ହାଇକୋର୍ଟରେ ହାଜର ହେଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ

କରୋନା ଟିକାକରଣ ପ୍ରମାଣପତ୍ରରେ ତ୍ରୁଟି ପ୍ରସଙ୍ଗ

କଟକ: କରୋନା ପ୍ରତିଷେଧକ ଟିକାକରଣ ସଂପର୍କିତ ସାର୍ଟିଫିକେଟରେ ତ୍ରୁଟି ସଂଶୋଧନ ସଂକ୍ରାନ୍ତୀୟ ମାମଲାରେ ଆଜି ହାଇକୋର୍ଟରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସଚିବ ରାଜେଶ ଭୂଷଣ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିଛନ୍ତି। ଏଥିସହିତ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମଧ୍ୟ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି।

ସତ୍ୟପାଠରେ ଉଲ୍ଲେଖ କରାଯାଇଛି, ସାର୍ଟିଫିକେଟରେ ଟିକାକରଣ ତାରିଖ ଓ କେନ୍ଦ୍ର ସଂପର୍କିତ ତ୍ରୁଟି ସଂଶୋଧନ ପାଇଁ ପଦ‌େକ୍ଷପ ନିଆଯାଇଛି। କୋୱିନ ୱେବ୍‌ସାଇଟରେ ହିତାଧିକାରୀମାନେ ଏପରି ତ୍ରୁଟି ସଂଶୋଧନ ପାଇଁ ବ୍ୟବସ୍ଥା କରାଯାଇଛି। ତାରିଖ, ଟିକାକରଣ କେନ୍ଦ୍ର ଭଳି ତଥ୍ୟ ଗୁରୁତ୍ବପୂର୍ଣ୍ଣ ହୋଇଥିବାବେଳେ ୱେବସାଇଟରେ ହିତାଧିକାରୀ ସଂଶୋଧନ ପାଇଁ ଆବେଦନ କରିବା ପରେ ଆପେଆପେ ଏ ସଂପର୍କିତ ତଥ୍ୟ ସଂପୃକ୍ତ ଜିଲ୍ଲା ଇମ୍ୟୁନାଇଜେସନ୍ ଅଫିସରଙ୍କ ନିକଟକୁ ଯାଞ୍ଚ ଲାଗି ଯିବ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ଏଥିପାଇଁ ଇମ୍ୟୁନାଇଜେସନ୍ ଅଫିସରଙ୍କୁ ତାଲିମ ମଧ୍ୟ ଦିଆଯାଇଛି। ଅନ୍ୟପକ୍ଷରେ, ଦେଶର ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ନାଗିରକମାନେ ମଧ୍ୟ ଏଭଳି ବ୍ୟବସ୍ଥା ସଂକ୍ରାନ୍ତରେ ଅବଗତ ହେବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି।

ସଂଶୋଧନ ବ୍ୟବସ୍ଥା ପ୍ରସଙ୍ଗରେ ସଚେତନତା ସୃଷ୍ଟି
ପାଇଁ ୧୦ ଦିନ ଭିତରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ଏ ନେଇ କେନ୍ଦ୍ର ସରକାର ଯୋଜନାବଦ୍ଧ ଭାବେ ବ୍ୟାପକ ପ୍ରଚାର କରି ନାଗିରକମାନଙ୍କୁ ସଚେତନ କରିବେ। ଏହି ପ୍ରସଂଗରେ ୧୦ ଦିନ ଭିତରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ସଂକ୍ରାନ୍ତରେ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ବରିଷ୍ଠ ନାଗରିକ ନରେନ୍ଦ୍ର କୁମାର ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ, ଆବେଦନକାରୀଙ୍କ ଟିକାକରଣ ସାର୍ଟିଫିକେଟରେ ଥିବା ତ୍ରୁଟି ସଂଶୋଧନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଆଜି କେନ୍ଦ୍ର ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ହାଇକୋର୍ଟ ଏଭଳି ତଥ୍ୟକୁ ବିଚାରକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସଚିବଙ୍କୁ ବ୍ୟକ୍ତିଗତ ହାଜିରାରୁ ଆଜି ମୁକ୍ତ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୯କୁ ଧାର୍ଯ୍ୟ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ ମାର୍ଚ୍ଚ ୩୦ରେ ହାଇକୋର୍ଟ ମାମଲାର ଶୁଣାଣି କରି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସଚିବଙ୍କୁ ଏପ୍ରିଲ ୫ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର