କେନ୍ଦୁଝର/ହାଟଡିହି : ପରିଣତ ବୟସରେ ମା’ର ଭଲମନ୍ଦ ବୁଝିଲେନି। ରୋଗଶଯ୍ୟାରେ ପଡ଼ିବାରୁ ବୃଦ୍ଧା ମା’ଙ୍କୁ ଡାକ୍ତରଖାନା ନେଲେନି କି ମଲା ପରେ କାନ୍ଧ ଦେବାକୁ ଆସିଲେ ନାହିଁ ଦୁଇପୁଅ। ଶେଷରେ ସ୍ବେଚ୍ଛାସେବୀଙ୍କ ସହାୟତାରେ ବୃଦ୍ଧାଙ୍କ ଶବ ସତ୍କାର କରାଯାଇଛି। ଏମିତି ଏକ ଦୁଃଖଦ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି।

Advertisment

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ନନ୍ଦିପଦା ଗ୍ରାମର ସୁବାସିନୀ ବେହେରା (୭୬)ଙ୍କ ସ୍ବାମୀ ବହୁଦିନରୁ ଆରପାରିକୁ ଗଲେଣି। ସୁବାସିନୀ ପୁଅବୋହୂଙ୍କ ସହ ରହୁଥିଲେ। ତାଙ୍କ ଜଂଘରେ ଏକ ଘା’ ହୋଇଥିଲା। ବର୍ଷେ ଧରି ସେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଡାକ୍ତରଖାନା ନେବା ପାଇଁ ବାରମ୍ବାର ଦୁଇ ପୁଅଙ୍କୁ କହିଥିଲେ ମଧ୍ୟ ସେମାନେ ଶୁଣି ନଥିଲେ। ଜୁନ୍‌ ୩୦ରେ ଚିକିତ୍ସା କରାଇବା ପାଇଁ କହିବାରୁ ପୁଅମାନେ ବିରକ୍ତ ହୋଇଥିଲେ। ‘ତୋ ବାପଘରକୁ ପଳା। ସେଠାରେ ଚିକିତ୍ସିତ ହେବୁ ବୋଲି କହିଥିଲେ।’ ବସ୍‌ରେ ବସାଇ କେନ୍ଦୁଝର ପଠାଇ ଦେଇଥିଲେ। ସୁବାସିନୀ ବସ୍‌ରେ ଆସି କେନ୍ଦୁଝରରେ ଓହ୍ଲାଇବା ପରେ ବହୁ କଷ୍ଟରେ ଅଟୋରେ ବାପଘର ମହାଦେଈଯୋଡ଼ା ଗ୍ରାମରେ ପହଞ୍ଚିଥିଲେ। କୌଣସି ଖବର ନଥାଇ ହଠାତ୍‌ ସୁବାସିନୀ ପହଞ୍ଚିବା ଦେଖି ବାପଘର ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ। ସେ ଅସୁସ୍ଥ ଥିବା ଜାଣି ଭାଇ ଭୋଳାନାଥ ଗିରି ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସୁବାସିନୀଙ୍କ ଦୁଇପୁଅଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେମାନେ ମା’ଙ୍କୁ ଦେଖିବାକୁ ଆସି ନଥିଲେ। ଭୋଳାନାଥ ବା‌ରମ୍ବାର ଫୋନ୍‌ କରିବାକୁ ତାଙ୍କ ନମ୍ବରକୁ ବ୍ଲକ୍‌ କରିଦେଲେ।

publive-image

୧୫ ଦିନ ତଳେ ସୁବାସିନୀଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ଭାଇ ଭୋଳାନାଥ ରହି ଚିକିତ୍ସା ସଂପର୍କରେ ବୁଝୁଥିଲେ। ଗୁରୁବାର ସକାଳେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଭାଇ ଭୋଳାନାଥ ଏକୁଟିଆ କିପରି ମା’ ଶବ ଗାଁକୁ ନେବେ, କ’ଣ କରିବେ କିଛି ବୁଝିପାରି ନଥିଲେ। ମହାଦେଈଯୋଡ଼ାର ସମାଜସେବୀ ସଞ୍ଜୀବ କୁମାର ସାହୁଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ଶ୍ରୀ ସାହୁ ତୁରନ୍ତ କଟକର ସମାଜସେବୀ ଅଭିମନ୍ୟୁ ଦାସ ଓ ଲଳିତ ରାୟଙ୍କୁ ସହଯୋଗ କରିବାପାଇଁ ଅନୁରୋଧ କରିଥିଲେ। ସେମାନେ ଭୋଳାନାଥଙ୍କୁ ସହଯୋଗ କରିବାକୁ ଆଗେଇ ଆସିଥିଲେ। ସ୍ବେଚ୍ଛାସେବୀଙ୍କ ସହଯୋଗରେ କଟକର ଏକ ଶ୍ମଶାନରେ ସୁବାସିନୀଙ୍କୁ ଶେଷକୃତ୍ୟ ସମ୍ପନ୍ନ ହୋଇଛି।