ବିଶ୍ବଜିତ ଦାଶ
ଭୁବନେଶ୍ବର: ଲୋକଙ୍କୁ ଶସ୍ତାରେ ଏବଂ ସୁବିଧାରେ ବିମାନ ଯାତ୍ରା କରିବାର ସୁଯୋଗ ଦେବା ପାଇଁ କେନ୍ଦ୍ର ସରକାର ଅକ୍ଟୋବର ୨୦୧୬ରେ ‘ଉଡେ ଦେଶ୍ କା ଆମ୍ ନାଗରିକ’ (ଉଡାନ୍) ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଆରମ୍ଭ ହେବା ବେଳେ ଏମିତି ପ୍ରଚାର କରାଗଲା ଯେପରି ଲୋକ ଦୂର ସ୍ଥାନକୁ ଆଉ ଟ୍ରେନ୍, ବସ୍ରେ ଯାତାୟତ ନକରି କେବଳ ବିମାନରେ ଯାତ୍ରା କରିବେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଏହି ଯୋଜନା ହେଉଥିବାରୁ ଏହା ସଫଳ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଓଡ଼ିଶାରେ ‘ଉଡାନ୍’ ଯୋଜନା ପୂରା ବାଟବଣା ହୋଇଯାଇଛି। ରାଜ୍ୟରେ ପର୍ଯ୍ୟାୟକ୍ରମେ ୨୧ଟି ଏୟାରଷ୍ଟ୍ରିପ୍ ବା ସହରରୁ ‘ଉଡାନ୍’ ଯୋଜନାରେ ବିମାନ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲେ ବି ଏପର୍ଯ୍ୟନ୍ତ ମାତ୍ର ୨ଟି ବିମାନବନ୍ଦରରୁ ବିମାନ ଉଡ଼ାଣ ହୋଇପାରିଛି।
୨୦୨୬ ସୁଦ୍ଧା ଉଡାନ୍ ଯୋଜନାରେ ୨୨୦ଟି ବିମାନବନ୍ଦରରୁ ୧ହଜାର ରୁଟ୍ରେ ବିମାନ ଚଳାଇବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯୋଜନା କରିଥିଲେ ହେଁ ଗତ ୬ବର୍ଷରେ ୭୦ଟି ବିମାନବନ୍ଦରରୁ ୪୩୯ଟି ରୁଟ୍ରେ ବିମାନ ଉଡ଼ାଣ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାର ଭାଗ ହେଉଛି ୨ଟି ବିମାନବନ୍ଦରରୁ ୧୮ଟି ରୁଟ୍ରେ ବିମାନ ଉଡ଼ାଣ। କିନ୍ତୁ ଏଥିରୁ ୪ଟି ରୁଟ୍ରେ ବିମାନ ଉଡ଼ାଣ ହେଉନି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାରୁ ଏବେ ସୁଦ୍ଧା ୨୧ଟି ବିମାନବନ୍ଦର/ଏୟାରଷ୍ଟ୍ରିପ୍କୁ ‘ଉଡାନ୍’ ଯୋଜନାରେ ସାମିଲ୍ କରିବାକୁ ନିଷ୍ପତ୍ତି ହୋଇଛି। ସେଗୁଡ଼ିକ ହେଲା ଝାରସୁଗୁଡ଼ା, ଜୟପୁର, ରାଉରକେଲା, ଉତ୍କେଲା, ଅମର୍ଦା ରୋଡ୍, ଅନୁଗୁଳ, ବଡ଼ବିଲ, ବୀରସାଲ, ଗୁଡ଼ାରି, ହୀରାକୁଦ, ଜୟାକପୁର, ଲାଞ୍ଜିଗଡ଼, ନୂଆପଡ଼ା, ପଦ୍ମପୁର, ରାଇରଙ୍ଗପୁର, ରାଇସୁଆଁ, ରଙ୍ଗେଇଲୁଣ୍ଡା, ସୁକିନ୍ଦା, ଥେରୁବାଲି, ତୁର୍ସା, କୋଣାର୍କ ଇତ୍ୟାଦି। ହେଲେ ଏବେ ସୁଦ୍ଧା କେବଳ ଝାରସୁଗୁଡ଼ା ଓ ଜୟପୁର ବିମାନବନ୍ଦରରୁ ‘ଉଡାନ୍’ ଯୋଜନାରେ ବିମାନ ଉଡ଼ାଣ ଆରମ୍ଭ ହୋଇପାରିଛି। ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ଝାରସୁଗୁଡ଼ା ବିମାନବନ୍ଦରରୁ ସେପ୍ଟେମ୍ବର ୨୨, ୨୦୧୮ରେ ବିମାନ ଉଡ଼ାଣ ଆରମ୍ଭ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଜୟପୁର ବିମାନବନ୍ଦରରୁ ଅକ୍ଟୋବର ୩୧, ୨୦୨୨ରେ ବିମାନ ଉଡ଼ାଣ ଆରମ୍ଭ ହୋଇଛି। ରାଉରକେଲା ବିମାନବନ୍ଦରରୁ ଖୁବ୍ ଶୀଘ୍ର ବିମାନ ଉଡ଼ାଣ ଆରମ୍ଭ ହେବ। କିନ୍ତୁ ବାକି ସବୁ ଏୟାରଷ୍ଟ୍ରିପ୍କୁ ରାଜ୍ୟ ସରକାର ବିମାନ ଉଡ଼ାଣ ଉପଯୋଗୀ କରିପାରିନାହାନ୍ତି। ଏଠାରୁ କେବେ ବିମାନ ଉଡ଼ାଣ ଆରମ୍ଭ ହେବ ତାହା ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି।
