ଖୋର୍ଦ୍ଧା: ୧୫ ଦିନ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଲ୍ଟ୍ରା ସାଉଣ୍ଡ ଯନ୍ତ୍ର କାର୍ଯ୍ୟକ୍ଷମ ହେବ । ପାଚେରୀ, ଶବ ବ୍ୟବଚ୍ଛେଦ ଗୃହ, ଅତିରିକ୍ତ ଶଯ୍ୟା, ଆଶୁ ଚିକିତ୍ସା ବିଭାଗ, ପରିମଳ ବ୍ୟବସ୍ଥାର ସମାଧାନ ଖୁବ୍ ଶୀଘ୍ର କରାଯିବ ବୋଲି ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିଦେ୍ର୍ଦଶକ ଡା ବିଜୟ ମହାପାତ୍ର୍ର ଖୋର୍ଦ୍ଧା ଗସ୍ତ ସମୟରେ ସ୍ଥାନୀୟ ବିଧାୟକ, ଗଣମାଧ୍ୟମଙ୍କ ଉପସ୍ଥିତିରେ ବରିଷ୍ଠ ନାଗରିକ ପ୍ରତିନିଧିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

Advertisment

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ସମସ୍ୟାର ସମାଧାନ ନେଇ ଆଜି ଠାରୁ ବରିଷ୍ଠ ନାଗରିକଙ୍କ ପକ୍ଷରୁ ସିଡିଏମ୍ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା କାର୍ଯ୍ୟକ୍ରମ ଥିଲା । ଆଜି ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡା ମହାପାତ୍ରଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବରିଷ୍ଠ ନାଗରିକ ପ୍ରତିନିଧିଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଏହାର ଖୁବ୍ ଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ଆଲୋଚନା ସମୟରେ ଡା ମହାପାତ୍ର କହିଛନ୍ତି ଯେ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ରୋଗ (ବହିଃ ବିଭାଗ) ଦିନକୁ ଦୁଇ ବେଳା କାର୍ଯ୍ୟକ୍ଷମ ହେବ । ଏଥିପାଇଁ ସେ ପଦକ୍ଷେପ ନେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ବିଶ୍ୱରଂଜନ ପତିଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ସେହିଭଳି ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠରେ ବହିଃ ବିଭାଗ ଚାଲିବ । ଚିକିତ୍ସାଳୟ ମଧ୍ୟରେ ପରିମଳ ବ୍ୟବସ୍ଥା ପାଇଁ ତୁରନ୍ତ ଜିଲ୍ଲାପାଳ ତଥା ପୌର ପରିଷଦ ଅଧ୍ୟକ୍ଷ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସହ ଆଲୋଚନା କରି ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହ ଆସନ୍ତା ୧୫ ଦିନ ମଧ୍ୟରେ ଚିକିତ୍ସାଳୟରେ ଅଲ୍ଟ୍ରା ସାଉଣ୍ଡ ଯନ୍ତ୍ର କାର୍ଯ୍ୟକ୍ଷମ କରିବାକୁ ମଧ୍ୟ କହିଛନ୍ତି ।
ସେ କହିଛନ୍ତି ଯେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଦାୟିତ୍ୱ ତୁଲାଇବା ବେଳେ ଏକାଧିକ ଧର ପାଚେରୀ ନିର୍ମାଣ ପାଇଁ ସର୍ବେକ୍ଷଣ ହୋଇଛି । ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି ।

ବର୍ତ୍ତମାନ ମଧ୍ୟ ଅନେକ ଥର ସର୍ଭେ ହୋଇଥିବା ସେ ଜାଣିବାକୁ ପାଇଛନ୍ତି, ତେବେ ପାଚେରୀ ନିର୍ମାଣ ନେଇ ମାମଲା ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି । ଏହାକୁ ଦୃଷ୍ଟିରେ ରଖି ବିବାଦୀୟ ସ୍ଥାନରେ ରାସ୍ତା ପାଇଁ ଜାଗା ଛାଡ଼ି ପାଚେରୀ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ ମତ ଦେଇଥିଲେ । ଏହା ଉପରେ ବିଧାୟକ ଶ୍ରୀ ମିତ୍ର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ତୁରନ୍ତ ଏନେଇ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସେହିଭଳି ଶବବ୍ୟବଚ୍ଛେଦ ଗୃହ ନିକଟରେ ଅପେକ୍ଷା ପ୍ରକୋଷ୍ଠ, ପାନୀୟ ଜଳ ବ୍ୟବସ୍ଥା, ଚିକିତ୍ସାଳୟର ଆଶୁ ଚିକିତ୍ସା ବିଭାଗ, ଚିକିତ୍ସାଳୟ ପରିସରକୁ ରକ୍ତ ଭଣ୍ଡାର ସ୍ଥାନାନ୍ତର, ଚିକିତ୍ସାଳୟରେ ଅତିରିକ୍ତ ୫୦ ଶଯ୍ୟା ଆଦି ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଆଜିର ଏହି ଆଲୋଚନାରେ ବରିଷ୍ଠ ନାଗରିକଙ୍କ ପକ୍ଷରୁ ବୈକୁଣ୍ଠ ନାଥ ମହାପାତ୍ର, ବସନ୍ତ କୁମାର ଦାଶ, ଭୀମସେନ ପ୍ରଧାନ, ରାମ ଶଙ୍କର, ଜ୍ଞାନ ରଂଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।