ରାଜ୍ୟମାନଙ୍କୁ ଚିଠି ଲେଖିଲେ କେନ୍ଦ୍ର ଗୃହ ସଚିବ: ପାର୍ବଣ ସମୟରେ ସଂକ୍ରମଣ ଭୟ, କଡ଼ା ନଜର ରଖ

କୋଭିଡ୍‌ ମୃତ୍ୟୁ: ୫୦ ହଜାର ଟଙ୍କା ସହାୟତା ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର: ଆଗକୁ ପାର୍ବଣ ଋତୁ ଆସୁଛି। ଏ ସମୟରେ ଲୋକମାନେ ବେପରୁଆ ହେବା ସହିତ କୋଭିଡ ନିୟମାବଳୀକୁ ମାନି ନ ପାରନ୍ତି। ଧାର୍ମିକ ସ୍ଥଳ, ମେଳା ଆଦିରେ ବହୁ ସଂଖ୍ୟାରେ ଲୋକ ଏକାଠି ହେଲେ ପୁଣିଥରେ କରୋନା ସଂକ୍ରମଣକୁ ବଢ଼ିପାରେ। ତେଣୁ ପାର୍ବଣ ସମୟରେ କୋଭିଡ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବା ସହିତ ସଂକ୍ରମଣ ଉପରେ କଡ଼ା ନଜର ରଖିବା ଲାଗି କେନ୍ଦ୍ର ଗୃହ ସଚିବ ଅଜୟା ଭାଲ୍ଲା ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସରକାର ଆଉ କିଛିଦିନ ପରେ ଅକ୍ଟୋବର ପାଇଁ ଗାଇଡଲାଇନ୍ ଜାରି କରିବାକୁ ଯାଉଛନ୍ତି। ତେଣୁ କେନ୍ଦ୍ର ଗୃହ ସଚିବଙ୍କ ଏହି ଚିଠି ରାଜ୍ୟ ସରକାରଙ୍କ ଗାଇଡଲାଇନ୍‌ରେ ବେଶ୍ ଗୁରୁତ୍ବ ବହନ କରିବ ବୋଲି ଆଶା କରାଯାଉଛି।

ଶ୍ରୀ ଭାଲ୍ଲା କହିଛନ୍ତି ଯେ ଦେଶବ୍ୟାପୀ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି। ତଥାପି କିଛି ରାଜ୍ୟରେ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏବେ ବି ସଂକ୍ରମଣ ଦେଖିବାକୁ ମିଳୁଛି। ତେଣୁ ପାର୍ବଣ ଋତୁରେ ସାମାନ୍ୟ ବେପରୁଆ ପୁଣିଥରେ ବିପଦକୁ ଡାକି ଆଣିପାରେ। ତେଣୁ ରାଜ୍ୟମାନେ କରୋନା ସଂକ୍ରମଣ ହାର, ହସ୍ପିଟାଲ ଓ ଆଇସିୟୁରେ ରୋଗୀଙ୍କ ଆଡମିସନ୍‌ ଉପରେ କଡ଼ା ନଜର ରଖନ୍ତୁ। ଯଦି କୌଣସି ଜିଲ୍ଲାରେ ଉଚ୍ଚ ସଂକ୍ରମଣ ହାର ଦେଖିବାକୁ ମିଳେ ତାହାଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହିତ ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପାଇଁ ପଦକ୍ଷେପ ନେବା ଉଚିତ୍। ସ୍ଥାନୀୟ ସ୍ତରରେ ଏହାର କିଭଳି ମୁକାବିଲା କରାଯିବ ସେଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗତ ୨୧ତାରିଖରେ ଜାରି ନିର୍ଦେଶାବଳୀରେ ସ୍ପଷ୍ଟ କରାଯାଇଛି।