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ‘ଉଡାନ୍’ ଯୋଜନା ଅନୁଯାୟୀ ଏଥିରେ ଯେଉଁ ଏୟାରଷ୍ଟ୍ରିପ୍କୁ ବିମାନବନ୍ଦରରେ ପରିଣତ କରାଯିବ ସେଥିପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ କରିବା ସହ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ କରିବେ। ଯେପରି ବିଦ୍ୟୁତ ଓ ପାଣି ସୁବିଧା ଯୋଗାଇବା, ପାଚେରୀ ଓ ଟର୍ମିନାଲ ବିଲଡିଂ ନିର୍ମାଣ କରିବା, ସୁରକ୍ଷା କର୍ମୀ, ଅଗ୍ନିଶମ କର୍ମଚାରୀ ମୁତୟନ କରିବା ଆଦି କାର୍ଯ୍ୟ ତୁଲାଇବେ। ଏହାବାଦ୍ ଯେତିକି ଲୋକ ଯାତାୟତ କରିବେ ସେଥିପାଇଁ ଯାତ୍ରୀ ଭଡ଼ା ଉପରେ ସବ୍ସିଡି ଦେବେ। ଏହି ଯୋଜନାରେ ବିମାନ ଚଳାଚଳ ସାନ୍ଧ୍ରତା ବଢ଼ାଇବାକୁ ହେଲେ ରାଜ୍ୟ ସରକାରଙ୍କ ପ୍ରମୁଖ ଭୂମିକା ଥିବାରୁ ରାଜ୍ୟ ସରକାର କେଉଁ ଅଞ୍ଚଳକୁ ଗୁରୁତ୍ବ ଦେବେ ତାହା ତାଙ୍କ ଉପରେ ନିର୍ଭର କରୁଛି।
ଅପରପକ୍ଷେ ରାଜ୍ୟ ସରକାର ନିବେଶକମାନଙ୍କୁ ଓଡ଼ିଶାରେ ପୁଞ୍ଜି ଖଟାଇବାକୁ ଆହ୍ବାନ ଦେଉଥିବାବେଳେ ରାଜ୍ୟର ଅଧିକାଂଶ ଅଞ୍ଚଳକୁ ବିମାନ ସଂଯୋଗ ନଥିବାରୁ େଯାଗାଯୋଗରେ ବଡ଼ ସମସ୍ୟା ରହିଛି। ଏପରିକି ପର୍ଯ୍ୟଟକ, ବନ୍ୟଜନ୍ତୁ ଏବଂ ଆଧ୍ୟାତ୍ମିକତା ଦୃଷ୍ଟିକୋଣରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ‘ଉଡାନ୍’ ଯୋଜନାରେ ନିକଟରେ କୋଣାର୍କ, ହୀରାକୁଦ, ମାଲକାନଗିରିରେ ବିମାନବନ୍ଦର କରିବାକୁ ନିଷ୍ପତ୍ତି ହୋଇଛି। ହେଲେ ଏଠାରେ ରାଜ୍ୟ ସରକାର ବିମାନବନ୍ଦର କରିବେ କି ନାହିଁ ତାହା ତାଙ୍କ ଉପରେ ନିର୍ଭର କରୁଛି। ସେହିପରି ‘ଆଞ୍ଚଳିକ ଯୋଗାଯୋଗ ଯୋଜନା- ଉଡାନ୍’ରେ ଭୁବନେଶ୍ବରରୁ ପ୍ରୟାଗରାଜ, ଝାରସୁଗୁଡ଼ାରୁ ହାଇଦ୍ରାବାଦ୍, ଝାରସୁଗୁଡ଼ା-କୋଲକତା, ଝାରସୁଗୁଡ଼ା-ରାୟପୁର, ଝାରସୁଗୁଡ଼ା-ଭୁବନେଶ୍ବର, କୋଲକତା-ଝାରସୁଗୁଡ଼ା, ବାରଣାସୀ-ଭୁବନେଶ୍ବର, ଭୁବନେଶ୍ବର-ଜୟପୁର, ଜୟପୁର-ବିଶାଖାପାଟଣା ମଧ୍ୟରେ ବିମାନ ଯାତାୟତ ପାଇଁ ୯ଟି ରୁଟ୍ (ଯିବାଆସିବା ୧୮ଟି ରୁଟ୍) ଚୂଡ଼ାନ୍ତ ହୋଇଛି। କିନ୍ତୁ ଏଥିରୁ ଝାରସୁଗୁଡ଼ାରୁ କୋଲକତା, ଝାରସୁଗୁଡ଼ାରୁ ରାୟପୁର ରୁଟ୍ରେ ବିମାନ ଯାତାୟତ କରୁନି। ଉଡାନ୍ ଯୋଜନାରେ ଏବେବି ଝାରସୁଗୁଡ଼ାରୁ ୪ଟି ରୁଟ୍ରେ ବିମାନ ଉଡ଼ାଣ କରୁନି। ତେଣୁ ରାଜ୍ୟ ସରକାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ବାରା ଚୟନ ହୋଇଥିବା ୧୯ଟି ବିମାନବନ୍ଦରରୁ କେବେ ବିମାନ ଉଡ଼ାଣ କରୁଛନ୍ତି ତାହାକୁ ଅପେକ୍ଷା।