ବଲାଙ୍ଗୀର: ଦେଶରେ ଡାଇରି କ୍ଷେତ୍ରରେ ପରିବର୍ତ୍ତନ ଆସିଛି। ଏହି କ୍ଷେତ୍ରରେ ଏବେ ଅଭୂତପୂର୍ବ ଅଭିବୃଦ୍ଧି ଦେଖିବାକୁ ମିଳୁଛି। ଏହା ଦ୍ଵାରା ଗ୍ରାମାଞ୍ଚଳରେ ଅଧିକ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ରଖିବା ସହ ଚାଷୀମାନଙ୍କ ପାଇଁ ଅତିରିକ୍ତ ଆୟ, ରୋଜଗାର ସୃଷ୍ଟି କରିବାର ମାଧ୍ୟମ ହେବ। ବଲାଙ୍ଗୀରଠାରେ ଆୟୋଜିତ ଦୁଇଦିନିଆ ଗୋପାଳନ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବାର୍ତ୍ତାରେ କହିଛନ୍ତି। ସମ୍ମିଳନୀର ଉଦଘାଟନୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତାରେ କହିଛନ୍ତି ଯେ, ଡାଇରି କ୍ଷେତ୍ରରେ ଏବେ ନୂତନ ବିଷୟିକ ଜ୍ଞାନକୌଶଳ, ଉତ୍ପାଦ ଏବଂ ଧାରା ଦେଖିବାକୁ ମିଳିଛି ଯାହା ଯୁବ ଉଦ୍ୟୋଗୀ ଏବଂ ଷ୍ଟାର୍ଟଅପଗୁଡ଼ିକୁ ଏହି କ୍ଷେତ୍ର ପ୍ରତି ଆକର୍ଷିତ କରୁଛି। ଉପଯୁକ୍ତ ନୀତିଗତ ପଦକ୍ଷେପ ଦ୍ଵାରା ରାଜ୍ୟ ସରକାର ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରୁଛନ୍ତି।

Advertisment

ବଲାଙ୍ଗୀରରେ ଏହିଭଳି ସମ୍ମିଳନୀ ଆୟୋଜିତ ହେବା ଆମ ପାଇଁ ଏକ ଖୁସିର ବିଷୟ। ଗୋପାଳନ ବିଶେଷଜ୍ଞ, ପ୍ରାଣୀ ଚିକିତ୍ସକ, ଗବେଷଣା ପ୍ରତିଷ୍ଠାନ, ଦୁଗ୍ଧଚାଷୀ ଏବଂ ଷ୍ଟାର୍ଟଅପଗୁଡ଼ିକ ଲାଗି ଏହି ସମ୍ମିଳନୀ ଏକକ ପ୍ଲାଟଫର୍ମ ହୋଇ ପାରିବ ଏବଂ ଉଭୟ ଜିଲ୍ଲା ଓ ରାଜ୍ୟ ପାଇଁ ନୂତନ ସମ୍ଭାବନା ଆଣିବ ବୋଲି ତାଙ୍କ ବାର୍ତ୍ତାରେ ପ୍ରକାଶ କରିଛନ୍ତି। ବୁଧବାର ବଲାଙ୍ଗୀର କୋଶଳ କଳାମଣ୍ଡଳ ପଡ଼ିଆରେ ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ଓ ବଲାଙ୍ଗୀର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଏହାକୁ ଉଦ୍‌ଘାଟନ କରିବା ସହ ସମ୍ମିଳନୀରେ ଉଦବୋଧନ ଦେଇ ଚାଷୀମାନଙ୍କର ଆୟ ବୃଦ୍ଧି ଦିଗରେ ସରକାର ଯଥେଷ୍ଟ ଗୁରୁତ୍ଵ ପ୍ରଦାନ କରୁଛନ୍ତି ବୋଲି ପ୍ରକାଶ କରିଥିଲେ।

ଡାଇରି କ୍ଷେତ୍ରରେ ଆୟ ବୃଦ୍ଧି ତଥା ରୋଜଗାର ସୃଷ୍ଟିର ସୁଯୋଗ ରହିଛି ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ। ବଲାଙ୍ଗୀର ଜିଲ୍ଲାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇବା ସହ ଚାଷୀମାନେ ଉପକୃତ ହୋଇପାରିଛନ୍ତି ବୋଲି ସେ ପ୍ରକାଶ କରିଥିଲେ। ସମ୍ମିଳନୀରେ ଉତ୍ତରରାଞ୍ଚଳ ରାଜସ୍ୱ କମିସନର ସୁରେଶ ଚନ୍ଦ୍ର ଦଲାଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମ୍ମିଳନୀ ଦ୍ଵାରା ଜିଲ୍ଲାର ଦୁଗ୍ଧ ଚାଷୀମାନେ ଆହୁରି ବୈଷୟିକ ଜ୍ଞାନକୌଶଳ ଆହରଣ କରିବା ସହ ନିଜ ବ୍ୟବସାୟରେ ଉନ୍ନତି ଆଣିପାରିବେ ଓ ଅର୍ଥନୈତିକ ପ୍ରଗତିରେ ସହାୟକ ହୋଇପାରିବେ ବୋଲି ପ୍ରକାଶ କରିଥିଲେ। ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିବା ସହ ନିଜର ବକ୍ତ୍ୟବ୍ୟରେ କହିଛନ୍ତି ଯେ ଏହି ସମ୍ମିଳନୀ ଚାଷୀମାନଙ୍କ ପାଇଁ ପ୍ରେରଣାଦାୟୀ ରହିବ। ଦୁଗ୍ଧ ଉତ୍ପାଦନ ଚାଷୀଙ୍କୁ ଏକ ସ୍ଥାୟୀ ରୋଜଗାର ଯୋଗାଇବା ସହ ସେମାନଙ୍କ ରୋଜଗାରକୁ ଦ୍ଵିଗୁଣିତ କରିବାରେ ସହାୟକ ହୋଇପାରିବ। ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବଲାଙ୍ଗୀର ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ କରିବାର ଲକ୍ଷ୍ୟ ରହିଛି ବୋଲି ସେ ପ୍ରକାଶ କରିଥିଲେ।

publive-image

ଏହି ସମ୍ମିଳନୀ ଦ୍ଵାରା ଦୁଗ୍ଧ ଚାଷୀମାନଙ୍କ ଦକ୍ଷତା ତଥା ଆତ୍ମବିଶ୍ଵାଶ ବୃଦ୍ଧି ପାଇବ ବୋଲି ସେ ପ୍ରକାଶ କରିଥିଲେ। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଆଶିଷ ସିହ୍ନା, ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ସଭାପତି ସୀମା ପଟେଲ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଜିତ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ସଂଘର ଜିଏମ୍‌ ଡ. ସରୋଜ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ଅବସରରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଗୋପାଳନ କ୍ଷେତ୍ର ସହିତ ଜଡ଼ିତ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ନିଜର ମତାମତ ଉପସ୍ଥାପନ କରିଥିଲେ। ଗୋପାଳନ କ୍ଷେତ୍ରରେ ବିକାଶମୂଳକ ଅବଦାନ, ସଫଳତା ପାଇଥିବା ଯୁବ ଉଦ୍ୟୋଗୀମାନଙ୍କୁ ସମ୍ମିଳନୀରେ ସମ୍ମାନିତ କରାଯାଇଥିଲା। ସମ୍ମିଳନୀ ଅବସରରେ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏହାକୁ ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ଉଦ୍‌ଘାଟନ କରିଥିଲେ। ଏଥିରେ ବିଭିନ୍ନ କୃଷି ଉଦ୍ୟୋଗ, ଡାଇରି, ପ୍ରାଣୀ ସମ୍ପଦ ତଥା ପ୍ରାଣୀ ଚିକିତ୍ସା ଇତ୍ୟାଦି ସମ୍ବଳିତ ମୋଟ ୧୩ଟି ପ୍ରଦର୍ଶନୀ ଷ୍ଟଲ ରହିଛି।