ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଅଛନ୍ତି ଭାରତରେ ଥିବା ମିଳିତ ଜାତିସଂଘର ଆବାସିକ ସଂଯୋଜକ ସମ୍ବି ସାର୍ପ। ଶ୍ରୀ ସାର୍ପ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହିତ ଓଡ଼ିଶାରେ ବିକାଶ ଓ ମିଳିତ ଜାତିସଂଘର ସହଭାଗିତା ଉପରେ ଆଲୋଚନା କରିଛନ୍ତି। ମାନବ ବିକାଶ ସୂଚକାଙ୍କରେ ଉନ୍ନତି ଆଣିବା ଓ ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ। ୧୯୯୯ ମସିହାରେ ଓଡ଼ିଶା ମହାବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବା ପରେ ବିପର୍ଯ୍ୟୟ ପରିଚାଳନା ଓ ଗୋଷ୍ଠୀ ଭିତ୍ତିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଜୋର ଦେଇଥିଲେ। ୨୦୧୩ ମସିହାରେ ବାତ୍ୟା ଫାଇଲିନ୍ର ସଫଳ ମୁକାବିଲା ପାଇଁ ଜାତିସଂଘ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲା। ୨୦୧୯ ମସିହାରେ ନ୍ୟୁୟର୍କ ଟାଇମ୍ସ ଖବରକାଗଜ ନିଜର ପ୍ରଥମ ପୃଷ୍ଠାରେ ବାତ୍ୟା ‘ଫନି’ର ସଫଳ ମୁକାବିଲା କରିବାରେ ସଫଳ ହୋଇଥିବା ଓଡ଼ିଶା ସମ୍ପର୍କରେ ଏକ ଖବର ପ୍ରକାଶ କରିଥିଲା। ଅନ୍ୟ ଦେଶମାନେ ଓଡ଼ିଶାଠାରୁ ବିପର୍ଯ୍ୟୟ ପରିଚାଳନା ସଂପର୍କରେ ଶିକ୍ଷା ହାସଲ କରିବା ଉପରେ ପରାମର୍ଶ ଦେଇଥିଲା।
ସେହିପରି ଓଡ଼ିଶା ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମକୁ ଶ୍ରୀ ସାର୍ପ ପ୍ରଶଂସା କରିଥିଲେ। ଓଡ଼ିଶାର ମିଲେଟ ମିସନ ଓ ଓଡ଼ିଶା କିଭଳି ଭାରତ ସମେତ ବିଶ୍ବକୁ ବାଟ ଦେଖାଇଛି ତାହା ସଂପର୍କରେ ସେ ଉଲ୍ଲେଖ କରିଥିଲେ। ଜାତିସଂଘ ଦ୍ବାରା ୨୦୨୩ ମସିହାକୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ଘୋଷଣା କରାଯାଇଛି। ଏହା ସହ ଜାତୀୟ ଖାଦ୍ୟ ସୁରକ୍ଷାକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ୧ ନମ୍ବର ରାଜ୍ୟ। ପୂର୍ବରୁ ଓଡ଼ିଶା ଅନାହାର ମାମଲା ପାଇଁ ଜଣାଶୁଣା ଥିଲା। ମାତ୍ର ଏବେ ଓଡ଼ିଶା ଖାଦ୍ୟରେ ଏକ ବଳକା ରାଜ୍ୟରେ ପରିଣତ ହୋଇଛି। ଖାଦ୍ୟଶସ୍ୟ କ୍ରୟ କରିବାରେ ଜାତୀୟ ସ୍ତରରେ ଏକ ପ୍ରମୁଖ ରାଜ୍ୟ ପାଲଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗରିବ କଲ୍ୟାଣ ନୀତି ଯୋଗୁଁ ଲୋକମାନଙ୍କୁ ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ ମିଳିବା ସୁନିଶ୍ଚିତ ହୋଇପାରିଛି। ‘ଆହାର’ କେନ୍ଦ୍ର ଜରିଆରେ ୫ ଟଙ୍କାରେ ରନ୍ଧା ଖାଦ୍ୟ ମିଳିପାରୁଛି। ସ୍ଥାନୀୟ ମିଲେଟ୍ଗୁଡ଼ିକର ପ୍ରଚାର ପ୍ରସାର କରିବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ପାଲଟିଛି। ଏଥିପାଇଁ ଓଡ଼ିଶା ବିଶ୍ବରୁ ପ୍ରଶଂସା ସାଉଣ୍ଟିଛି। ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ଅଭିଜ୍ଞତା ବାଣ୍ଟିବାକୁ ୨୦୨୨ ମସିହାରେ ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ(ଡବ୍ଲୁଏଫ୍ପି) ମୁଖ୍ୟାଳୟକୁ ନିମନ୍ତ୍ରଣ କରାଯାଇଥିଲା।
ଶ୍ରୀ ସାର୍ଫ ୫-ଟି ଗଭର୍ଣ୍ଣାସ ଓ ରାଜ୍ୟରେ ଏହାର ପ୍ରଭାବ ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ। ୨୦୧୯ ମସିହାରେ ୫-ଟି ଜରିଆରେ ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥା କ୍ରିୟାଶୀଳ ହୋଇପାରିଛି। ରାଜ୍ୟର ବିକାଶ ପଥକୁ ତ୍ବରାନ୍ବିତ କରିବା ସହ ରାଜ୍ୟରେ ରୂପାନ୍ତରଣର ପ୍ରଭାବ ସୃଷ୍ଟି କରିପାରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ସାର୍ଫଙ୍କୁ ଓଡ଼ିଶା ଗସ୍ତ ପାଇଁ ଧନ୍ୟବାଦ ଜଣାଇଥିଲେ। ବିଶ୍ବର ବିଭିନ୍ନ ସର୍ବୋତ୍ତମ କାର୍ଯ୍ୟଶୈଳୀକୁ ରାଜ୍ୟକୁ ଆଣିବା ପାଇଁ ଓଡ଼ିଶା ମିଳିତ ଜାତିସଂଘ ସହ ସହଭାଗିତା ଜାରି ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।