ସେ ଆହୁରିମଧ୍ୟ କହିଛନ୍ତି ଯେ କରୋନା ମୁକାବିଲାର ପ୍ରମୁଖ ଅସ୍ତ୍ରୀ ହେଉଛି ଟେଷ୍ଟ-ଟ୍ରାକ୍-ଟ୍ରିଟ୍‌-ଟିକାକରଣ ଓ କୋଭିଡ ନିୟମାବଳୀକୁ ପାଳନ କରିବା। ତେଣୁ ପାର୍ବଣ ସମୟରେ ମଧ୍ୟ ଏହି ୫ ରଣନୀତି ଯେପରି କାର୍ଯ୍ୟକାରୀ ହେବ ତାହାକୁ ରାଜ୍ୟ ସରକାର ନିଶ୍ଚିତ କରିବା ଦରକାର। ଏହାସହ ରାଜ୍ୟ ସରକାରମାନେ ନିଜ ନିଜ ରାଜ୍ୟରେ
ଯୋଗ୍ୟ ହିତାଧିକାରୀଙ୍କୁ ଟିକାକରଣ କରିବା ବିଶେଷକରି ଦ୍ବିତୀୟ ଡୋଜ୍ ଟିକାକରଣ ଉପରେ ପ୍ରାଥମିକତା ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଗତ ୨୪ଘଣ୍ଟାରେ ୫୪୫ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଧାରୁ ୨୧୮, କଟକ ୭୩, ବାଲେଶ୍ବର ୪୭, ଯାଜପୁର ୨୦, ମୟୂରଭଞ୍ଜ ୧୪, ସୁନ୍ଦରଗଡ଼ ୧୧, ଭଦ୍ରକ-କେନ୍ଦ୍ରାପଡ଼ାରୁ ୧୦ ଲେଖାଏ ଓ ଷ୍ଟେଟ୍‌ ପୁଲରୁ ୫୦ଜଣଙ୍କୁ ଚିହ୍ନଟ କରାଯାଇଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୨୫ହଜାର ୩୦୯କୁ ବୃଦ୍ଧି ପାଇଛି। ସେହିପରି ରାଜ୍ୟରେ ଆଉ ୭ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଜଗତସିଂହପୁର ୨, ଖୋର୍ଧା, କେନ୍ଦ୍ରାପଡ଼ା, ଯାଜପୁର, ଗଞ୍ଜାମ, କଟକରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ‌ଯାହାଫଳରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୮୧୮୭କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୬୩୪ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୯୫୩କୁ ଖସି ଆସିଛି। ଅନ୍ୟପକ୍ଷରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ୧୨ହଜାର ୧୧୬ରେ ପହଞ୍ଚିଛି।

ନୂଆଦିଲ୍ଲୀ: କରୋନା ମହାମାରୀରେ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ବା ଅନୁକମ୍ପା ରାଶି ବାବଦରେ ୫୦ ହଜାର ଟଙ୍କା ପ୍ରଦାନ କରିବା ଲାଗି କେନ୍ଦ୍ର ଆଜି ସମସ୍ତ ରଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏସଂପର୍କରେ ସୁପ୍ରିମ କୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠ ଅନୁସାରେ କେନ୍ଦ୍ର ଏହି ପଦକ୍ଷେପ ନେଇଛି। ସମସ୍ତ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ କେନ୍ଦ୍ର ପକ୍ଷରୁ ଏସଂପର୍କରେ ପତ୍ର ଲେଖାଯାଇଛି। ଉକ୍ତ ସହାୟତା ରାଶି ହିତାଧିକାରୀଙ୍କୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆର୍‌ଏଫ୍‌)ରୁ ପ୍ରଦାନ କରିବା ଲାଗି କୁହାଯାଇଛି। ଏସ୍‌ଡିଆର୍‌ଏଫ୍‌ ପାଣ୍ଠି ରାଜ୍ୟ ସରକାରଙ୍କର ଏକ ମୂଳ ପାଣ୍ଠି।

ବିପର୍ଯ୍ୟୟଜନିତ କ୍ଷତିର ଭରଣା ଉକ୍ତ ପାଣ୍ଠିରୁ ତୁରନ୍ତ କରାଯାଇଥାଏ। ସାଧାରଣ ବର୍ଗର ରାଜ୍ୟଗୁଡ଼ିକୁ କେନ୍ଦ୍ର ଏହି ପାଣ୍ଠି ପାଇଁ ୭୫ ପ୍ରତିଶତ ଏବଂ ଉତ୍ତର ପୂର୍ବାଞ୍ଚଳ ସମେତ ସିକିମ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଜମ୍ମୁ କାଶ୍ମୀର ଭଳି ସ୍ବତନ୍ତ୍ର ପାହ୍ୟା ରାଜ୍ୟ ପାଇଁ ୯୦ ପ୍ରତିଶତ ପାଣ୍ଠି କେନ୍ଦ୍ର ଯୋଗାଇ ଦେଇଥାଏ। ତେଣୁ ଏହି ପାଣ୍ଠିରେ ଥିବା ଅର୍ଥରୁ ରାଜ୍ୟ ସରକାରମାନେ କରୋନ‌ାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂପର୍କୀୟଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାର ସୁପ୍ରିମ କୋର୍ଟଙ୍କୁ ଅବଗତ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ୨୦୨୦ ମାର୍ଚ୍ଚ ୧୪ ତାରିଖରେ କୋଭିଡ-୧୯କୁ ଏକ ବିପର୍ଯ୍ୟୟ ଭାବେ ବିବେଚନା କରାଯାଇ ବିଜ୍ଞପ୍ତି ଜାରି କରାଯାଇଥିଲା। ଗୃହ ମନ୍ତ୍ରାଳୟ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ରିଲିଫ ପରିଚାଳନା କିମ୍ବା ପ୍ରାକ୍‌ ପ୍ରସ୍ତୁତି କାର୍ଯ୍ୟରେ ଜଡ଼ିତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହି ସହାୟତା ପ୍ରଦାନ ନିୟମ ଲାଗୁହେବ। ତେବେ ସେମାନଙ୍କର ମୃତ୍ୟୁ କୋଭିଡ-୧୯ରେ ହୋଇଥିବା ଆବଶ୍ୟକ। ସେପ୍ଟେମ୍ବର ୩ ତାରିଖରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବଂ ଭାରତୀୟ ଭେ‌ଷଜ ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର) ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁଯାୟୀ ଉକ୍ତ ମୃତ୍ୟୁ ହୋଇଥିବା ଆବଶ୍ୟକ।

ଦେଶରେ କରୋନା ମହାମାରୀ ଆରମ୍ଭ ଦିନଠାରୁ ଅନୁକମ୍ପା ରାଶି ପ୍ରଦାନ କରାଯିବ। କୋଭିଡ-୧୯କୁ ବିପର୍ଯ୍ୟୟରୁ ବାଦ ଦିଆଯିବା ନେଇ ବିଜ୍ଞପ୍ତି ଜାରି ନହେବା କିମ୍ବା ଅନ୍ୟାଦେଶ ପର୍ଯ୍ୟନ୍ତ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂପର୍କୀୟଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ଜାରି ରହିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଦେଶରେ କରୋନା ମହାମାରୀ ବର୍ତ୍ତମାନ ସୁଦ୍ଧା ସାଢ଼େ ଚାରି ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଲାଣି। ଯେଉଁ ରାଜ୍ୟରେ ଯେତେ ଅଧିକ‌ ଲୋକ କରୋନାରେ ମୃତ୍ୟୁବରଣ କରିଛନ୍ତି ସେହି ରାଜ୍ୟକୁ ସେତେ ଅଧିକ ଅର୍ଥ ଏ ବାବଦରେ ଖର୍ଚ୍ଚ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର