମୀ ମୁତୟନ, ସକାଳ ୬ରୁ ୯ ଓ ମଧ୍ୟାହ୍ନ ୧୨ରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ବନ୍ଦ କରିବା ଓ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଲୋକେ ଦାବି କରିଥିଲେ। ବଡ଼ବିଲ ତହସିଲଦାର ଡି.ଏସ୍.ଯୋଶୀ ମୃତକଙ୍କ ପରିବାରରୁ ଦୁଇଜଣକୁ କମ୍ପାନିରେ ନିଯୁକ୍ତି, ମୃତକଙ୍କ ପରିବାରର ଅନ୍ୟ ଛାତ୍ରଛାତ୍ରୀଙ୍କୁ ଡିଏଭି କିମ୍ବା ସେଣ୍ଟ ଟେରେସା ସ୍କୁଲରେ ନିଃଶୁଳ୍କ ପାଠପଢ଼ା ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କ୍ରିଷ୍ଣା ଭୁସାଲ କାର୍ଯ୍ୟ କରୁଥିବା ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନି ଓ ଯୋଡ଼ା ଟ୍ରକ୍ ମାଲିକ ସଂଘ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ପରେ ଅପରାହ୍ଣ ଗୋଟାଏ ବେଳେ ରାସ୍ତା ଅବରୋଧ ପ୍ରତ୍ୟାହାର ହୋଇଥିଲା।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ମୃତକଙ୍କ ପରିବାରକୁ ତୁରନ୍ତ ୩୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ହିଟ୍ ଆଣ୍ଡ ରନ୍ ମାମଲାରେ ସୋଲାସିୟମ ଯୋଜନାରେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ବ୍ୟବସ୍ଥା କରାଯାଇଛି। ମୃତ କ୍ରିଷ୍ଣା ଭୁସାଲଙ୍କ ପୁଅ ନିଶାଲ ଓ ଗଣେଶ ଶର୍ମାଙ୍କ ଭାଇ ଆଦିତ୍ୟଙ୍କୁ ଟାଟା ଡିଏଭିରେ ମାଗଣା ପାଠ ପଢ଼ାଇବାର ବ୍ୟବସ୍ଥା କରାଯାଇଛି।