ଯମଜ ଶିଶୁ ଭୂଇଁରୁ ନ ଉଠିବା ଘଟଣା, ଆଜି ଦିଲ୍ଲୀ ଏମ୍ସ୍ ଯିବେ ଓମ୍‌, ସାଇ

କୁକୁଡ଼ାଖଣ୍ଡି : ଜନ୍ମରୁ ଭୂଇଁରୁ ଉଠି ପାରୁ ନ ଥିବା ଯମଜ ଶିଶୁ ଓମ୍‌ ଓ ସାଇ ଶେଷରେ ଅଧିକ ଚିକିତ୍ସା ନିମନ୍ତେ ଦିଲ୍ଲୀସ୍ଥିତ ଏମ୍ସ୍ ଡାକ୍ତରଖାନାକୁ ଯିବେ। ଆଜି କୁକୁଡ଼ାଖଣ୍ଡି ବ୍ଲକ୍ କାର୍ଯ୍ୟାଳୟ ପରିସରରୁ ଦୁଇ ଯାଆଁଳା ଶିଶୁଙ୍କୁ ଧରି ବାପା କୁଶ ସାହୁ, ମା’ ଝୁମୁରି ଓ ଆଇ ସଞ୍ଜୁ ସାହୁ ଏକ ବୋଲେ‌ରୋ ଯୋଗେ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଛନ୍ତି। ଏସକର୍ଟ ଭାବେ ପି.ମୋହନ ରାଓ ସେମାନଙ୍କ ସହ ଯାଇଛନ୍ତି। ଆସନ୍ତାକାଲି ଭୁବନେଶ୍ୱରରୁ ପୁରୁଷୋତ୍ତମ ଏକ୍ସପ୍ରେସ୍ ଯୋଗେ ସେମାନେ ଦିଲ୍ଲୀ ଯିବେ ବୋଲି କୁକୁଡ଼ାଖଣ୍ଡି ବିଡିଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି।  ବ୍ଲକ୍ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ପ୍ରଦୀପ କୁମାର ପଟ୍ଟନାୟକ, ହିମାଂଶୁ ପାଢ଼ୀ, ସନ୍ତୋଷ ଚୌଧୁରୀ ଓ ସରପଞ୍ଚ ହାଡ଼ୁବନ୍ଧୁ ବେହେରା, କେଶବ ପାତ୍ର, ପିଇଓ ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
କୁକୁଡ଼ାଖଣ୍ଡି ବ୍ଲକ ବୋରିଗାଁର କୁଶ ସାହୁଙ୍କ ଯମଜ ପୁଅ ଓମ୍ ଓ ସାଇ ଜନ୍ମର ୬ ମାସ ପରେ ଭୂଇଁରୁ ଉଠିପାରୁ ନାହାନ୍ତି କି, ସେମାନଙ୍କ ଶରୀର ବିକଶିତ ହେଉନି। କୁଶ ଜଣେ ଦିନମଜୁରିଆ ହୋଇଥିବା ବେଳେ ସମସ୍ତ ସମ୍ପତ୍ତି ବିକ୍ରି କରି ଉଭୟଙ୍କ ଚିକିତ୍ସା କିରିଥିଲେ ସୁଦ୍ଧା କୌଣସି ସୁଫଳ ମିଳ ନ ଥିଲା। ଶେଷରେ କୁଶ ଓ ତାଙ୍କ ପରିବାର ରାଜ୍ୟ ସରକାର ଓ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ।  ଜୀବନ ସହ ସଂଗ୍ରାମ କରୁଥିବା ଯମଜ ଶିଶୁଙ୍କୁ ଅତ୍ୟଧିକ ଚିକିତ୍ସା ନିମନ୍ତେ ଦିଲ୍ଲୀ ଏମ୍ସକୁ ପଠେଇବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବ୍ୟବସ୍ଥା କରିଥିଲେ।  ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ,ସାଂସଦ ଚନ୍ଦ୍ରଶେଖର ସାହୁ, କୁକୁଡ଼ାଖଣ୍ଡି ବିଡିଓ ଗଦାଧର ପାତ୍ର ଓ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର  ଓମ୍ ଓ ସାଇର ଚିକିତ୍ସା ନିମନ୍ତେ ସହଯୋଗର ହାତ ବଢାଇବା ସହ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ଯୋଗାଇଥିଲେ।
ସମ୍ବନ୍ଧିତ ଖବର