ଫିରିଙ୍ଗିଆ: କନ୍ଧମାଳଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅଧୀନ ସଲାଗୁଡ଼ା ପଞ୍ଚାୟତ ଡୁମୁରିଗାଟା ଗାଁରେ ବୁଧବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ଗତ ଲଗାଣ ବର୍ଷାରେ ବାଘନଦୀରେ ପ୍ରବଳ ବଢ଼ି ପାଣି ଆସି ଡୁମୁରିଗାଟା ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଏଭଳି ଘଡ଼ିସନ୍ଧି ସମୟରେ ଅସୁସ୍ଥ ୭ ମାସର ଶିଶୁପୁତ୍ରକୁ ବାପାମାଆ ଏକ ହଣ୍ଡାରେ ନଦୀ ପାର କରାଇ ଡାକ୍ତରଖାନା ଆଣିଛନ୍ତି। ଗ୍ରାମର ବିବାନା ମଲ୍ଲିକ ଓ ରେବତୀ ମଲ୍ଲିକଙ୍କ ୭ ମାସର ଶିଶୁପୁତ୍ର ଅସୁସ୍ଥ ହୋଇ ପଡ଼ିଥିଲା। ବାଧ୍ୟ ହୋଇ ବିବାନା, ରେବତୀ ଏବଂ ଗାଁର କିଛି ଲୋକ ଜୀବନକୁ ବାଜି ଲଗାଇ ଭରାନଈରେ ଶିଶୁପୁତ୍ରକୁ ହଣ୍ଡାରେ ନଦୀ ପାର କରାଇ ଗୋଚ୍ଛାପଡ଼ା ଡାକ୍ତରଖାନାକୁ ଆଣିଥିଲେ। ଏହାପୂର୍ବରୁ ଗତ ୨୭ ତାରିଖରେ ଜଣେ ଝିଅକୁ ତାଙ୍କ ବାପା ହଣ୍ଡାରେ ବସାଇ ବାଘନଦୀ ପାର କରାଇବା ଘଟଣା ସାମନାକୁ ଆସିଥିଲା।
ସଲାଗୁଡ଼ା ପଞ୍ଚାୟତ ମୁଖ୍ୟାଳୟଠାରୁ ମାତ୍ର ୧୦ କିଲୋମିଟରରେ ଦୂରରେ ରହିଛି ଡୁମୁରିଗାଟା। ତେବେ ଏହି ଗାଁ’କୁ ବର୍ଷାଦିନେ ଦୁଃଖ ଆଣୁଛି ବାଘନଦୀ। ବର୍ଷାଦିନେ ଅତ୍ୟଧିକ ପାଣି ଆସୁଥିବାରୁ ଗ୍ରାମବାସୀ ନଈ ପାର ହେବା କଷ୍ଟକର ହୋଇପଡ଼ୁଛି। ଗାଁ’ରେ ୧୭ଟି ପରିବାର ବସବାସ କରୁଥିବା ବେଳେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଆଣିବା ସହିତ ସରକାରୀ କାର୍ଯ୍ୟ ପାଇଁ ସଲାଗୁଡ଼ା, ବଦାପାଜୁ ଗୋଛାପଡ଼ା ଏବଂ ବ୍ଲକ୍ ମୁଖ୍ୟାଳୟକୁ ଆସିବାକୁ ପଡ଼ିଥାଏ। ହେଲେ ଜରୁରୀକାଳୀନ ପରିସ୍ଥିତିରେ ଗ୍ରାମବାସୀ ପ୍ରତିବର୍ଷ ବର୍ଷାଦିନେ ବିପଦପୂର୍ଣ୍ଣ ଭାବେ ନଦୀ ପାର ହେଉଛନ୍ତି। ଏଠାରେ ଏକ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ରାଜ୍ୟ ସରକାର ଓ ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ଯଥାଶୀଘ୍ର ପୋଲ ନିର୍ମାଣ କରିବାକୁ ଦାବି ହୋଇଛି।