ହାତୀ ମୃତ୍ୟୁ ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ: ୫ ବର୍ଷରେ ୧୪ଟି ଶିକାର ମାମଲା ରୁଜୁ

ପ୍ରସ୍ତୁତ ହୋଇଛି କାର୍ଯ୍ୟାନ୍ବୟନ ଚିଠା ରୂପରେଖ

କଟକ : ରାଜ୍ୟରେ ୫ ବର୍ଷରେ ୧୪ଟି ହାତୀ ଶିକାର ନେଇ ମାମଲା ରୁଜୁ ହୋଇଛି। ୨୦୧୮ରେ ଆଠଗଡ଼ ଡିଭିଜନରେ ତିନୋଟି, ଢେଙ୍କାନାଳରେ ଗୋଟିଏ, ୨୦୧୯ରେ ଦେବଗଡ଼ରେ ଗୋଟିଏ, ୨୦୨୦ରେ ସମ୍ବଲପୁର ଓ ବୌଦ୍ଧ ଡିଭିଜନରେ ଗୋଟିଏ ଲେଖାଏ, ୨୦୨୧ରେ ଢେଙ୍କାନାଳ ଓ ବୌଦ୍ଧରେ ଗୋଟିଏ ଲେଖାଏଁ, ୨୦୨୨ରେ ବୈାଦ୍ଧରେ ଦୁଇଟି, ଆଠଗଡ଼, ସମ୍ବଲପୁର, ଘୁମୁସର (ଉତ୍ତର) ଡିଭିଜନରେ ଗୋଟିଏ ଲେଖାଏଁ ହାତୀ ଶିକାର ମାମଲା ରୁଜୁ ହୋଇଛି। ଅଧିକାଂଶ ମାମଲାରେ ଅଦାଲତରେ ଟ୍ରାଏଲ ଆରମ୍ଭ ହୋଇନାହିଁ। ଏଥିସହିତ ଅଧିକାଂଶ ମାମଲାରେ ୨୦୨୨ରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି। ୨୦୨୨ରେ ରୁଜୁ ହୋଇଥିବା ମାମଲା ମଧ୍ୟରୁ ୨୦୨୨, ଜୁନ୍‌ ୧୪ରେ ଆଠଗଡ଼ ଡିଭିଜନରେ ରୁଜୁ ମାମଲାରେ ଗତ ଅକ୍ଟୋବର ୧ରେ ନରସିଂହପୁର ଜେଏମ୍‌ଏଫ୍‌ସି ଅଦାଲତରେ ଚାର୍ଜସିଟ୍‌ ଦାଖଲ ହୋଇଛି। ଅବଶିଷ୍ଟ ମାମଲାର ତଦନ୍ତ ଚାଲିଛି। ହାଇକୋର୍ଟରେ ହାତୀ ସୁରକ୍ଷା ସଂପର୍କିତ ମାମଲାରେ ଯୁଗ୍ମ ଟାସ୍କଫୋର୍ସ (ଜେଟିଏଫ) ସଦସ୍ୟ ତଥା ଅତିରିକ୍ତ ଏସପି ଜେ‌.କେ.ପଣ୍ଡାଙ୍କ ସତ୍ୟପାଠ ସହିତ ଦାଖଲ ତଥ୍ୟରୁ ଏଭଳି କଥା ସ୍ପଷ୍ଟ ହୋଇଛି।

ସତ୍ୟପାଠରେ ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ସଂପର୍କିତ ତଥ୍ୟ ଦାଖଲ ହୋଇଛି। ୨୦୨୨, ଅଗଷ୍ଟ ୨୫ରୁ ଏ ପର୍ଯ୍ୟନ୍ତ ୧୧ଟି ବିଦ୍ୟୁତ୍‌ ଆଘାତଜନିତ ହାତୀ ମୃତ୍ୟୁ ମାମଲା ରୁଜୁ ହୋଇଥିବା ତଥ୍ୟ ହାଇକୋର୍ଟରେ ଦାଖଲ ହୋଇଛି। ଏଥିସହିତ ‌ ଜେଟିଏଫ୍ ଅଧ୍ୟକ୍ଷ ତଥା ଆବାହକଙ୍କ ତରଫରୁ ମୁଖ୍ୟ ବନ ସଂରକ୍ଷକ ଡକ୍ଟର ମନୋଜ ଭି ନାୟର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ସତ୍ୟପାଠ ସହିତ ୨୦୨୨, ଅକ୍ଟୋବର ୧୯ରେ ହୋଇଥିବା ଜେଟିଏଫ୍‌ ବୈଠକର ବିବରଣୀ ଦାଖଲ କରାଯାଇଛି। ଜେଟିଏଫର ତୃତୀୟ ବୈଠକ ନଭେମ୍ବର ୩ରେ ଅନୁଷ୍ଠିତ ହୋଇଥିବା ବେଳେ ହାତୀଙ୍କ ସୁରକ୍ଷା ପ୍ରସଂଗରେ ଆଲୋଚନା କରାଯାଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ‘ବ୍ୟାପକ ଆକ୍ସନ ପ୍ଲାନ’ ପାଇଁ ଚିଠା ରୂପରେଖ ପ୍ରସ୍ତୁତ କରାଯାଇଛି। ବିଭିନ୍ନ ଡିଭିଜନରୁ ତଥ୍ୟ ସଂଗ୍ରହ, ବିଶେଷଜ୍ଞ ସିଭିଲ ସୋସାଇଟି ସଂସ୍ଥା, ସ୍ଥାନୀୟ ଲୋକଙ୍କ ମତାମତ ଏଥିପାଇଁ ଆବଶ୍ୟକ। ପିସିସିଏଫ ଗତ ସେପ୍ଟେମ୍ବର ୨୨ରେ ଚଳିତ ବର୍ଷ ଶେଷ ସୁଦ୍ଧା ‘ବ୍ୟାପକ ଆକ୍ସନ ପ୍ଲାନ୍‌’ ପ୍ରସ୍ତୁତ କରାଯିବ ବୋଲି ସତ୍ୟପାଠରେ ଉଲ୍ଲେଖ କରିଥିଲେ ବୋଲି ଆଜିର ସତ୍ୟପାଠରେ ଦର୍ଶାଯାଇଛି। ଏଥିପାଇଁ ପ୍ରସ୍ତୁତ କରାଯାଇଥିବା ଚିଠା ରୂପରେଖର ତଥ୍ୟ ମଧ୍ୟ ଆଜି ସତ୍ୟପାଠ ସହିତ ଦାଖଲ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌.ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୫କୁ ଧାର୍ଯ୍ୟ କରିଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ଜେଟିଏଫ ସଦସ୍ୟମାନେ ଭର୍ଚୁଆଲ ମୋଡ୍‌ରେ ଉପସ୍ଥିତ ରହି‌ବେ ବୋଲି ହାଇକୋର୍ଟ କହିଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଅକ୍ଟୋବର ୧୦ରେ ହାଇକୋର୍ଟ ମାମଲାର ଶୁଣାଣି କରି ହାତୀ ମୃତ୍ୟୁ ପ୍ରସଂଗରେ ଉଦ୍‌ବେଗ ପ୍ରକାଶ କରିଥିଲେ। ଯୁଗ୍ମ ଟାସ୍କ୍‌ଫୋର୍ସ (ଜେଟିଏଫ୍) ଆବାହକ ତଥା ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍ ୱାଇଲ୍‌ଡ ଲାଇଫ୍‌)ଙ୍କୁ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟରେ ହାତୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ଆଇନଜୀବୀ ମୃଣାଳିନୀ ପାଢୀ, ବାଳଗୋପାଳ ମିଶ୍ର, ଦ୍ବିଜ ଦଳପତି, ଗୀତା ରାଉତଙ୍କ ଜନସ୍ବାର୍ଥ ଆବେଦନର ଏକତ୍ର ଶୁଣାଣି ଚାଲିଛି। ଆବେଦନକାରୀ ଗୀତା ରାଉତଙ୍କ ତରଫରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର