ସିମୁଳିଆ: ସିମୁଳିଆ ବ୍ଲକ ପରିସରରେ ଆଜି ବ୍ଲକ ଅଧ୍ୟକ୍ଷ ସହ ସମିତି ସଭ୍ୟଙ୍କ କଥା କଟାକଟିକୁ ନେଇ ସ୍ଥାନୀୟ ବିଜେଡି ଓ ବିଜେପି ସମର୍ଥକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ବ୍ଲକ ପରିସରରେ ଉଭୟପକ୍ଷଙ୍କ ମଧ୍ୟରେ ପେଲାଠେଲା ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ବେଳେ ଉଭୟଙ୍କ ପକ୍ଷରୁ ଏନେଇ ଥାନାରେ ଏତଲା ଦାଏର ହୋଇଥିବା ଦେଖାଯାଇଛି। ମିଳିଥିବା ସୂଚନା ମୁତାବକ ସିମୁଳିଆ ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଆସନ ଏଥର ବିଜେପି ହାତକୁ ଯାଇଥିବାରୁ ସ୍ଥାନୀୟ ବିଡିଓ ଓ କେତେକ ସରକାରୀ କର୍ମଚାରୀ ଶାସକଦଳର ନେତାଙ୍କ ଦ୍ବାରା ପରିଚାଳିତ ହେଉଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।
ଫଳରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ବିଜେଡି ସମର୍ଥକ ସମିତି ସଭ୍ୟ ଗଜେନ୍ଦ୍ର ସେଠୀ ତାଙ୍କ ସମର୍ଥକଙ୍କ ସହିତ ସିମୁଳିଆ ଥାନାରେ ପହଞ୍ଚି ବ୍ଲକ ଅଧ୍ୟକ୍ଷଙ୍କ ପୁତ୍ର ଦୀପକ ସମେତ ୩ ଜଣଙ୍କ ନାମରେ ଏତଲା ଦେଇଥିଲେ। ସେପଟେ ବ୍ଲକ ଅଧ୍ୟକ୍ଷ ବାବାଜୀ ମଲ୍ଲିକ ଓ ତାଙ୍କ ପୁତ୍ରଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା, ଜାତି ଉଦ୍ଦେଶ୍ୟରେ ଗାଳି ଦେବା, ବ୍ଲକକୁ ଆସିବାକୁ ବାରଣ କରିବା ଓ ସରକାରୀ କାର୍ଯ୍ୟରେ ବାଧାଦେବାରୁ ବାଟି ସମିତି ସଭ୍ୟ କାଳନ୍ଦୀ ନାୟକ, ବାଉରିପଦା ସମିତି ସଭ୍ୟ ଗଜେନ୍ଦ୍ର ସେଠୀ ଓ ଜୟନ୍ତ ନାୟକଙ୍କ ସମେତ ୫ ଜଣଙ୍କ ନାମରେ ଏତଲା ଦେଇଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/14-25.jpg)